ଜାନୁୟାରୀ ୨୦ ରେ ଭଦ୍ରକ ଜିଲା ମହୋତ୍ସବ

Spread the love

ଭଦ୍ରକ, ୧୭/୧୧ (ସନ୍ଧାନ ନିୟୁଜ)  ଭଦ୍ରକ ହେଉଛି ଭାଇଚାରାର ସହର । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ମାନବ ଧର୍ମକୁ ବିଶ୍ୱାସ ରଖିଥିବାବେଳେ ତ୍ୟାଗଭୂମିର ଏହି ମାଟି ଯୁଗେ ଯୁଗେ ସମସ୍ତଙ୍କୁ ସଂସ୍କୃତିର ମହାମନ୍ତ୍ରରେ ବାନ୍ଧିରଖିଛି ବୋଲି ଭଦ୍ରକ ଜିଲା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକରେ ମତପ୍ରକାଶ ପାଇଛି । ଆଜିର ଏହି ବୈଠକ ଭଦ୍ରକ ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ସପ୍ତମ ବର୍ଷ ଭଦ୍ରକ ଜିଲା ମହୋତ୍ସବ ପାଳନର ଏହି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ଏଥିରେ ଭଦ୍ରକ ଜିଲା ମହୋତ୍ସବ ଗତବର୍ଷ ଠାରୁ କିଭଳି ନୂଆ ପରିପାଟୀରେ ଅନୁଷ୍ଠିତ ହୋଇ ଏକ ନୂତନ ପରମ୍ପରା ସୃଷ୍ଟି କରିବ, ସେ ଦିଗରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରୁ ୧୬ ଜଣକୁ କୋର କମିଟିକୁ ଚୟନ କରାଯାଇଥିଲା । ଏବଂ କୋର୍ କମିଟିର ନିଷ୍ପତ୍ତି ଅନୁଯାୟୀ ମହୋତ୍ସବରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ମନୋରଂଜନ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ କଳାକାରମାନଙ୍କୁ ଆମନ୍ତ୍ରଣ କରାଯିବା ସହ ଓଡ଼ିଶାର ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବାର ନିଷ୍ପତ୍ତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକଙ୍କୁ ତାଙ୍କର ସହମତି କ୍ରମେ ମହୋତ୍ସବର ଅଧ୍ୟକ୍ଷ ଭାବେ ସର୍ବସମ୍ମତ ମତ ଗୃହୀତ ହୋଇଥିଲା । ଏବଂ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ଏସ୍ ଶଶିଭୂଷଣ ସ୍ୱାମୀ ଙ୍କୁ ଉପସଭାପତି ଭାବେ ମନୋନୟନ କରାଯାଇଥିଲା । ଏଥିସହିତ ଶ୍ରୀ ରାୟଙ୍କୁ ଉପସଭାପତି ପଦ ସହ ମିଡିଆ ସେଲ୍ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଏବଂ ଇଂ ଦାମୋଦର ପଣ୍ଡାଙ୍କ ଦେହାନ୍ତରେ କୋଷାଧ୍ୟକ୍ଷ ପଦବୀ ଖାଲି ରହିଥିବାରୁ ସାମ୍ବାଦିକ ତପନ ସ୍ୱାଇଁଙ୍କୁ କୋଷାଧ୍ୟକ୍ଷ ଭାବେ ଗ୍ରହଣ କରାଯିବା ସହ ଏସ୍ ସତ୍ୟଭୂଷଣ ସ୍ୱାମୀଙ୍କୁ ସଂପାଦକ, ପ୍ରକାଶଜ୍ୟୋତି ମହାକୁଡ, ବିଭୂତି ଭୂଷଣ ସାହୁ, ସତ୍ୟପ୍ରକାଶ ସେଠୀ, ରାକେଶ ଦାସଙ୍କୁ ଯୁଗ୍ମ ସଂପାଦକ, ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ସଂଗଠନ ସଂପାଦକ ରୂପେ ମନୋନିତ କରାଯାଇଥିଲା । ଏବଂ ସାଂସ୍କୃତିକ ସଂପାଦକ ଭାବେ ଶ୍ରଦ୍ଧାଞ୍ଜଳି ପ୍ରଧାନ, ରଶ୍ମିତା ଦାଶ, ଜୟନ୍ତୀ କରଶର୍ମା, ସତ୍ୟସୁନ୍ଦର ପରିଡା, ପ୍ରଗତିକା ଦାଶ, ଅଶୋକ କୁମାର ମହାପାତ୍ର ଓ ସହ ସଂପାଦକ ପ୍ରତାପ ପାଢୀ, ପ୍ରଶାନ୍ତ ସାହୁ, ଲାଲା ପ୍ରମୋଦ ରାୟ, ନସିମ ଅଖତର, ସମ୍ବିତ ନାୟକ, ବିଦ୍ୟାଧର ସାହୁ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ୧୫୦ ରୁ ଉଦ୍ଧ୍ୱର୍ ଷ୍ଟଲକୁ ନେଇ ଏହି ପାରମ୍ପରିକ ଜିଲା ମହୋତ୍ସବରେ ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଆଲୋଚନା ଚକ୍ର, ୫ଟାରୁ ୭ଟା ପର୍ଯ୍ୟନ୍ତ ସାଧାରଣ ସଭା ସହ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଏବଂ ଶଶିଭୂଷଣ ସ୍ୱାମୀ ମତପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ଭଦ୍ରକକୁ ଏକ ନୂଆ ଦିଶା ଦେଖାଇବ ବୋଲି କହିଥିଲେ । ଭଦ୍ରକ ଜିଲାର ବୁଦ୍ଧିଜୀବୀ, ଜ୍ଞାନୀ, ଗୁଣୀ, ବିଦ୍ୱାନ ଏବଂ ସବୁବର୍ଗର ଲୋକମାନଙ୍କୁ ନେଇ ଏକ ବୃହତ୍ତର ସଂଗଠନ କରାଯିବା ପାଇଁ ଆଜିର ବୈଠକରେ କର୍ମକର୍ତ୍ତାମାନେ ମତପ୍ରକାଶ କରିବା ସହ ଆସନ୍ତା ଜାନୁୟାରୀ ୨୦ ରେ ଏହି ମହୋତ୍ସବ କିଭଳି ସ୍ୱତନ୍ତ୍ର ଭାବେ ପାଳନ କରାଯିବ, ସେ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକ ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଦୁର୍ଗାଶଙ୍କର ବିଶ୍ୱାଳ ସ୍ୱାଗତ ବକ୍ତବ୍ୟ ରଖିବା ସହିତ ବିଗତ ବର୍ଷମାନଙ୍କର କାର୍ଯ୍ୟଶୈଳୀ ଉପରେ ସଂକ୍ଷିପ୍ତ ଟିପ୍ପଣୀ ରଖି ଆଗାମୀ କାର୍ଯ୍ୟକ୍ରମ କିଭଳି ସରସ, ସୁନ୍ଦର ଓ ସଫଳ ହୋଇପାରିବ, ସେଥିପାଇଁ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ । ଏଥିସହ ଆଗାମୀ ଜିଲା ମହୋତ୍ସବ ଅବସରରେ ଅନୁଷ୍ଠାନର ମୁଖପତ୍ର ମଣିଭଦ୍ରିକା ସୁଦୃଶ ରଂଗୀନ ପତ୍ରିକା ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ । ସର୍ବଶେଷରେ ରାକେଶ ଦାସ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

Related Posts

About The Author

Add Comment