ରସୁଲପୁର,୨୩/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକରୁ କୋରେଇ ନିର୍ବାଚନ ମଣ୍ଡଳିରେ ୯ଗୋଟି ପଂଚାୟତ ସାମିଲ ହୋଇଛି । ବିଧାୟକ ଆକାଶ ଦାସନାୟକ ସେମାନଙ୍କ ସମର୍ଥକଙ୍କୁ ନେଇ ଶୁକ୍ରବାର ଏକ ସମ୍ମିଳନୀ ଆୟୋଜନ କରିଥିଲେ । ଏଠାରେ ବିଧାୟକଙ୍କ ଟିକେଟକୁ ନେଇ ସମର୍ଥକ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରିହୋଇ ପଡୁଥିଲା । ଏଥି ପୂର୍ବରୁ ନିର୍ବାଚନ ମଣ୍ଡଳିର ବ୍ୟାସନଗର ପୌରପରିଷଦରେ ଆୟୋଜିତ ସମ୍ମିଳନୀରେ ସମର୍ଥକଙ୍କ ମନରେ ସମାନ ପ୍ରଶ୍ନ ଆସିଥିଲା । ବିଧାୟକଙ୍କୁ ଟିକେଟ ନମିଳିଲେ ସମର୍ଥକ ମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଟିକେଟକୁ ନେଇ ସମର୍ଥକଙ୍କ ମଧ୍ୟରେ ରହିଆସୁଥିବା ସଂଶୟକୁ ବିଧାୟକ ଦୂର କରିବାକୁ ପ୍ରୟାସ କରିଥିଲେ ।
ଏହି ବ୍ଲକର ମଧୁବନଠାରେ ଆୟୋଜିତ ସମ୍ମିଳନୀରେ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ବିଧାୟକ ମୁର୍ଖ ବୋଲି କହିଥିଲେ । ଯେଉଁମାନେ ସେମାନଙ୍କଠାରୁ ଶୁଣି ବାହାରେ ପ୍ରଚାର କର୍ୁଛନ୍ତି ସେମାନଙ୍କୁ ମହାମୁର୍ଖର ଆଖ୍ୟା ଦେଇଥିଲେ । ତାଙ୍କୁ ଟିକେଟ ନିଶ୍ଚୟ ମିଳିବ ବୋଲି ଦୃଢୋକ୍ତ ପ୍ରକାଶ କରିଥିଲେ । ଏହା ସତ୍ୱେ ବି ବିଧାୟକ ଟିକେଟକୁ ନେଇ କଳ୍ପଜଳ୍ପନା ଲାଗି ରହିଛି । କୋରେଇ ନିର୍ବାଚନ ମଣ୍ଡଳିରେ ଇତିହାସର ପୁନରାବୃତ୍ତି ଘଟିବ ବୋଲି ଅଶଙ୍କା ପ୍ରକାଶ ପାଇଛି ।
୨୦୧୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରତିରଂଜନ ଘଡେଇଙ୍କୁ କୋରେଇ ବଦଳରେ ପଡୋଶୀ ସୁକିନ୍ଦା ନିର୍ବାଚନ ମଣ୍ଡଳିରେ ଥଇଥାନ କରାଯାଇଥିଲା । କୋରେଇ ନିର୍ବାଚନ ମଣ୍ଡଳି ଟିକେଟ ଆକାଶଙ୍କୁ ଉପହାର ସ୍ୱରୂପ ମିଳିଥିଲା । ମାତ୍ର ସେ ବିଧାୟକ ହେବା ପରେ ତାଙ୍କର ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାର ପ୍ରଭାବ ୨୦୧୭ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୋରେଇ ବ୍ଲକ ଅଧିନରେ ୨୮ଗୋଟି ପଂଚାୟତ ରହିଛି । ରସୁଲପୁର ବ୍ଲକରୁ ୯ଗୋଟି ଓ ବ୍ୟାସନଗର ପୌରପରିଷଦକୁ ନେଇ ନିର୍ବାଚାନ ମଣ୍ଡଳି ସୀମା ନିର୍ଦ୍ଧାରନ ହୋଇଛି । କୋରେଇ ବ୍ଲକରେ ଆକାଶଙ୍କ ସମର୍ଥକ ୧୩ଟି ପଂଚାୟତରେ ସରପଂଚ ଓ ୧୧ଗୋଟି ପଂଚାୟତରେ ସମିତିସଭ୍ୟ ବିଜୟ ଲାଭ କରିଥିବା ବେଳେ ୧୫ଟି ପଂଚାୟତର ସରପଂଚ ଓ ୧୭ଟି ପଂଚାୟତର ସମିତି ସଭ୍ୟାସଭ୍ୟ ହାରି ଯାଇଥିଲେ । ଏଥିରୁ କଂଗ୍ରେସକୁ ଫାଇଦା ମିଳିଥିଲା । ସେତେବେଳେ କଂଗ୍ରେସର ନେତୃତ୍ୱ ନେଉଥିବା ଯୁବ ନେତା ବିଶ୍ୱଜିତ୍ ନାୟକ ପଂଚାୟତତ ସମିତି ଦଖଲ କରିଥିଲେ । ଦଳଡିଆଁ ପର୍ବରେ ବିଶ୍ୱଜିତ ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି । ହେଲେ ଏବେ ବି ସମିତି ତାଙ୍କ ଦଖଲରେ ରହିଛି । ଏଥିସହ ରସୁଲପୁର ବ୍ଲକର ୯ଗୋଟି ପଂଚାୟତରୁ ୬ଗୋଟି ପଂଚାୟତରେ ବିଧାୟକ ସମର୍ଥ ଜିତିଥିଲେ । ମାତ୍ର ସେଥିରୁ ସେ ଫାଇଦା ନେବାରେ ବିଫଳ ହୋଇଥିଲେ ।
ଏହି ବ୍ଲକରେ ପ୍ରଣବ ବଳବନ୍ତରାଏଙ୍କ ସମର୍ଥକ ଅଧ୍ୟକ୍ଷା ପଦ ହାତେଇ ଥିବା ବେଳେ ଡାନି ବାବୁଙ୍କ ସମର୍ଥକ ଉପାଧ୍ୟକ୍ଷ ପଦବୀରେ ଆସୀନ ହୋଇଥିଲେ । ଆକାଶଙ୍କ ହାତରୁ ସୁଯୋଗ ହାତଛଡା ହୋଇଯାଇଥିଲା । ସେହିପରି ବ୍ୟାସନଗର ପୌରପରିଷଦରେ ବିଜେଡି ଦଳର ଗୋଷ୍ଠି କନ୍ଦଳ ରୋଚକ ସ୍ଥିତିରେ ପହଁଚିଥିଲା । ଏହାର ସୁପରିଚାଳନାଗତ ତ୍ରୁଟି ଯୋଗୁଁ ପୌରପରିଷଦ ଅଂଚଳରେ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଯିଥିଲା । ଏ ସବୁ ଘଟଣା ବିଧାୟକଙ୍କ ପାଇଁ କାଳ ହେବ ବୋଲି କୁହାଯାଉଛି । ସାଂଗଠନିକ ଦକ୍ଷତାର ଦୁର୍ବଳତାକୁ ଦଳ ମାପକାଠି କରିବାକୁ ଚିନ୍ତା କରୁଛି । ଏହି ଆଧାରରେ ଆକାଶଙ୍କ ଟିକେଟ କଟିବାକୁ ଦଳ ଚିନ୍ତା କରୁଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।
ଏହାଛଡା ନିର୍ବାଚନ ମଣ୍ଡଳିର ଇତିହାସକୁ ଅବଲୋକନ କଲେ ଜଣାଯାଏ ସ୍ୱର୍ଗତ ଅଶୋକ ଦାସଙ୍କୁ ଭୋଟର ଏକାଧିକ ଥର ବିଧାୟକ ହେବାର ସୁଯୋଗ ଦେଇଛନ୍ତି । ତାକୁ ଛାଡିଦେଲେ ପ୍ରଫୁଲ ଘଡେଇ, ଚିତ୍ତରଂଜନ ନାୟକ, ରାମଚନ୍ଦ୍ର ଖୁଂଟିଆ, ସଂଚିତା ମହାନ୍ତି, ପ୍ରତିରଂଜନ ଘଡାଇ ପ୍ରମୁଖଙ୍କୁ ଥରେ ଲେଖାଏଁ ବିଧାୟକ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରତିରଂଜନ ଘଡେଇଙ୍କୁ ଛାଡିଦେଲେ ଅନ୍ୟମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମାତ୍ର ଜନତାଙ୍କ ସମର୍ଥନ ହଜାତେଇବାରେ ବିଫଳ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରତିରଂଜନ ଘଡାଇଙ୍କୁ ଟିକେଟ ମିଳି ନଥିଲା । ଏ ନେଇ ନିର୍ବାଚନ ପୂର୍ବରୁ ପ୍ରଚାର ବି ହେଉଥିଲା । ସେତେବେଳେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପ୍ରତିରଂଜନ ବି ସମାନ ଉପାୟ ଆପଣେଇ ଥିଲେ । କର୍ମମାନଙ୍କୁ ନେଇ ସମାବେଶ କରିଥିଲେ । ମାତ୍ର ଶେଷରେ ସେ ଟିକେଟରୁ ବଂଚିତ ହୋଇଥିଲେ । ତାଙ୍କ ବଦଳରେ ସିନେ ତାରକା ଆକାଶ ଦାସନାୟଙ୍କୁ ଟିକେଟ ମିଳିଥିଲା । ଏବେ ନିର୍ବଚନ ମଣ୍ଡଳିରେ ସାମନ ସ୍ଥିତି ଉପୁଯିଛି । ବିଧାୟକ ଦାସନାୟକଙ୍କ ଟିକେଟ କଟିବାକୁ ନେଇ ସମାନ ସ୍ଥିତି ଉପୁଯି ପାରେ ବୋଲି ରାଜନୈତିକ ବିଶେଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି । ଦଳ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଟିକେଟ ଦେଇ ବିଧାୟକଙ୍କ ଦୁର୍ବଳ ନେତୃତ୍ୱକୁ ଘୋଡାଇବାକୁ ପ୍ରୟାସ କରିବ ବୋଲି ଆଲୋଚନା ହେଉଛି । ନବୀନଙ୍କ ସହ ରହିଛି ଆକାଶଙ୍କ ଘନିଷ୍ଠ ସମ୍ପର୍କ ଆଲୋଚନା ହେଉଛି ।
ଏହାଛଡା ଏହି ନିର୍ବଚାନ ମଣ୍ଡଳିର ରାଜନୈତିକ ଘଟଣାକ୍ରମକୁ ଲକ୍ଷ୍ୟକଲେ ବିଧାୟକଙ୍କୁ ହଟାଇବା ପାଇଁ ପଂଚାୟତ ନିର୍ବାଚନ ସମୟରୁ ପ୍ରୟାସ ଆରମ୍ଭ ହୋଇଛି । ଏଭଳି ପ୍ରୟାସ ଦଳ ଭିତରୁ ଆରମ୍ଭ ହୋଇଛି । ଯାହାର ଫାଇଦା କଂଗ୍ରେସକୁ ଯାଇଛି । ଦଳ ମଧ୍ୟରେ ଦିନକୁ ଦିନ ଗୋଷ୍ଠି କନ୍ଦଳ ତୀବ୍ର ହେବାରେ ଲାଗିଛି । ବିଜେଡି କର୍ମୀମାନେ ୪ଟି ଗୋଷ୍ଠିରେ ବିଭାଜିତ ହୋଇ ରହିଛନ୍ତି । ଏ ସବୁ ଗୋଷ୍ଠି ଆଳରେ ନିଜର ସମର୍ଥକମାନଙ୍କୁ ବିଧାୟକ ପ୍ରତିରଂଜନ ଘଡେଇ, ପ୍ରଣବ ପ୍ରକାଶ ଦାସ, ଆକାଶ ଦାସନାୟକ ଓ ବିଜେଡି ନେତା ଅଶୋକ ବଳ ପୃଥକ ପୃଥକ ଭାବରେ ପରିଚାଳନା କର୍ୁଛନ୍ତି । ଦଳର ଗୋଷ୍ଠି ବିଭାଜନ ବିରୋଧୀଙ୍କ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରୁଛି । ଟିକେଟ ପରିବର୍ତ୍ତନ ନକଲେ କାଳେ ଏହି ଆସନଟି ଦଳ ହାତରୁ ଖସିଯିବ ସେ ଭୟ ମୁଖିଆଙ୍କୁ ଘାରିଛି । ତେବେ ଏ ସଂପର୍କରେ ବିଧାୟକ ଆକାଶ ଦାସନାୟକଙ୍କୁ ପଚାରିବାରୁ ସେ ଟିକେଟ ନିଶ୍ଚିତ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ଏହି ଛଳରେ ନବୀନ ପଟ୍ଟାନୟକ ତାଙ୍କୁ ପୁଅ ଭଳି ଦେଖନ୍ତି ଏବଂ ତାଙ୍କ ଉପରେ ସେ ଭରସା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
Report J Rout, Rasulpur