ରାଇରଙ୍ଗପୁର, 17.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- କୂଅରୁ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ। ଗ୍ରାମରେ ଥିବା ଏକ କୂଅରେ ଧୋତି ସାହାଯ୍ୟରେ ଫାସୀ ଲଗାଇ ବୃଦ୍ଧ ଜଣକ ଝୁଲିଥିଲେ । ତେବେ ଧୋତି ଛିଣ୍ଡି ଯିବାରୁ ବୃଦ୍ଧ ଜଣଙ୍କୁ କୂଅରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। କୂଅରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେବାରୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ବୃଦ୍ଧ ଜଣଙ୍କ ସେହି ଗ୍ରାମର ୭୨ ବର୍ଷ ବୟସ୍କ ଶିବ ଚରଣ ମହାନ୍ତ ବୋଲି ଜଣାପଡିଛି। ତେବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧ ଜଣଙ୍କ ଦିବ୍ୟାଙ୍ଗ ଏବଂ ତାଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭଲ ଭାବରେ କାମ କରୁନଥିବାରୁ କେମିତି ସେ ଧୋତି ସାହାଯ୍ୟରେ କୂଅରେ ଫାସୀ ଲଗାଇ ପାରିଲେ ତାକୁ ନେଇ ସନ୍ଦେହ ଦୂର ହେଉନାହିଁ । ଧୋତିଟି ମଧ୍ୟ ଛିଣ୍ଡି ଯିବା ଘଟଣାକୁ ଦେଖିଲେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ ବୃଦ୍ଧ ଜଣକ ରାତି ପ୍ରାୟ ଆଠଟା ପର୍ଯ୍ୟନ୍ତ ଘରେ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ତେବେ ପୋଲିସର ତଦନ୍ତ ପରେ ଓ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗାଁରେ ଚର୍ଚ୍ଚା ହେଉଛି ।



