ପୁରୀ , ୧୦.୦୧.୨୦୨୧ (ସନ୍ଧାନ ନିଉଜ୍) : ଆଜି ଏକାଦଶୀ ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲାଣି। ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ… ଭୋ ଭୋ ହୋଇ କାନ୍ଦି କାନ୍ଦି ଏଭଳି କହୁଥିଲେ ଜଣେ ବୃଦ୍ଧା । କାଳିଆକୁ ଦେଖିବାକୁ ବ୍ୟାକୁଳ ହେଉଥିଲେ । ଏଭଳି ଦୃଶ୍ୟ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି ।
ଏ ବୃଦ୍ଧା ଜଣଙ୍କ ହେଉଛନ୍ତି ପୁରୀ ଗୌଡବାଡ ସାହିର ୭୦ ବର୍ଷ ବୟସ୍କା ଲକ୍ଷ୍ମୀ ଦେ। ଶନିବାର ବଡ ଏକାଦଶୀ ଅବସରରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ମଧ୍ୟ ପାଖରେ କରୋନା ରିପୋର୍ଟ ନଥିଲା। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ହାତ ଯୋଡି ପତିତପାବନଙ୍କୁ ଦର୍ଶନ କରୁଥିଲେ। ହେଲେ କାଳିଆ ଠାକୁର ତାଙ୍କୁ ପାଖକୁ ଡାକିଲା। ସିଂହଦ୍ବାର ସମ୍ମୁଖରେ ସୁରକ୍ଷା କର୍ମୀ ଥିଲେ ମଧ୍ୟ ସୁରକ୍ଷାବଳୟକୁ ଭେଦ କରି ସେ ସିଧା ଅରୁଣସ୍ତମ୍ଭ ପାଖରେ ପହଞ୍ଚିଥିଲେ।
କାଳିଆ ଦର୍ଶନ କରିବା ପାଇଁ ପୋଲିସ ଗୋଡତଳେ ପଡି ନେହୁରା ହୋଇଥିଲେ। ସିଂହଦ୍ବାରଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ତାଙ୍କୁ ଜେଟିପି ପୋଲିସ ଏବଂ ସିଂହଦ୍ବାର ଥାନା ଆଇଆଇସି ଅଟକାଇଥିଲେ। ଯାହା ଫଳରେ ଲକ୍ଷ୍ମୀ କାଳିଆ ଦର୍ଶନରୁ ବଞ୍ଚିତ ରହିଲେ। ଆଉ କହିଲେ କାଳିଆ ତୋ ପାଇଁ ମୁଁ ଆଜି ଜଳଗ୍ରହଣ କରିନି। ଆଉ କେତେ ତୁ ମୋର ପରୀକ୍ଷା ନେବୁ।