ବାରିପଦା ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଓଡିଶାରୁ କୋଲକତାକୁ ବେଧଡକ ଚାଲିଛି ଗୋ-ଚାଲାଣ । ଏଥିରେ ଏକ ବଡ ରାକେଟ୍ ସହୋଯୋଗ କରୁଛି । ଦଲାଲଙ୍କ ଠାରୁ ଆରମ୍ଭକରି ଏସକର୍ଟ ଟିମ୍ ଜରିଆରେ ଗୋରୁ ଚାଲାଣ କରୁଛନ୍ତି । ଏପରିକି ଏହି ରାକେଟ୍ ସମ୍ପର୍କରେ ପୋଲିସ୍ ସବୁ ଜାଣିଶୁଣି ଚୁପ୍ ରହୁଥିବା ଅଭିଯୋଗ ହୋଇଛି । ଯଶୀପୁରରେ ଆଜି ଏକ ଗୋରୁ କଣ୍ଟେନର୍ ଓ ମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ବେପାରୀମାନେ ସେଠାରୁ ପୋଲିସ୍ ଉପସ୍ଥିତିରେ ଗୋରୁ ଗୁଡିକକୁ ଅନ୍ୟ ଏକ ଗାଡିରେ ନେଇ ଚମ୍ପଟ ମାରିଥିଲେ । ପୋଲିସ ସବୁ ଦେଖି କେବଳ ନିରବଦ୍ରଷ୍ଟା ସାଜିଥିଲା । ସୂଚନା ଅନୁସାରେ ଆଜି ଭୋର୍ରୁ ଯଶିପୁର ପଟୁ କୋଲକତା ଆଡକୁ ଏକ କଣ୍ଟେନର୍ (ଡବ୍ଲୁ୍ୟବି ୧୧ଇ୦୨୧୩)ରେ ଗୋରୁ ବୋଝେଇ ହୋଇ କୋଲକତା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ଚତୁରୀ ସାହି ନିକଟସ୍ଥ କୁପା ଢାବା ନିକଟରେ କଣ୍ଟେନର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କଣ୍ଟେନର୍ଟିରେ ପ୍ରାୟ ୫୨ଟି ଗୋରୁ ଥିଲେ । ଚଢେଇଭୋଳଠାରୁ ପଶ୍ଚିମବଙ୍ଗର ଫେକା ଅଂଚଳକୁ ଏହି ଗୋରୁ ସବୁ ଚୋରା ଚାଲାଣ ହେଉଥିବା ଜଣାପଡିଛି । ଦଲାଲମାନେ ୪୯ ନଂ ଜାତୀୟ ରାଜପଥ ରହିଥିବା ଥାନାରେ ବଟି ଦେଇ ବେଧଡକ ଭାବେ ଗୋରୁ ବେପାର କରୁଥିବା ଅଭିଯୋଗ ହେଉଛି । ଏହି ଗୋଚାଲାଣ ପାଇଁ ସ୍ୱତନ୍ତ୍ର ଭାବେ ଦଲାଲ ନିୟୋଜିତ ହୋଇଥିବା ବେଳେ ଏସକର୍ଟ ଟିମ୍ ପୂରା ସହେଯାଗ କରୁଛନ୍ତି । ଏହାସହ ବେପାରୀମାନେ ବିଭିନ୍ନ ଥାନାର ପୋଲିସ୍ କର୍ମଚାରୀମାନେ ସହ ଶଲାସୂତରା କରି ଏହି କାରବାର କରୁଛନ୍ତି । ଦୁର୍ଘଟଣା ଘଟିବା ପରେ ପୋଲିସ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ଏହାସହ ସ୍ଥାନୀୟ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ହେଲେ ଦଲାଲମାନେ ଅନ୍ୟ ଏକ ଗାଡି (ଓଡି୦୪ଏନ୍୮୫୫୨)ରେ ଗୋରୁଗୁଡିକୁ ବୋଝେଇ କରି ସେଠାରୁ ଯଶୀପୁର ଆଡକୁ ଦ୍ରୁତଗତିରେ ପଳାଇଥିଲେ । ତରବରେ ଦୁଇଟି ଗୋରୁଙ୍କୁ ଛାଡି ଦେଇ ଯାଇଥିଲେ । ପୋଲିସ ଏସବୁ ଦେଖି ନିରବ ରହିଥିଲା । ପୋଲିସ୍ର ଜ୍ଞାତସାରେ ଏହି ବେପାର ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି । ଯଶୀପୁର ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା
ଗୋରୁ ଧରି ବେପାରୀ ପାର୍, ପୋଲିସ୍ ଜଳକା
|
July 22, 2020 |



