ପୁରୀ, ୨୪.୧୦.୨୦୨୧ (ସନ୍ଧାନ ନିଉଜ୍) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୂକୂଲ୍ୟରେ ଶ୍ରୀମଦ୍ ଭାଗବଦଗୀତା ସ୍ୱଧ୍ୟାୟ କାର୍ଯ୍ୟକ୍ରମର ସାପ୍ତାହିକ ସମୀକ୍ଷା କାର୍ଯ୍ୟକ୍ରମ ଗୁଗଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି । ଲୋକସଂସଦର ରାଜ୍ୟ ସମ୍ପାଦକ ଡ. ଚିତ୍ତରଞନ ନାୟକ ମହୋଦୟଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ସଂସଦର ପୂର୍ବସମ୍ଭାଗ ସମ୍ପାଦକ ପ୍ରଫେସର ପ୍ରଳୟ କୁମାର ନନ୍ଦ ପ୍ରାଣାୟମର ରହସ୍ୟ ସମ୍ବନ୍ଧରେ ତାତ୍ତ୍ୱିକ ଉଦ୍ ବୋଧନ ଦେବା ସହିତ ତା’ତ ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ରିୟ ସଂସ୍କୃତ ବିଶ୍ବବିଦ୍ଯାଳୟ ସଦାଶିବ ପରିସର ସର୍ବଦର୍ଶନ ବିଭାଗମୁଖ୍ୟା ପରମବିଦୁଶୀ ପ୍ରଫେସର୍ ଗୌରିପ୍ରିୟା ଦାଶ ଯୋଗଦେଇ ଶ୍ରୀମଦ୍ ଭାଗବଦ୍ ଗୀତାର ବିଷାଦ ଯୋଗର ରହସ୍ୟ ସମ୍ପର୍କରେ ଏକ ସାରଗର୍ଭକ ଉଦ୍ ବୋଧନ ପ୍ରଦାନ କରିବା ସହିତ ବିଷାଦ ଶବ୍ଦର ତାତ୍ପର୍ଯ୍ୟ, ପ୍ରୟୋଜନ, ସମଦର୍ଶିତ୍ୱ,ଅହଙ୍କାରିତା ଓ ଅନାସକ୍ତି ବିଷୟରେ ତାତ୍ତ୍ୱିକ ବ୍ୟାଖ୍ୟାନ ଉପସ୍ଥାପନା କରିଥିଲେ । ବିଷାଦ ଭାବର ଅବଲୋକନ କିପରି ସମ୍ବବ ହେବ ଏବଂ ଜୀବ କିଭଳି ବିଷାଦମୁକ୍ତ ହେଇ ଜୀବନକୁ ପ୍ରସାଦଯୁକ୍ତ କରିପାରିବ ସେ ସମ୍ପର୍କରେ ପ୍ରଫେସର୍ ଦାଶ ଅତ୍ୟନ୍ତ ସରଳ,ସାବଲୀଳ ସଂସ୍କୃତ ଭାଷାରେ ବୁଝେଇ ଉପସ୍ଥିତ ଶ୍ରୋତାମଣ୍ତଳୀଙ୍କୁ ମନ୍ତ୍ରମୁଗ୍ଧ କରେଇଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ଯାଳୟର ପ୍ରାକ୍ତନ ବେଦାନ୍ତ ବିଭାଗ ମୁଖ୍ୟ ତଥା ଲୋକସଂସଦର ପୁରୀ ଜିଲ୍ଲା ସଭାପତି ପ୍ରଫେସର୍ ପ୍ରଭାତରଂଜନ ମହାପାତ୍ର ଉଦ୍ ଯାପନ ସମୀକ୍ଷାତ୍ମକ ବକ୍ତାବ୍ୟ ଉପସ୍ଥାପନ କରିବା ସହ ଗୀତାର ଅରମ୍ଭ ବିଷାଦ ଯୋଗରେ ଏବଂ ସମାପ୍ତି ପ୍ରସାଦ ଯୋଗରେ ବଲି ବକ୍ତବ୍ୟ ଦେଇଥିଲେ । ଗୀତା ସାକ୍ଷାତ ଯୋଗଶାସ୍ତ୍ର ଏବଂ ବ୍ରହ୍ମବିଦ୍ୟାର ପ୍ରତୀକ । ଏଣୁ ଗୀତା ଅଧ୍ୟୟନ ଏବଂ ପ୍ରାଣାୟାମ ସମ୍ପାଦନ ଦ୍ୱାରା ଜୀବନ ଅମୃତମୟ ହୋଇଥାଏ ବୋଲି ସେ କହିଥିଲେ । ଲୋକସଂସଦର ସମ୍ପାଦକ ଡ. ଚିତ୍ତରଞନ ନାୟକ କହିଥିଲେ ଯେ ଏହି ସାରସତ୍ତ୍ୱ କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ଏବଂ ବିଶ୍ୱର କୋଣ ଅନୁକୋଣରେ ଏହି ଦିବ୍ୟଗୀତା ବାଣୀ ବିସ୍ତାର ହେବା ଆବଶ୍ୟକ । ଗୀତାମାତାଙ୍କ କରୁଣାମୟୀ ଦୃଷ୍ଟି ହିଁ ଏହି କାର୍ଯ୍ୟକ୍ରମକୁ ବିଶ୍ୱବ୍ୟାପିନି କରିପାରିବ ବୋଲି ସମସ୍ତେ ଅନୁଭବ କରିଥିଲେ । ଡ. ଯୋଗମୋହନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ସ୍ଥଳେ ଶ୍ରୀଯୁକ୍ତ ଆଦିତ୍ୟ ନାରାୟଣ ଦାଶ ଗୀତାପାରାୟଣ କରିଥିଲେ । ଶେଷରେ ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ ଶାନ୍ତିପାଠ କରିଥିଲେ । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଅନୁଷ୍ଠିତ ଏହି ସାରସ୍ୱତ ଗୀତା ସ୍ୱଧ୍ୟାୟ କାର୍ଯ୍ୟକ୍ରମ ପ୍ରତ୍ୟହ ପ୍ରାତଃ ୫.୩୦ ରେ ଆରମ୍ଭ ହେଇ ୬.୩୦ ରେ ସମାପ୍ତ ହୁଏ ଏବଂ ପ୍ରତ୍ୟେକ ଦିବସରେ ପ୍ରାଣାୟମ, ଗୀତା ପାରାୟଣ ଏବଂ ଉଦ୍ ବୋଧନ କାର୍ଯ୍ୟକ୍ରମ ନିରନ୍ତର ଅନୁଷ୍ଠିତ ହେଇଆସୁଛି ତଥା ଅନୁଷ୍ଠାନର ସଦସ୍ୟବୃନ୍ଦ ଉପସ୍ଥିତ ରହି ଗୀତାମାତାଙ୍କ ସେବାରେ ନିଜକୁ ନିୟୋଜିତ କରୁଛନ୍ତି ।
ଗୀତା ସ୍ୱଧ୍ୟାୟ କାର୍ଯ୍ୟକ୍ରମ
|
October 24, 2021 |
