କାହିଁକି ଅଚାନକ ବିଦା ହେଲେ ପ୍ରଣବ

Spread the love
ଭୁବନେଶ୍ୱର, ୨୪/୯ (ସନ୍ଧାନ ନିୟୁଜ) : ସରକାରୀ ଉପମୁଖ୍ୟ ସଚେତକ ପଦବୀରେ ନିଯୁକ୍ତିକୁ ୪ମାସ ନପୁରୁଣୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଅବସ୍ଥାପିତ କରାଯାଇଛି। ତେବେ ପ୍ରଣବଙ୍କୁ ଅଚାନକ ତାଙ୍କ ପଦରୁ ହଟାଯିବା ସମ୍ପର୍କରେ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ମଧ୍ୟ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଲାଗି ରହିଛି।

ସୂତ୍ର ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଣବ ବଳବନ୍ତରାୟଙ୍କୁ ତାଙ୍କ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘୋଷଣା ସମ୍ପର୍କରେ ଦଳୀୟ ନେତାମାନଙ୍କୁ ଅନ୍ଧକାରରେ ରଖାଯାଇଥିଲା। ପ୍ରଣବ ଅପ୍ରତ୍ୟାଶିତ ଭାବେ ପଦ ହରାଇବା ପଛରେ ଚିଟଫଣ୍ଡ ମାମଲାର ସିବିଆଇ ତଦନ୍ତ ମୁଖ୍ୟ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରଣବ ୨୦୧୨ ଜୁଲାଇ ମାସରେ ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଅଞ୍ଚଳରେ ଏକ ଜମିକୁ ଧର୍ମେନ୍ଦ୍ର ବୋଥ୍ରା ନାମକ ବିଲଡରଙ୍କୁ ବିକ୍ରି କରିଥିଲେ।
ଏହି ଜମି ବିକ୍ରି-ଖର୍ଦ୍ଦିରେ ପରୋକ୍ଷ ଭାବେ ଏଟି ଗ୍ରୁପ୍ ଜଡ଼ିତ ଥିଲା। ଯେଉଁଥିପାଇଁ ପ୍ରଣବଙ୍କୁ ୨୦୧୪ ମସିହା ସେପ୍ଟେମ୍ବର ମାସରେ ସିବିଆଇ ଜେରା କରିଥିଲା। ଏଟି ଗ୍ରୁପ୍ ସହ ଜମି କିଣାବିକାରେ ଜଡ଼ିତ ଥିବା ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ସିବିଆଇ ଗତ ସପ୍ତାହରେ ଗିରଫ କରିବା ପରେ ପ୍ରଣବଙ୍କ କ୍ଷେତ୍ରରେ ସେଭଳି କିଛି ଠୋସ୍ ପ୍ରମାଣ ସିବିଆଇ ହାତରେ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି। ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇସାରିଥିବାରୁ ପ୍ରଣବଙ୍କୁ ସରକାରୀ ଉପମୁଖ୍ୟ ସଚେତକ ପଦବୀରେ ରଖି ବିଜେଡି କୌଣସି ରିସ୍କ ଅବା ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଚାହୁଁନଥିବା ଶୁଣିବାକୁ ମିଳୁଛି।
ସେହିପରି ଘଙ୍ଗାପାଟଣା ସରକାରୀ ଜମି କେଳେଙ୍କରୀରେ ପ୍ରଣବଙ୍କ ମାଲିକାନାରେ ଥିବା ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚ ନେଇଥିଲା। କିନ୍ତୁ ଏବେ ଲୋକାୟୁକ୍ତ ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ଆସନ୍ତାମାସ ୧୭ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ଅକ୍ଟୋବର ୨୧ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ବିଜେପୁର ନିର୍ବାଚନବେଳେ ଘଙ୍ଗାପାଟଣା ଜମି କେଳେଙ୍କାରୀ ସରକାରଙ୍କ ପାଇଁ ବି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ପ୍ରଣବଙ୍କ ନିକଟତମ ସୂତ୍ର ଅନୁସାରେ, ତାଙ୍କୁ ବିଜେଡି ଯୁବ ସଭାପତି କିମ୍ବା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଥଇଥାନ କରାଯିବାର ସମ୍ଭାବନା ରହିଛି। ବିଜେପୁର ଉପନିର୍ବାଚନ ପାଇଁ ରୋହିତଙ୍କୁ ସନ୍ତୁଷ୍ଟ କରିବାର ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ। ତେବେ କେଉଁ କାରଣ ପାଇଁ ପ୍ରଣବଙ୍କୁ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦରୁ ହଟାଇ ଦିଆଗଲା ତାହା ଆଗାମୀ ଦିନରେ ଜଣାପଡ଼ିବ।

Related Posts

About The Author

Add Comment