ଧର୍ମଶାଳା ୧୪/୦୯(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶଳା ବ୍ଲକ୍ ଜାରକା ବଜାର ସମେତ ୧୬ ନଂ ଜାତୀୟ ରାଜପଥରେ ବୁଲା ଗୋରୁ ଗାଈଙ୍କ ଅବାଧ ବିଚରଣ ଯୋଗୁଁ ଯାତାୟତରେ ବ୍ୟାପକ ସୃଷ୍ଟି ହେଉଛି । ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ବିଶେଷ କରି ମୋଟର ସାଇକେଲ ଚାଳକ ମାନେ ନାନା ଦୁର୍ଘଟଣାର ଶୀକାର ହେଉଛନ୍ତି । ସେହିପରି ଗାଡି ମୋଟର ଧକ୍କାରେ ବହୁ ଗୋରୁ ଗାଈ ଗୁରୁତର ଆଘାତ ହେବା ସହିତ ଅନେକ ସମୟରେ ମୃତୁ୍ୟବରଣ କରୁଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଏହାର ସ୍ଥାୟୀ ସମାଧାନର ବାଟ ଫିଟୁନି । ଏପଟେ ଗୋରୁଗାଈ ମାଲିକଙ୍କ ବିରୋଧରେ କୈାଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେମାନେ ମଧ୍ୟ ବେଫିକର ଭାବେ ନିଜ ଗୋରୁ ଗାଈଙ୍କୁ ରାସ୍ତାରେ ଛାଡି ଦେଉଛନ୍ତି । ଗାଈ ଗୋରୁ ମାନେ ଅନେକ ସମୟରେ ବଜାର ଅଂଚଳ ଓ ଜାତୀୟ ରାଜପଥ ଉପରେ ଏଣେ ତେଣେ ବୁଲିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଅଣାୟତ ହୋଇପଡୁଛି । ସଂପୃକ୍ତ ଗାଈମାଲିକ ମାନେ ସେମାନଙ୍କୁ ଖାଦ୍ୟ ନଦେଇ ବାହାରେ ବୁଲିବା ପାଇଁ ଛାଡି ଦେଉଛନ୍ତି , ଫଳରେ ଏମାନେ ବଜାରରେ ବୁଲି କାଗଜ, ଜରି ଓ ପଚାସଢ଼ା ପନିପରିବା ଖାଇବା ପାଇଁ ଚାଲି ଆସୁଛନ୍ତି । ରାସ୍ତାରେ ଦଳଦଳ ହୋଇ ଏମାନେ ବଜାର ଅଂଚଳ ଓ ରାସ୍ତାରେ ବୁଲିବା ସହିତ ରାସ୍ତା ଉପରେ ଶୋଉଛନ୍ତି । ବିଶେଷ କରି ଜାରକା ବଜାର ଗଳିପୋଲଠାରୁ ନୂଆଗାଁ, ଜାରକା ବସ୍ଷ୍ଟାଣ୍ଡ୍ ଓ ସିନେମାହଲ୍ ରାସ୍ତାରେ ଅଧିକ ସଂଖ୍ୟକ ଗୋରୁଗାଈ ଚଳପ୍ରଚଳ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ବୁଲା ଗାଈ ଗୋରୁ ମାଲିକମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳିତ ସଂଘର ସଭାପତି ହରିହର ମଲ୍ଲିକ୍ ଦାବୀ କରିଛନ୍ତି ।
ଜାତୀୟ ରାଜପଥ ଗୋରୁଗାଈଙ୍କ ଚରାଭୂଇଁ
|
September 14, 2019 |
