ଭୁବନେଶ୍ୱର,୯/୬ (ସନ୍ଧାନ ନିୟୁଜ) – କଲିକତାରୁ ନିଇତି ଆସୁଛି ଲକ୍ଷାଧିକ ଟଙ୍କାର ଚୋରା କାଠ। ଭଦ୍ରକ ଜିଲା ସମେତ ଧାମରା ଅଂଚଳରୁ ଯାଉଥିବା ବସ୍ ଗୁଡିକରେ ଏହି କାଠ ପରିବହନ ହେଉଛି। ଯାତ୍ରୀବାହି ବସ୍ ଗୁଡିକ ଦ୍ୱାରା ଚାଲିଥିବା ଏହି କାଠ କାରବାରରେ ବନ ବିଭାଗ କର୍ମଚାରୀଙ୍କ ହାତ ରହୁଛି। ସେମାନଙ୍କ ଜାଣତରେ ଏଭଳି କାରବାର ଚାଲୁଛି। ଏହି ବେଆଇନ୍ ବ୍ୟବସାୟୀ ପାଇଁ ବିଭାଗୀୟ କର୍ମଚାରୀ ମୋଟା ଅଙ୍କର ଉତ୍କଚ ନେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। କଲିକତାରୁ ବାସୁଦେବପୁର ଧାମରାହ ଅଭିମୁଖେ ଆସୁଥିବା ବସ୍ ଗୁଡିକ ଏବେ ମାଲ ବୁହା ବସ୍ ହୋଇଯାଇଛି। ଏହି ମାଲ ଗୁଡିକ ମଧ୍ୟରୁ ବିଶେଷକରି କେତୋଟି ବସ୍ରେ ଚୋରା କାଠ ପଶ୍ଚିମବଙ୍ଗରୁ ଧାମରାକୁ ଆସୁଥିବା ଦେଖିବାକୁ ମିଳୁଛି। ଏହି କାଠ ବ୍ୟବସାୟୀ ପଶ୍ଚିମବଙ୍ଗରୁ ପଲଙ୍କ ସହିତ ବିଭିନ୍ନ କାଠ ସାମଗ୍ରୀ ଧରି ଆଣୁଥିବା ବେଳେ ବହୁ ପରିମାଣରେ କାଠ ବାଟମ, ବନ୍ଧ ଆଦି ଚୋରା ଚାଲାଣ କରୁଛନ୍ତି। ଏହି କାଠ ଗୁଡିକ ଆସିବା ଦ୍ୱାରା ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ବସ୍ ଭିତରେ କାଠ ଗୁଡିକ ବିପଦପୂର୍ଣ୍ଣ ଭାବେ ଲଦା ଯାଇ ଆସୁଥିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ସନ୍ଦେହ ଉପୁଜିଛି। ଏହି ବସ୍ ମାନଙ୍କରେ ପ୍ରତିଦିନ ଚୋରା କାଠ ଚାଲାଣ ହେଉଛି। ବାସୁଦେବପୁର ବନଖଣ୍ଡର କର୍ମଚାରୀମାନେ ମାସିକ ଚାନ୍ଦା ନେଇ ପାର କରୁଥିବା ଅଭିଯୋଗ ହେଉଛି। ଗତ ତିନିଦିନ ତଳେ ଏକ କଲିକତା ବସ୍ରେ ଚୋରାରେ ମୂଲ୍ୟବାନ କାଠ ଆସିଥିବା ଖବର ପାଇଁ ଗଣମାଧ୍ୟମ ପ୍ରତିନିଧି ବାସୁଦେବପୁର ବନଖଣ୍ଡର କର୍ମଚାରୀଙ୍କୁ ଅବଗତ କରାଇଥିଲେ। ସେ ଗାଡିରେ କି କାଠ ଯାଉଛି! ଯଦି ପଲଙ୍କ ଅଛି, ତେବେ ଆମର କିଛି କରିବାର ନାହିଁ। ଯଦି ଅନ୍ୟ କିଛି କାଠ ଯାଉଛି ଆମକୁ ଖବର ଦିଅ, ଆମେ ନିଶ୍ଚିତ ଅଟକାଇବୁ। ହେଲେ ଗାଡି ମଧ୍ୟରେ ବହୁ ମୂଲ୍ୟବାନ କାଠ ଯାଉଥିବା ଖବର ଦେବା ପରେ ଆଜି ଯାଉ ଆଉଥରେ ଆସୁ ଆମେ ଧରିବା ବୋଲି ବିଭାଗୀୟ କର୍ମଚାରୀ କହିଥିଲେ। ଏହି କଲିକତା ବସ୍ ମାନଙ୍କରେ ପ୍ରତିଦିନ ଚୋରାରେ ଅନେକ କାରବାର ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏହି ବସ୍ ଗୁଡିକୁ ଠିକ୍ ଭାବେ ଯାଞ୍ଚ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ବିଶେଷକରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍ର ଅନ୍ୟ ସାମଗ୍ରୀ ପରିବହନ ବନ୍ଦ ହେଉ ବୋଲି କଲିକତାକୁ ଯାତାୟତ କରୁଥିବା ଅନେକ ଯାତ୍ରୀ ଦାବି କରିଛନ୍ତି। ବସ୍ ଯୋଗେ ଚୋରା ଚାଲାଣ ତୁରନ୍ତ ବନ୍ଦ କରାଯାଉ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଚୋରା କାଠ ଚାଲାଣର ମାଧ୍ୟମ ପାଲଟିଛି କୋଲକାତା ବସ୍; ନାଇରେ ଜଡ଼ାତେଲ ଲଗାଇ ସୋଇଛି ବନବିଭାଗ
|
June 9, 2019 |
