ଜବାବ ତଲବ କଲା ଏଫଏଟିଏଫ

Spread the love

ଇସଲାମାବାଦ, ୨୨/୧୨ (ସନ୍ଧାନ ନିଉଜ) : ଆତଙ୍କୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଇବା ଉପରେ ନଜର ରଖୁଥିବା ସଂସ୍ଥା ‘ଏଫଏଟିଏଫ’ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ମଦ୍ରାସା ଉପରେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି। କେବଳ ତଥ୍ୟ ନୁହେଁ, କେତେ ସଂଖ୍ୟକ ମଦ୍ରାସା ଉପରେ ପଦକ୍ଷେପ ନିଆଯାଇଛି ତାହା ଜଣାଇବା ପାଇଁ ଏଫଏଟିଏଫ କହିଛି।

ପାରିସ ସ୍ଥିତ ଏଫଏଟିଏଫକୁ ପାକିସ୍ତାନ ପକ୍ଷରୁ ଆତଙ୍କବାଦ ଏବଂ ସେହି ସଙ୍ଗଠନଗୁଡିକୁ ଅର୍ଥ ଯୋଗାଣ ବନ୍ଦ ଉପରେ ରିପୋର୍ଟ ଉପସ୍ଥାପନ ପରେ ଏଫଏଟିଏଫ ଏଭଳି ଜବାବ ତଲବ କରିଛି। ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ସୂଚୀରେ ରଖିଥିବା ବେଳେ ଗତ ଅକ୍ଟୋବରରେ ଚେତାବନୀ ଦେଇଥିଲା ଯେ ଯଦି ପାକିସ୍ତାନ ୨୭ଟି ନିର୍ଦ୍ଧାରିତ ନିୟମ ମଧ୍ୟରୁ ଶେଷ ୨୨ଟି ନିୟମ ଅନୁପାଳନ ନ କରେ, ସେ କ୍ଷେତ୍ରରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ। ପାକିସ୍ତାନ ଚଳିତ ଡିସେମ୍ବର ୬ରେ ୨୨ଟି ନିୟମ ଅନୁପାଳନ ସମ୍ପର୍କିତ ରିପୋର୍ଟ ଏଫଏଟିଏଫରେ ଉପସ୍ଥାପନ କରିଥିଲା।

ରିପୋର୍ଟ ସମୀକ୍ଷା କରିବା ପରେ ଏଫଏଟିଏଫ ପାକିସ୍ତାନକୁ ପୁଣି ୧୫୦ଟି ପ୍ରଶ୍ନର ଉତ୍ତର ଦେବାକୁ କହିଛି। ଏଥି ପାଇଁ ଆସନ୍ତା ମାସ ୮ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ନୂଆ ତଥ୍ୟ ଏବଂ କେତେ ସଂଖ୍ୟାରେ ମଦ୍ରାସାକୁ ଆର୍ଥିକ ସାହାଯ୍ୟ ବନ୍ଦ କରାଯାଇଛି ତାହାର ଜବାବ ମାଗିଛି ଏଫଏଟିଏଫ। ଆସନ୍ତା ଜାନୁଆରୀ ୨୧ରୁ ୨୪ ମଧ୍ୟରେ ବେଜିଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏଫଏଟିଏଫ ପାକିସ୍ତାନର ଜବାବ ଉପରେ ସମୀକ୍ଷା କରିବ ବୋଲି ଜଣା ପଡିଛି।

Related Posts

About The Author

Add Comment