ଭୁବନେଶ୍ଵର, ୨୯/୧/୨୦ (ସନ୍ଧାନ ନିଉଜ) : ମୋଟର୍ ସାଇକେଲ୍ ଚୋରି ହେଲେ ଏଣିକି ଅନ୍ଲାଇନ୍ ମାଧ୍ୟମରେ ଦେଇହେବ ଏତଲା। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପରେ ଏହି ସୁବିଧା ମିଳିବ। ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ପାଇଁ ପୋଲିସ, ଡାକ୍ତରଖାନା, ଆର୍ଟିଓ ଓ ବୀମା କାର୍ଯ୍ୟାଳୟ ଆଉ ଦୌଡ଼ିବାକୁ ପଡିବନି। ‘ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡ୍ୟୁଲ୍’ ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ। ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଲାଇନ୍ରେ ମିଳିଯିବ। ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ଓଡ଼ିଶା ପୋଲିସ୍ର ଏହି ତିନିଟି ଗୁରୁତ୍ବପୂର୍ଣ୍ଣ ସେବା ଯୋଡ଼ି ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନିଟି ସେବାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଜିର ତିନିଟି ସେବା ଦ୍ଵାରା ଏଣିକି ଲୋକଙ୍କୁ ଅଯଥାରେ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ‘ଭର୍ଚୁଆଲ୍ ପୋଲିସ୍ ଷ୍ଟେସନ୍’ ବ୍ୟବସ୍ଥା ଅନୁଯାୟୀ ଏହା ଏକ ଅନ୍ଲାଇନ୍ ବ୍ୟବସ୍ଥା। ଭୁବେନଶ୍ଵରରେ କ୍ରାଇମ୍ ରେକର୍ଡ ବ୍ୟୁରୋରେ ଏହା କାର୍ଯ୍ୟ କରିବ। ଗାଡ଼ି ଚୋରି ହୋଇଗଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯାଇ ଏତଲା ଦେବାକୁ ପଡ଼ିବନି। ନିଜ ମୋବାଇଲ୍ ଯୋଗେ ଅନ୍ଲାଇନ୍ରେ ପୋଲିସ୍କୁ ଅଭିଯୋଗ ପଠାଇ ପାରିବେ। ପୋଲିସ୍ ଅନ୍ଲାଇନ୍ରେ ହିଁ ଏତଲାକୁ ପଞ୍ଜୀକରଣ କରି ତଦନ୍ତ କରିବ। ଚୋରି ଗାଡ଼ିର ସନ୍ଧାନ ନ ମିଳିଲେ ୨୧ ଦିନ ପରେ ଚୂଡ଼ାନ୍ତ ଫର୍ମ ସିସିଟିଏନ୍ଏସ୍ରେ ଜେନେରେଟ୍ ହେବ। ମୋଟର୍ ସାଇକେଲ୍ ଚୋରି କ୍ଷେତ୍ରରେ ବୀମା ଦାବି ପାଇଁ ଏହା ସହାୟକ ହେବ। ଜଣେ ବ୍ୟକ୍ତି ଚାହିଁଲେ ସିଟିଜେନ୍ସ୍ ପୋର୍ଟାଲ୍ କିମ୍ବା ସହାୟତା ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଏତଲା ଦେଇପାରିବେ।