ଭୁବନେଶ୍ବର, ୩୦/୦୬ (ସନ୍ଧାନ ନିଉଜ): ‘ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ’; ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ମଧ୍ୟଗ୍ରହାଣୁ ଧକ୍କା ଦ୍ବାରା ପୃଥିବୀ ରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ସଦା ସର୍ବଦା ଚିନ୍ତିତ ରହୁଛନ୍ତି। ଏଠାରେ ସ୍ମରଣ କରାଯାଇ ପାରେ ଯେ ଆଜିକୁ ଠିକ୍ ୧୧୨ ବର୍ଷ ତଳେ ୧୯୦୮ ମସିହା ଜୁନ ୩୦ରେ ରୁଷୀୟ ଦେଶର ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ଅନେକ ପଶୁ ପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ। ସୌଭାଗ୍ୟବଶତଃ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନାହିଁ । ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହା ଭୁବନେଶ୍ବର ସହର ଠାରୁ ୧୫ ଗୁଣ ଓ ମୁମ୍ବାଇ ମହାନଗର ଠାରୁ ୩ ଗୁଣ ବଡ ଅଟେ। ଏଭଳି ଏକ ବିରାଟ ଧ୍ଵଂସ ଲୀଳା ଘଟାଇଥିଲା ମାତ୍ର ୨୦୦ ଫୁଟ ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଆ ପିଣ୍ଡ ବା ଗ୍ରହାଣୁ। ଆଜିକୁ ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଏହିଭଳି ଏକ ବିରାଟ ପିଣ୍ଡର ସଙ୍ଘାତ ଫଳରେ ଚନ୍ଦ୍ର ସୃଷ୍ଟି ହୋଇଛି ବୋଲି କିଛି ବୈଜ୍ଞାନିକ ମତ ଦିଅନ୍ତି। ସେହିପରି ଅନେକ ବର୍ଷ ତଳେ ଡାଇନୋସର୍ ଗୁଡିକ ଏହିଭଳି ଏକ ଗ୍ରହାଣୁ ଧକ୍କା ଫଳରେ ଲୋପ ପାଇଯାଇଥିଲେ ଓ ପୃଥିବୀରେ ଶୀତଳ ଯୁଗ ଆସିଥିବାର ଅନୁମାନ କରାଯାଏ । ପୃଥିବୀ ପୃଷ୍ଠରେ ଅନେକ ସ୍ଥାନରେ ଗ୍ରହାଣୁ ଧକ୍କା ଦ୍ବାରା ଗର୍ତ୍ତମାନ ସୃଷ୍ଟି ହୋଇଥିବାର ନଜିର ରହିଛି। ଭାରତର ମହାରାଷ୍ଟ୍ର ଠାରେ ଥିବା ଲୋନା ସରୋବର ଓ ଆରିଜୋନାଠାରେ ଏକ ବିରାଟ ଗର୍ତ୍ତ ମଧ୍ୟ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଛି। କିଏ ଜାଣେ,ଏଭଳି ଗୋଟିଏବଡ ଗ୍ରହାଣୁ ଧକ୍କା ପୃଥିବୀ ରୁ ଜୀବ ସତ୍ତା ଲୋପ କରିଦେଇପାରେ। ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ମାନଙ୍କ ମତରେ ଗ୍ରହାଣୁର ଆକାର ଯେତେ ବଡ ପୃଥିବୀରେ ସେଗୁଡିକ ପଡିବା ଅଥବା ଧକ୍କା ହେବାରର ସମ୍ଭାବନା ସେତେ କମ । ଚନ୍ଦ୍ରକୁ ସୃଷ୍ଟି କରିଥିବା ପରି ବିରାଟ ଗ୍ରହାଣୁ ୪୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡୁଥିଲା ବେଳେ ଶୀତଳ ଯୁଗ ଆଣିଥିବା ଗ୍ରହାଣୁ ୨୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡିଥାଏ। କିନ୍ତୁ ୧୯୦୮ ମସିହାରେ ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ପଡିଥିବା ଗ୍ରହାଣୁ ଭଳି ଅନ୍ୟ ଏକ ଗ୍ରହାଣୁ ୧ହଜାର ବର୍ଷରେ ଥରେ ଖସିବାର ସଂଭାବନା ରହିଛି।
ଗ୍ରହାଣୁ ଧକ୍କାରେ ଦିନେ ନଷ୍ଟ ହୋଇଯିବ ପୃଥିବୀ !
|
June 30, 2020 |
