ରାଉରକେଲା ୨୦/୦୯ (ସନ୍ଧାନ ନିଉଜ) ହାତୀପଲ ଆତଙ୍କରେ ଗତ ଦୁଇ ଦିନ ହେଲା ଆତଙ୍କିତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ପ୍ରାୟ ୧୬ ଜଣିଆ ହାତୀ ପଲରେ ଅଛନ୍ତି ୫ଟି ଦନ୍ତା ହାତୀ, ୭ଟି ମାଈ ଓ ୪ଟି ଛୁଆ ହାତୀ । ଏହି ହାତୀପଲ ଲାଠିକଟା ବ୍ଲକ ଅଂଚଳର ମୁଣ୍ଡାଜୋର, ସୁନାପର୍ବତ, ଖରୁଆଟୋଲି, ଡଲାକୁଦର, ଲହଦର, ବୁଢିକୁଦର, ପୋଟବେଡ଼ା ଅଂଚଳରେ ଉତ୍ପାତ କରିବା ସହ ଧାନ, ମକା ଫସଲ, ପରିବା ଚାଷ ଦଳିଚକଟି ନଷ୍ଟ କରି ଦେଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଡଲାକୁଦର ଫରେଷ୍ଟ ବ୍ୟାରେକ ପଛ ଜଙ୍ଗଲରେ ଏହି ୧୬ ଜଣିଆ ହାତୀପଲ ବିଚରଣ କରୁଥିଲେ । ଏହାର ସୂଚନା ପାଇଁ ବନବିଭାଗର ମୋବାଇଲ ସ୍କାର୍ଡ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ଘଉଡ଼ାଇବାରେ ସକାଳୁ ସଂଧ୍ୟା ତମାମ ବ୍ୟସ୍ତ ରହିଥିବା ସୂଚନା ମିଳିଛି । ଡଲାକୁଦର ବନବିଭାଗ କର୍ମଚାରୀ ବିପିନ ରକ୍ସା ଓ ଅନ୍ୟ କର୍ମଚାରୀ ପ୍ରମୁଖ ହାତୀ ମାନଙ୍କୁ ବିଭିନ୍ନ କୌଶଳ ଅବଲମ୍ବନ କରି ଗ୍ରାମରୁ ଜଙ୍ଗଲ ଆଡକୁ ଘଉଡାଉଛନ୍ତି । ସବିଶେଷ ସୂଚନା ଅନୁଯାୟୀ, ହାତୀପଲ ଜାତୀୟ ରାଜପଥ-୧୪୩ ଅତିକ୍ରମ କରି ନୂଆଗାଁ ଅଭିମୁଖେ ପଳାୟନ କରିଥିବା ବନବିଭାଗ ଅନୁମାନ କରିଛି । ପ୍ରକାଶ ଥାଉକି, ପୂର୍ବରୁ ହାତୀପଲ ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମ ସୀମାନ୍ତରେ ପ୍ରବେଶ କରି ଫସଲ, ପରିବା ଚାଷ ଆଦି ନଷ୍ଟ କରିି ଦେଉଛନ୍ତି । ଯାହା ଦ୍ୱାରା ଚାଷୀ ମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଥିବା ଜଣାପଡ଼ଛି । ସମୟ ସମୟରେ ହାତୀ ହାବୁଡ଼ରେ ପଡ଼ି ବ୍ୟକ୍ତି ପ୍ରାଣ ମଧ୍ୟ ଅକାଳରେ ଚାଲି ଯାଉଛି । ବନବିଭାଗ ପକ୍ଷରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଉ ଥିବାରୁ ବହୁ ମୂଲ୍ୟବାନ ଜୀବନ ହାତୀ ଦାଉରୁ ରକ୍ଷା କରାଯାଇ ପାରୁଛି ।
ଗ୍ରାମାଚଂଳରେ ହାତୀ ଆତଙ୍କ, ଘଉଡାଇବାରେ ବ୍ୟସ୍ତ ବନବିଭାଗ
|
September 21, 2020 |