ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ

ଗୋପବନ୍ଧୁ ଚୌଧୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା ଥିଲେ । ସେ କଟକରେ ୮ ମଇ ୧୮୯୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଗୋକୁଳାନନ୍ଦ ଚୌଧୁରୀ କଟକରେ ଓକିଲାତି କରୁଥିଲେ । ଗୋପବନ୍ଧୁ ଯେଉଁ ଘରେ ଜନ୍ମଗ୍ରହଣ କରିଥିଲେ, ସେ ଘର ପରବର୍ତ୍ତୀ ସମୟରେ “ସ୍ୱରାଜ ଆଶ୍ରମରେ” ପରିଣତ ହୋଇଥିଲା । ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାରଖେରସରେ ଶିକ୍ଷାରମ୍ଭ କରି, ସେ କଟକର ରେଭେନ୍ସା କଲିଜିଏଟ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟ ହୋଇ କଲିକତାର ପ୍ରେସିଡେନ୍ସି କଲେଜରୁ କୃତିତ୍ୱର ସହ ସ୍ନାତକ ଓ ସ୍ନାତକୋତ୍ତର ଉପାଧୀ ହାସଲ କରିଥିଲେ ।କଲିକତାରେ ଆଇନ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ୧୯୧୭ ମସିହାରେ କଟକର ଡେପୁଟି ମାଜିଷ୍ଟ୍ରେଟ ରୂପେ ଅବସ୍ଥାପିତ ହୋଇଥିଲେ ।
୧୯୨୦ ମସିହାର ଭୀଷଣ ନଇବଢ଼ି ସମୟରେ ଗୋପବନ୍ଧୁ ଯାଜପୁରରେ ଡେପୁଟି ମାଜିଷ୍ଟ୍ରେଟ ହିସାବରେ କାର୍ଯ୍ୟ କରୁଥିଲେ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମମାନଙ୍କୁ ଦେଖି ସରକାରଙ୍କ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି ଜଣାଇଥିଲେ । ବ୍ରିଟିଶ ସରକାର ତାଙ୍କ ଦାବି ଅଗ୍ରାହ୍ୟ କରିଦେବାରୁ ସେ ସରକାରୀ ଚାକିରୀରୁ ଇସ୍ତଫା ପ୍ରଦାନ କରିଥିଲେ । ତାପରେ ସତ୍ୟବାଦୀ ଯାଇ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । କଂଗ୍ରେସରେ ଯୋଗଦାନ, ଗାନ୍ଧୀ ନୀତି ଅନୁସରଣ, ଖଦଡ଼ ଲୁଗା ପିନ୍ଧିବା, ଆଶ୍ରମ ଓ ଦରିଦ୍ରନାରାୟଣଙ୍କ ସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୨୧ ମସିହାରେ ଅଳକା ନଦୀ କୁଳରେ ପ୍ରଥମେ ଏକ ଶିକ୍ଷାନୁଷ୍ଠାନ ଓ ପରେ “ଅଳକାଶ୍ରମ” ପ୍ରତିଷ୍ଠା କରିଥିଲେ । ୧୯୩୪ ମସିହାରେ ଗାନ୍ଧୀଜୀଙ୍କନିର୍ଦ୍ଦେଶରେ ସେ ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ଗ୍ରାମ ସଫେଇ, ନିଶା ନିବାରଣ, ପ୍ରୌଢ଼ଶିକ୍ଷା, ହରିଜନ ସେବା, ମୌଳିକ ଶିକ୍ଷା ସହ ଗ୍ରାମ୍ୟ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ।ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନିଷ୍ଠ ଭ୍ରାତା ଗୋପାଳବଲ୍ଲଭଙ୍କ କନ୍ୟା ରମାଦେବୀଙ୍କୁ ବିବାହ କରିଥିଲେ ।ତାଙ୍କର ସମାଜସେବା କାର୍ଯ୍ୟରେ ପତ୍ନୀ ରମାଦେବୀ, ପୁତ୍ର ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣା ତାଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ । ୧୯୩୦ର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ସତ୍ୟାଗ୍ରହ ବେଳେ ପୁଲିସ ଲାଠିଚାଳନାରେ ଆହତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।ସ୍ୱାଧୀନତା ପରେ ସନ୍ଥ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଗୋପବନ୍ଧୁ ଚୌଧୁରୀଙ୍କ ଶେଷ ଜୀବନ କଟିଥିଲା କଟକର ଥୋରିଆ ସାହିରେ ଥିବା “ଭୂଦାନ ଆଶ୍ରମ”ରେ । ୨୯ ଅପ୍ରେଲ ୧୯୫୮ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।ତାଙ୍କ ନାମରେ ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଏକ ମହାବିଦ୍ୟାଳୟ ରହିଛି

Related Posts
About The Author