ଯାଜପୁର/ଚଣ୍ଡିଖୋଲ,୩.୭(ସନ୍ଧାନ ନିୟୁଜ/ମାନସ ରାଉତ): ବ୍ୟସ୍ତ ବହୁଳ ଚଣ୍ଡିଖୋଲ ଛକର ଜଳ ନିଷ୍କାସନ ପାଇଁ ଜାତୀୟ ରାଜପଥ ସଂପ୍ରସାରଣ ଦାୟୀତ୍ୱ ନେଇଥିବା ଆର.କେ.ଡି କଂଷ୍ଟ୍ରକସନ କମ୍ପାନୀ ନିମ୍ନମାନର କାର୍ଯ୍ୟ ଫଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । କମ୍ପାନୀ ସଠିକ ଭାବେ କାମ କରିନଥିବାରୁ ଅସରାଏ ବର୍ଷାରେ ରାସ୍ତା ହେଉ ଅବା ଘର ସବୁଠି ଦେଖିବାକୁ ମିଳୁଛି ଆଣ୍ଠୁଏ ଉଚ୍ଚର ପାଣି । ଚଣ୍ଡିଖୋଲ ଛକରେ ଜାତୀୟ ରାଜପଥର ନିଜସ୍ୱ ସ୍ଥାନକୁ ବାଦଦେଇ ଇଛାମୁତାବକ ଡ୍ରେନ ନିର୍ମାଣ କାର୍ଯ୍ୟ କରିବାରୁ ଅନେକ ସ୍ଥାନରେ ରାସ୍ତାଗୁଡିକ ସଂକୁଚିତ ହୋଇଯାଇଛି । ଯାହାଫଳରେ ଅନେକ ଜାଗାରେ ରାସ୍ତା ଉପରେ ଦୁଇ ଚକିଆ ଓ ·ରୀ ଚକିଆ ଯାନ ରଖି ଦେବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ନିର୍ମାଣ ହେଉଥିବା ଡ୍ରେନ ଗୁଡିକର କାର୍ଯ୍ୟ ନିମ୍ନମାନର ହେବାରୁ ଅନେକ ସ୍ଥାନରେ ସ୍ଲାବ ଗୁଡିକ ଭାଙ୍ଗିଯାଇ ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଡ୍ରେନ ଉପରେ ଯେଉଁ ସ୍ଥାନରେ ସ୍ଲାବ ପଡୁଛି ସଷ୍ଟ୍ରିଂ ପାଇଁ ତଳେ ଦିଆଯାଉଥିବା ବାଲିବସ୍ତା ଗୁଡିକ ବାହାର ନକରିବାରୁ ଜଳ ନିଷ୍କାସନରେ ବାଧକ ସୃଷ୍ଟି ହେଉଛି । ଏହି ଛକଟି ବିଭିନ୍ନ ଜିଲ୍ଲାକୁ ସଂଯୋଗ ପଥର ମୁଖ୍ୟ ଛକ ହୋଇଥିବା ବେଳେ ଦୂରଦୂରାନ୍ତରୁ ବହୁ ଯାତ୍ରୀ ନିର୍ଭର କରୁଥାନ୍ତି । ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଯିବା ପାଇଁ ଆସୁଥିବା ପର୍ଯ୍ୟଟକ ଓ ସାଧାରଣଲୋକ ମାନେ ରାତ୍ରୀ ସମୟରେ ଅଜଣାନ୍ତରେ ଭାଙ୍ଗିଯାଇଥିବା ସ୍ଲାବ ଗର୍ତ୍ତରେ ପଡି ଆହତ ହେଇଥିବା ନଜିର ଅଛି ।
ଏଭଳି ଅଧପନ୍ତରିଆ କାର୍ଯ୍ୟ କରିଥିବା ସଂପୃକ୍ତ ଠିକାସଂସ୍ଥା ଏଠାରୁ ଚାଲିଯାଇଥିବାରୁ ଆଗାମୀ ଦିନରେ ବର୍ଷା ପରିମାଣ ବଢିଲେ ସାଧାରଣଲୋକ ଏବଂ ସ୍ଥାନୀୟ ଅଧିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ଏହାର ଆଶୁ ସମାଧାନ ପାଇଁ ଜାତୀୟ ରାଜପଥ ପ୍ରାଧ୍ୟକରଣ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବଡଚଣା ଯୁବ ବିଜେଡି ସଭାପତି ପ୍ରମୋଦ କୁମାର ଜେନା ଦାବୀ କରିଛନ୍ତି ।