ଯାଜପୁର/ଜଖପୁରା, ୦୪/୧୨(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଦିନକ ପରେ ଗୃହବନ୍ଦୀରୁ ମୁକୁଳିଲେ ଶିଳ୍ପପତି ରୀତା ସିଂହ। ମୁକୁଳିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରୀତା ସିଂହ। ସେ କହିଛନ୍ତି ଯେ, ଏବେ ସମୟ ବଦଳି ଯାଇଛି। ପୂର୍ବରୁ ଆମକୁ ଇଜ୍ଜତ ମିଳୁଥିଲା। ମୋ ସହ ଏଭଳି ହେବ ବୋଲି କଳ୍ପନା କରିନଥିଲି ବୋଲି କହିଛନ୍ତିରୀତା।
ଏଥିସହିତ ସେ କହିଛନ୍ତି ଯେ, ମୈଥାନ ସହ ମୋର କୌଣସି ସଂପର୍କ ନାହିଁ। ମୁଁ କମ୍ପାନୀ ଏମ୍ଡି ନୁହଁ କି ଅଂଶୀଦାର ନୁହଁ। ସିପ୍ରା ସିଂହ ମୋ ଝିଅ ଓ ସେ ମୈଥାନ କମ୍ପାନୀ ମୁଖ୍ୟ। ମୋତେ ଏମିତି ଏଠି ଅଟକ ରଖିବା ସଂପୂର୍ଣ୍ଣ ଭାବେ ବେଆଇନ। ଏଠି ଶିଳ୍ପପତିମାନଙ୍କୁ ସମ୍ମାନ ଦେବା ଦରକାର, ଉଦ୍ୟୋଗୀଙ୍କୁ ଇଜ୍ଜତ ଦିଅନ୍ତୁ।”
ସୂଚନାଯୋଗ୍ୟ, ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ଥାନା ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା ‘ମୈଥାନ ଇସ୍ପାତ’ କାରଖାନା। ମାତ୍ର ଗତ ୧୧ ମାସ ହେବ କୌଣସି କାରଣ ନଦର୍ଶାଇ କମ୍ପାନୀ ଉତ୍ପାଦନ ବନ୍ଦ ରଖିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କମ୍ପାନୀ ଆଉ ଚାଲିବାର କୌଣସି ସମ୍ଭାବନା ନଥିବାରୁ ବକେୟା ୧୧ ମାସର ଦରମା ଓ ବୋନସ ପାଇଁ ଦୀର୍ଘମାସ ଧରି ଦାବି କରିଆସୁଛନ୍ତି କର୍ମଚାରୀ। ଏନେଇ ବାରମ୍ବାର ବୈଠକ ଫେଲ୍ ମାରିବା ପରେ ଗତକାଲି କମ୍ପାନୀର ଏମ୍ଡି ସିପ୍ରା ସିଂହଙ୍କ ରୀତା ସିଂ ହୋଟେଲ୍ ଥିବା ଜାଣିପାରି କର୍ମଚାରୀମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ।



