ଯାଜପୁର (ସନ୍ଧାନ ନିୟୁଜ/ମାନସ ରାଉତ ) ବାର ବର୍ଷ ହେଲା ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହେବା ପରେ ବି ତିନି ପିଢ଼ି ଧରି ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିମ ଜନଜାତି ଲୋକମାନଙ୍କୁ ମିଳିପାରୁନି ସେହି ଜମିର ପଟ୍ଟା ! ସେହିପରି ବର୍ଷବର୍ଷ ଧରି ସରକାରୀ ଜମିରେ ଘରବାଡ଼ି କରି ବସବାସ କରୁଥିବା ଭୂମିହୀନମାନଙ୍କୁ ଯଦି ଘରଡିହ ପଟ୍ଟା ଯୋଗାଇ ଦିଆଯାଇ ପାରୁନାହିଁ ତ ସରକାର କାହା ସ୍ବାର୍ଥରେ ତେବେ ‘ବସୁନ୍ଧରା’ ଓ ‘ମୋ ଘର-ମୋ ଡିହ’ ଭଳି ଯୋଜନା ମାନ ଘୋଷଣା କରିଛନ୍ତି ? ସରକାରୀ ଅବହେଳା ବିରୁଦ୍ଧରେ ବଡ଼ଚଣା ବ୍ଳକ ଅନ୍ତର୍ଗତ ବୈରୀ ଓ ପାରିଆ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ସେଭଳି ଶତାଧିକ ଅବହେଳିତ ପୁରୁଷ ଓ ମହିଳାଙ୍କୁ ନେଇ ବୈରୀ ପଞ୍ଚାୟତ ବିଜେପି ଶାଖା ଆହ୍ଵାନରେ ଦର୍ପଣ ତହସିଲ ଅନ୍ତର୍ଗତ ବୈରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଙ୍ଗଲ ଅଧିକାର ଆଇନ ଓ ରାଜସ୍ୱ ଆଇନ ମତେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ବିଜେପି ଯୁବ ନେତା ରମାକାନ୍ତ ଖୁଣ୍ଟିଆଙ୍କ ନେତୃତ୍ବରେ ଆଜି ଏକ ଗଣ ଅନଶନ ଅନୁଷ୍ଠିତ ହୋଇଯାଇଛି | ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ଯ ସମ୍ପାଦିକା ସୀମନ୍ତିନୀ ଜେନା ଓ ରାଜ୍ଯ ପରିଷଦ ସଦସ୍ୟ ଉଦୟନାଥ ସାହୁଙ୍କ ସମେତ ବହୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ !

ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ରତ୍ନାକର ନାଏକ ଓ ଡ଼ାଳିଯୋଡ଼ା ବନଖଣ୍ଡ ଅଧିକାରୀ ମନୋରଞ୍ଜନ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିବା ଜନସାଧାରଣଙ୍କ ସହିତ ଆଲୋଚନା କରିବା ସଙ୍ଗେସଙ୍ଗେ ସେମାନଙ୍କ ଦାବୀକୁ ଯଥାର୍ଥ ବୋଲି ସ୍ୱୀକାର କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିବା ସହିତ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି !



