ଭୁବନେଶ୍ୱର, ୨୧/୯ (ସନ୍ଧାନ ନିୟୁଜ ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଧ୍ୟମ ହେବ ରେଡିଓ । ରେଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି କହିବେ ‘ମନ୍ କି ବାତ୍’ । ରାଜ୍ୟର ୧୦ଟି କୃଷି ବିଜ୍ଞାନ କେନ୍ଦ୍ରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଅନୁମତି ଦେବାକୁ ଯାଉଥିବାରୁ ଖୁବଶୀଘ୍ର ଏହି ରେଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପାଖକୁ ନିଜ ବାର୍ତ୍ତା ନେଇ ପହଞ୍ଚିବେ ବୋଲି ସୂଚନା ମିଳିଛି । ଏହାଛଡ଼ା ଆସନ୍ତା ୨୭ରେ ନ୍ୟାସନାଲ ଜିଓଗ୍ରାଫିକ ଚାନେଲରେ ମଧ୍ୟ ଆସିବେ ନବୀନ । ‘ଫୋନି’ ମୁକାବିଲାରେ ରାଜ୍ୟ ସରକାରଙ୍କ ନିଷ୍ଠା ଓ ସଫଳତା କଥା ସେ ନିଜ ତୁଣ୍ଡରେ କହିବେ । ଏ ସୋ ନେଇ ଚାନେଲ ପକ୍ଷରୁ ଜାରି ହୋଇଛି ଟିଜର୍।
କେନ୍ଦ୍ର ସରକାର ୧୦ଟି ଜିଲ୍ଲାରେ ଗୋଷ୍ଠୀ ରେଡିଓ ପାଇଁ ଅନୁମତି ଦେବାକୁ ଯାଉଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡ଼ । ଏହି ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମରେ ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନଙ୍କୁ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ସଂସ୍କୃତି ଆଦି ସଂପର୍କରେ ଆବଶ୍ୟକ ସୂଚନା ଓ ତଥ୍ୟ ସମ୍ବଳିତ ପରାମର୍ଶ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଭଳି ପ୍ରତି ମାସରେ ଥରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ‘ଆପଣଙ୍କ ପାଇଁ’ ପ୍ରସାରଣ କରାଯିବ । ଏହାର ସମୟସୀମା ୧୦ ମିନିଟ୍ ଧାର୍ଯ୍ୟ ହୋଇଛି । କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତବିଭିନ୍ନ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଏହି ରେଡିଓ ମାଧ୍ୟମରେ ନିଜର ବାର୍ତ୍ତା ଦେବେ ।
ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି କମ୍ୟୁନିଟି ରେଡିଓରେ ସ୍ଥାନୀୟ ଭାଷାର ବ୍ୟବହାର ଓ ବାସ୍ତବ ସମୟ ସୂଚନା ଯୋଗୁଁ ଏହା ଜନସାଧାରଣଙ୍କ ବିଶେଷ ଉପଯୋଗୀ ହୋଇପାରିବ । ଏହି କାର୍ଯ୍ୟକ୍ରମ ଦୈନିକ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପ୍ରସାରିତ ହେବ । ସନ୍ଧ୍ୟା ୮ଟା ଓ ୯ଟାରେ ଏହାର ପୁନଃ ପ୍ରସାରଣ ପାଇଁ ପ୍ରସ୍ତାବ ରହିଛି । ଏହି କାର୍ଯ୍ୟକ୍ରମ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରିଚାଳିତ ହେବ । କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣମୂଳକ ନୀତି ଓ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିବ । ଏହାଛଡ଼ା ବିଭିନ୍ନ ଗବେଷଣା ସଂସ୍ଥାର ସମାଧାନ ପନ୍ଥା ସହ ବିଭିନ୍ନ ଜରୁରୀ ସୂଚନା ଓ ଉପଦେଶ ଆକାରରେ ଜନସାଧାରଣଙ୍କୁ ପ୍ରଦାନ କରିବ ।
ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯାଇ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ମଧ୍ୟ ଗୋଷ୍ଠୀ ରେଡିଓରେ ସୂଚନା ଦିଆଯିବ । କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଭିତ୍ତିଭୂମି ପରିଚାଳନା, କୃଷକ ସଙ୍ଗଠନଗୁଡ଼ିକୁ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ । ଏହାସହ ଗ୍ରାମାଞ୍ଚଳର କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଙ୍ଗଠନଗୁଡ଼ିକୁ ମୁଖ୍ୟତଃ ସୂଚନା ପ୍ରଦାନ କରାଯିବ । ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମର ଫୋକସରେ ବାଳିକା ଓ ଗ୍ରାମାଞ୍ଚଳର ମହିଳା, ଯୁବକ, ଆଦିବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ରହିବେ । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି ।
ଗ୍ରାମାଞ୍ଚଳରେ କୃଷକମାନଙ୍କୁ ଜରୁରୀ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ‘ବିଜୁ ଗାଁ ରେଡିଓ’ ଆରମ୍ଭ କରିବାକୁ ୨୦୧୬ ଅଗଷ୍ଟରେ ଅଣ୍ଟା ଭିଡ଼ିଥିଲେ । ଏହା ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇଥାନ୍ତା । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତା । ମାତ୍ର ରାଜ୍ୟ ସରକାର ପ୍ରସ୍ତାବିତ ୩୧ ଗୋଷ୍ଠୀ ରେଡିଓ ଷ୍ଟେସନ ପାଇଁ ଲାଇସେନସ୍ ଆବେଦନ କରିଥିଲେ ମଧ୍ୟ ଏଯାଏ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଲାଇସେନସ୍ ଦେଇ ନଥିଲା । ଏବେ ପୁନର୍ବିଚାର କରି ୧୦ଟି କେନ୍ଦ୍ରକୁ ଲାଇସେନସ୍ ଦେବାକୁ ସମ୍ମତି ପ୍ରଦାନ କରିଛି । ‘ବିଜୁ ଗାଁ ରେଡିଓ’ ବଦଳରେ ‘ଆମ ଗାଁ ରେଡିଓ’ ନାମ ରହିବ ବୋଲି ସୂଚନା ମିଳିଛି ।
ସେହିଭଳି ଜାତୀୟସ୍ତରରେ ନବୀନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନ୍ୟାସନାଲ ଜିଓଗ୍ରାଫିକ ଚାନେଲରେ ‘ଫୋନି’ ସଂପର୍କରେ ଏହି ସୋ’ ପ୍ରସାରିତ ହେବ । ନବୀନ ନିବାସ ସହ ରାଜ୍ୟର ବାତ୍ୟା ପୀଡ଼ିତ ଅଞ୍ଚଳରେ ଏହାର ସୁଟିଂ କରାଯାଇଛି । ୧୯୯୯ ମହାବାତ୍ୟା ଏବଂ ୨୦୧୯ ‘ଫୋନି’ ମଧ୍ୟରେ ତୁଳନାତ୍ମକ ଚିତ୍ର ଏଥିରେ ପ୍ରଦର୍ଶିତ କରାଯିବ ବୋଲି ସୂଚନା ମିଳିଛି ।