କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରବ ଭେଟି, ଦେଲେ ୫୪୫ କୋଟି ଟଙ୍କାର ପ୍ରକଳ୍ପ

Spread the love

ଭୁବନେଶ୍ବର/କୋରାପୁଟ  ୨୨/୧୨/୨୫ (ସନ୍ଧାନ ନ୍ୟୁଜ):  ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି  ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୫  ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ କହିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୫୪୫ କୋଟି ଟଙ୍କା ମୂଲ୍ୟର ୮୬ ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୪ କୋଟି ଟଙ୍କା ମୂଲ୍ୟର ୧୬ ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସବୁ ପ୍ରକଳ୍ପ ମଧ୍ୟରେ ଜଳସେଚନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, କ୍ଷୁଦ୍ର ଶିଳ୍ପ, ଅର୍ବାନ ହଷ୍ଟେଲ, ବ୍ରିଜ, ରୋଡ଼, ମିଶନ ଶକ୍ତି ଭବନ, ବନ ସୁରକ୍ଷା ସମିତି ବିଲ୍ଡିଂ, ଅତିରିକ୍ତ ଶ୍ରେଣୀ ଗୃହ ଆଦି ଅନେକ ପ୍ରକଳ୍ପ ରହିଛି । ଏହି ସବୁ ପ୍ରକଳ୍ପ ଗୁଡିକ କୋରାପୁଟର ବିକାଶକୁ ଆଗେଇ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମଞ୍ଚରେ ଆୟୋଜିତ ଏହି ୫ ଦିନିଆ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ଶହିଦ ଲକ୍ଷ୍ମଣ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ  ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେ ଯେ ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର  କୋରାପୁଟ ଜିଲ୍ଲା ପ୍ରକୃତିର ଅନନ୍ୟ ବରଦାନ ଭାବେ ସାରା ବିଶ୍ଵରେ ପରିଚିତ । କୋରାପୁଟ ମାଟି ସମାଜରେ  ଶାନ୍ତି, ସରଳତା ଓ ଭଲପାଇବାର ମହକ ବାଣ୍ଟି ଥାଏ । କୋରାପୁଟ ମାଟିର ଉତ୍ପାଦିତ କଫି, କଳା ଜୀରା ଧାନ ଏବଂ କୋଟପାଡ଼ର ଶାଢୀ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶ ବିଦେଶରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ ।  ସେ ପୁଣି କହିଥିଲେ ଶ୍ରୀ ଅନ୍ନ ଭାବେ ପରିଚିତ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ମଧ୍ୟ କୋରାପୁଟ ଜିଲ୍ଲାର ସୁନାମ ରହିଛି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ଶ୍ରୀ ଅନ୍ନ ଅଭିଯାନରେ ପ୍ରାୟ ୭୨ ହଜାର ହେକ୍ଟର ଜମିରେ ମିଲେଟ ଜାତୀୟ ଫସଲ ଚାଷ କରାଯାଉଛି । ମିଲେଟ ଜାତୀୟ ଚାଷ କ୍ଷେତ୍ରରେ ଜିଲ୍ଲାର ଅଗ୍ରଣୀ ମହିଳା ଚାଷୀ ତଥା ସଂରକ୍ଷକ ଡ଼. ରାଇମତି ଘିଉରିଆଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାରଙ୍କ ମନ୍ତ୍ର ହେଉଛି ବିକାଶ ବି ବିରାସତ ବି । କୋରାପୁଟ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ସୁଦୃଢ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଜିଲ୍ଲାର ଚାଷୀ ମାନଙ୍କୁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ଗୋପାଳ, କୁକୁଡ଼ା ଓ ବତକ ପାଳନ ପରି ଆନୁଷଙ୍ଗିକ କୃଷି  କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

Related Posts

About The Author

Add Comment