ଗଣମାଧ୍ୟମ ଉପରେ ଅଙ୍କୁଶ କାହିଁକି ?

Spread the love
  •  
  •  
  •  
  •  
  •  
ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଏବେ ସତରେ ହରଡ଼ଘଣାରେ ! ହଁ, ନିରାଟ ସତ୍ୟ ପରିବେଷଣ କରିବାରେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରର ପ୍ରତିଷ୍ଠିତ ଗଣମାଧ୍ୟମ ମଧ୍ୟ ନିଜର ଖବର ପରିବେଷଣକୁ ନେଇ ଚର୍ଚ୍ଚାରେ ରହିଆସିଛି। କାରଣ ଖବର ପରିବେଷଣରୁ ଏବେର ସତର୍କ ଦର୍ଶକ ସ୍ପଷ୍ଟ ଅନୁମାନ କରିପାରୁଛନ୍ତି ଯେ; ନ୍ୟୁଜ୍ ଚ୍ୟାନେଲ କାହା ସପକ୍ଷରେ କିମ୍ବା ବିପକ୍ଷରେ। ଆଜି ଏବିଷୟରେ ଲେଖିବାର ମୂଳ ବିଷୟ ହେଲା ରାଜ୍ୟ ସରକାର କ’ଣ ସତରେ ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ? ଖବର ପ୍ରସାରଣ ନିଜ ମନମୁତାବକ କରିବାକୁ ଚାହୁଁଛନ୍ତି ?
ମୋର ଶୀର୍ଷକ ଅନୁଯାୟୀ ଏବେ ଲଢେଇ No.1 Vs No.1 ଭିତରେ। ମାନେ ଗୋଟିଏ ପଟେ ରାଜ୍ୟର ଲୋକପ୍ରିୟ ସରକାର ଏବଂ ଅନ୍ୟ ପଟେ ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ । ଉଭୟ ପକ୍ଷର ତିକ୍ତତା ଏବେ ଏତେ ଅଧିକ ଯେ, ନ୍ୟୁଜ୍ ଚ୍ୟାନେଲ ଏବେ ଖୋଦ ଖବର ! କଥା ଯାଇ ଥାନାରେ ପହଁଞ୍ଚିଲାଣି। ଆଉ ସରକାରୀ ବାବୁ ମଧ୍ୟ କ୍ଷମତା କେନ୍ଦ୍ରର ଇସାରାରେ ଗଣମାଧ୍ୟମର କଣ୍ଠରୋଧ କରୁଥିବାର ବିବାଦ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକି ଗଣତନ୍ତ୍ର ପାଇଁ ଆଦୈ ଶୁଭଙ୍କର ନୁହେଁ।
ଯେଉଁ ଦର୍ଶକମାନେ, ଲଗାତାର ଭାବରେ ଉଭୟ No.1ଙ୍କ ଉପରେ ନଜର ରଖିଛନ୍ତି, ସେମାନଙ୍କର ହୁଏତ ମନେଥିବ; ଦିନଥିଲା ଏ No.1 ସେ No.1କୁ କେତେ ପ୍ରାଥମିକତା ଦେଇ ଆସୁଥିଲା, ତାହା କାହାକୁ ଅଛପା ନଥିଲା। ଏମିତିକି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ No.1 ପ୍ରତିନିଧି ନ ଆସିବା ଯାଏଁ No.1 ଦଳର ନେତାମାନେ ତୁଣ୍ଡ ଖୋଲୁ ନଥିଲେ। କିନ୍ତୁ ଯେବେଠୁ ଉଭୟ ପକ୍ଷର କ୍ଷମତା କେନ୍ଦ୍ର ମଧ୍ୟରେ ମତାନ୍ତର ଆଉ ମନାନ୍ତର ହେଲା, ସେବେଠାରୁ ଉଭୟ ଉଭୟଙ୍କ ଛାଇ ପଡ଼ିଲେ ଚିହିଁକି ଉଠିଛନ୍ତି। ଏପରିକି ପ୍ରଥମେ ଥର ପାଇଁ ଏକ ସରକାରୀ ଦଳ ଏକ ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲକୁ ସାମ୍ବାଦିକ ସମ୍ମିଳନୀ ଡ଼ାକି ବୟକଟ କଲା। ଆଉ ସେବେଠାରୁ ଚାଲିଆସୁଥିବା ଛାୟା ଯୁଦ୍ଧ, ବିସ୍ପୋରକ ରୂପ ନେବା ପରେ ଏବେ ରାଜ୍ୟବାସୀଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏକ ଖବର ପ୍ରସାରଣ(COVID-19 ଆକ୍ରାନ୍ତଙ୍କ ଅଡିଓ ରେକଡିଂ ଭାଇରାଲ୍) ନେଇ ସରକାର/BMC ଏତେ କ୍ଷୁବ୍ଧ ଯେ, କଥା ଯାଇ ଥାନାରେ, ୩/୪ ଦଶନ୍ଧିରୁ ସାମ୍ବାଦିକତା କରି ଆସୁଥିବା ବରିଷ୍ଠ ସାମ୍ବାଦିକଙ୍କ ମତରେ, ଏପରି କରି‌ ସରକାର ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛନ୍ତି,‌ ଯାହାକି କଦାପି ଗ୍ରହଣୀୟ ନୁହେଁ। ଯଦି ସତରେ ସରକାର ଏପରି କରିବାକୁ ଚାହୁଁଛନ୍ତି, ସେ ସିନା‌ ଗଣମାଧ୍ୟମ ସଂସ୍ଥା ଉପରେ ଲଗାମ କଷିବେ କିନ୍ତୁ ନିର୍ଭୀକ ସାମ୍ବାଦିକମାନଙ୍କୁ ଚୁପ୍ କରାଇ ପାରିବେ ନାହିଁ। ବଡ଼ କଥା ହେଲା, ଏସବୁ ଦ୍ବାରା ଯାହା ସତ ତାହା ତ ଆଗକୁ ଆସି ପାରୁନାହିଁ ବରଂ ସରକାର ଆଉ ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲର ବ୍ୟକ୍ତିଗତ କନ୍ଦଳ ଭିତରେ ସାମ୍ବାଦିକତା ସ୍ବାଧୀନତାର ମଜାକ୍ ବନୁଛି।
ସେ ଯେ କୌଣସି ସରକାର ହୁଅନ୍ତୁ ଗଣମାଧ୍ୟମର କାର୍ଯ୍ୟରେ ହସ୍ତକ୍ଷେପ, କଦାପି ଗ୍ରହଣୀୟ ନୁହେଁ। ସରକାର ଏପରି କରିବା ଫଳରେ ଓଲଟି ଜନତାଙ୍କ ନିକଟରେ ନିଜ ଛବି ମଳିନ କରୁଛନ୍ତି। ସରକାର ମନେ ରଖିବା ଉଚିତ, ଯଦି ଆପଣଙ୍କ କାମରେ, ନେତୃତ୍ବରେ ବିଶ୍ୱାସ ରଖି ଲୋକମାନେ ଆପଣଙ୍କୁ No.1 ପଦରେ ବସାଇଛନ୍ତି, ସେପରି ଏକ ନ୍ୟୁଜ୍ ଚ୍ୟାନେଲର ଖବର ପ୍ରସାରଣକୁ ଭରସା କରି ତାକୁ ମଧ୍ୟ TRPରେ No.1 କରିଛନ୍ତି।
ଶେଷରେ ଏତିକି କୁହାଯାଇପାରେ ଜନତା ଜନାର୍ଦ୍ଦନ। ସେ ହଁ ନିର୍ଣ୍ଣୟ କରିଆସିଛି ଆଉ ନିର୍ଣ୍ଣୟ କରିବ କିଏ ଠିକ କିଏ ନୁହେଁ। କାରଣ ସେମାନଙ୍କ ସ୍ବାର୍ଥ ପାଇଁ ଦିନେ କି ନିର୍ବାଚନ ସମୟରେ ନୁହେଁ, ସଦାସର୍ବଦା, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଜି ଯାଏଁ କିଏ ସ୍ଵର ଉତ୍ତୋଳନ କରି ଆସିଛି, ସେକଥା ଜନତା ବେଶ ଭଲଭାବରେ ଜାଣନ୍ତି।

Related Posts

About The Author

Add Comment