ରାଉରକେଲା, ୦୪/୦୭/୨୦ (ସନ୍ଧାନ ନିଉଜ) : ଭାରତ ଏକ କୃଷିପ୍ରଧାନ ଦେଶ । ଦେଶର ଶତକଡ଼ା ୬୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି । ଚାଷୀ ମାନଙ୍କ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇ ତା’ର ସଫଳ ରୁପାୟନ ପୂର୍ବରୁ ହୋଇ ପାରିଥିବା ନଜିର ରହିଛି । କାଳିଆ ଯୋଜନା ପରେ ଏବେ ରାଜ୍ୟ ସରକାରଙ୍କ ‘ବଳରାମ’ ଯୋଜନା ଚାଷୀକୂଳ ମହଲରେ ନୂତନ ଆଶାର କିରଣ ସଂଚାର କରିଛି । ଉକ୍ତ ବଳରାମ ଯୋଜନା ଭୂମିହୀନ ଚାଷୀଙ୍କ କଲ୍ୟାଣ ଲାଗି ଉର୍ଦ୍ଦିଷ୍ଟ ରହିଥିବା ବେଳେ, ସେମାନଙ୍କୁ ରୁଣ ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଯୋଜନାକୁ ଦକ୍ଷିଣ ରାଉରକେଲା ସହରତଳିରେ ଗ୍ରାମ ଯେପରି ଧରମଡ଼ିହି, ଡଲାକୁଦର, ମୁଣ୍ଡାଯୋର, ରାମଯୋଡ଼ି, ଜଲଦା ଗ୍ରାମ ପଂଚାୟତ ତଥା ଲାଠିକଟା ବ୍ଲକ ଗ୍ରାମ ଗୁଡ଼ିକରେ ରହିଥିବା ଚାଷୀ ମାନେ ସ୍ୱାଗତ କରିଥିବା ଜଣା ପଡ଼ିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଉପରୋକ୍ତ ଗ୍ରାମ ଗୁଡ଼ିକରେ ଥିବା ଭୂମିହୀନ ଚାଷୀ ମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉକି, ବିଗତ କିଛି ଦିନ ହେଲା ବର୍ଷା ଠିକ ଭାବରେ ନହେବା କାରଣରୁ ଧାନ ରୁଆ କାର୍ଯ୍ୟ ହୋଇ ପାରୁନାହିଁ, ଏହାକୁ ନେଇ ଚାଷୀକୂଳ ହତାଶ ମଧ୍ୟରେ ରହିଛନ୍ତି । ଆଗକୁ ଯଦି ମୌସୁମି ବର୍ଷା ନହୁଏ, ତେବେ ମରୁଡ଼ି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ, ଅପରପକ୍ଷରେ ସରକାର ଚାଷୀକୂଳଙ୍କ ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଲାଠିକଟା ବ୍ଲକର ଶତାଧିକ ଚାଷୀ ଦାବି କରିଛନ୍ତି ।
କାଳିଆ’ ପରେ ‘ବଳରାମ’: ଚାଷୀକୂଳଙ୍କ ପାଇଁ ନୂତନ ଆଶାର କିରଣ
|
July 4, 2020 |