ଗେଷ୍ଟ ହାଉସ୍ ରୁ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା !

Spread the love
  •  
  •  
  •  
  •  
  •  

ଭଦ୍ରକ, ୭/୫ (ସନ୍ଧାନ ନିୟୁଜ) – ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ରାଜଘାଟ ଛକ ନିକଟରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରୁ ପ୍ରେମୀଯୁଗଳଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପ୍ରେମୀଯୁଗଳ ହେଲେ ଭଦ୍ରକ ପୁରୁଣାବଜାର ଥାନା ଅର୍ନ୍ତଗତ ମୁଲଣାସାହିର ମୁଲ୍ଲା ଏମ୍ଡି ଅବଦୁଲ ରହିମ ଓ ସହରାଞ୍ଚଳ ଥାନା ଅର୍ନ୍ତଗତ ଅସ୍ଥଳ ଗ୍ରାମର ମନିଷା ଦାସ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ଟାରେ ଏହି ପ୍ରେମୀଯୁଗଳ ନିଜକୁ ସ୍ୱାମୀ ଓ ସ୍ତ୍ରୀର ପରିଚୟ ଦେଇ ଉକ୍ତ ଗେଷ୍ଟହାଉସର ଏକ କୋଠରୀ(୧୦୭)ରେ ରହିଥିଲେ। କିଛି ସମୟ ପରେ ଉକ୍ତ କୋଠରୀ ମଧ୍ୟରୁ ପାଟି ଶୁଭି ପରବର୍ତ୍ତୀ ସମୟରେ କୌଣସି ଶଦ୍ଦ ଆସିନଥିଲା। ସନ୍ଦେହରେ ହୋଟେଲ ମାଲିକ ଉକ୍ତ ରୁମର କବାଟ ବାଡେଇଥିଲେ। କିନ୍ତୁ କୌଣସି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ପ୍ରେମୀଯୁଗଳ ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ପଡ଼ିରହିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୨ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟ ପଠାଇଥିଲା। ପ୍ରେମୀ ଯୁଗଳଙ୍କର ପେଟ, ଛାତି ଓ ବେକରେ ଛୁରାମାଡ ହୋଇଥିବାର ଦେଖିବାକୁ ମିଳିଛି। କୋଠରୀରୁ ପୁଲିସ ଏକ ଛୁରୀ ଓ ସୁଇସାଇଡ଼ ନୋଟ ଜବତ୍ କରିଛି। ଯେଉଁ ନୋଟ୍ରେ ଲେଖାଯାଇଛି “ ମୁଁ ମୋ ହତାଶ ବୋଧ ଜୀବନ ପ୍ରତି ବିତସ୍ପୃତ ହୋଇପଡିଛି, କିଛି ହେବାକୁ ଚାହୁଁଥିଲି, ମାତ୍ର ପରିସ୍ଥିତି ତାହା ସଫଳ କରାଇଲା ନାହିଁ। ମୁଁ ମୋର ଏହି ପରିସ୍ଥିତିରେ କିଛି କରିପାରୁନାହିଁ। ମୋତେ କ୍ଷମା କରିବ। ମୁଁ ତାକୁ କି ନିଜକୁ କାହା ସାଥୀରେ ଦେଖିପାରିବି ନାହିଁ, ବହୁତ ଭଲପାଏ ତାକୁ, ତା ବିନା ରହିପାରିବି ନାହିଁ, ଏଣୁ ବାଧ୍ୟ ହୋଇ ଶେଷରେ ଏହି ରାସ୍ତା ବାଛିବାକୁ ଯାଉଛି। ଆମ ଦୁହିଁଙ୍କର ବିଗତ ଏକବର୍ଷର ଫଟୋ ଓ ତା ୨୮.୦୪.୧୯ ରିଖରୁ ଏପର୍ଯ୍ୟନ୍ତ କଲ୍ ରେକର୍ଡିଂ ରହିଛି। ଆଜିର ଏହି ପରିସ୍ଥିତି କେବଳ ଧର୍ମ ପାଇଁ। ପ୍ରେମ ଭିତରେ ଏହି ଧର୍ମକୁ ଭଗବାନ ରଖିନଥାନ୍ତି କି! ଛାଡ ଏହାର କେବେ ଅନ୍ତ ହେବ ନାହିଁ। ଏହିଭଳି କେତେ ଯେ ଜୀବନ ଓ ଲୋକଙ୍କ ପ୍ରାଣ ଯିବ। ପରିବାର ଲୋକେ ପିଲାମାନଙ୍କର ଏହି ଇଚ୍ଛାକୁ ବୁଝି ଯଦି ବିବାହ କରାଇଦିଅନ୍ତେ, ତେବେ ଧର୍ମ ନାମରେ ଏଭଳି ମୃତ୍ୟୁ ଆସନ୍ତା ନାହିଁ, ଆପଣଙ୍କର ରହିମ୍।” ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି ପ୍ରେମିକର ମା’ ସୋବେଦା ଖାତୁନ। ତାଙ୍କ ପୁଅ ଗତକାଲି ସଂଧ୍ୟାରୁ ଘରୁ ବାହାରି ଫେରିନାହିଁ। ଝିଅର ମାମୁଁ ଉଭୟଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି କୈଳାସ ପରିଡା, ବିକାଶ ଦାସ ଓ ଏସ୍ଡିପିଓ ଜଳନ୍ଧର ଜାଲିଙ୍କ ସମେତ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ, ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ ଓ ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ସନ୍ଧ୍ୟାରେ ପ୍ରେମୀଯୁଗଳଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ଆଜି ସନ୍ଧ୍ୟାରେ ସାଇଣ୍ଟିଫିକ୍ ଟିମ୍ ଉକ୍ତ ଗେଷ୍ଟ ହାଉସ୍ରେ ପହଞ୍ଚି ଘଟଣାର ତଦନ୍ତ କରିଥିବାବେଳେ ଲୁଚି ରହିଥିବା ରହସ୍ୟର ପର୍ଦ୍ଦାଫାଶ ହେବ ବୋଲି ସହରାଞ୍ଚଳ ଥାନାଧିକାରିଣୀ ସରୋଜିନି ସିଂ କହିଛନ୍ତି। ଏହି ଘଟଣାରେ ପୁଲିସ୍ ପକ୍ଷରୁ ଗେଷ୍ଟ ହାଉସ୍ର ଜଣକୁ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି।

Related Posts

About The Author

Add Comment