କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଅତ୍ୟାଚାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

Spread the love
କନ୍ଧମାଳ,୦୮/୦୪/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ପୋଲିସର ମାତ୍ରାଧିକ ଅତ୍ୟାଚାର ବଢି ବଢି ଚାଲିଛି।ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଜଘନ୍ୟ ଅତ୍ୟାଚାରର ପ୍ରତିବାଦରେ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନେ ଏକ ଶୋଭାଯାତ୍ରା ରେ ଆସି ସାମ୍ବାଦିକ ମାନଙ୍କ ଉପରେ ପୋଲିସ ଜୁଲମର ପ୍ରତିବାଦ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁକରିବା, ନୀଳଗିରି ସାମ୍ବାଦିକଙ୍କ ଉପରେ ପୋଲିସର ଅତ୍ୟାଚାର ଆଦି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ପ୍ରଥମେ ବଜାର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ଦାସ ନୀଳଗିରିର କନକ ଓ ସମ୍ବାଦର ପ୍ରତିନିଧି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଲଗାଇଛି।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ତରବରରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଦେଖିବାକୁ ମିଳିଥିଲା ସାମ୍ବାଦିକ ଶ୍ରୀଯୁକ୍ତ ଦଳେଇଙ୍କ ଗୋଡ଼ରେ ଲୁହା ଶିକୁଳି(ବେଡି) ପଡିଥିବାର ଅତି ଅମାନୁଷିକ ଦୃଶ୍ୟ।ଯାହାକି ଜଣେ ଆତଙ୍କବାଦୀ ଅବା ଅତି ଭୟଙ୍କର ଆତଙ୍କ ସୃଷ୍ଟି କରୁଥିବା ଡକାୟତକୁ ଆୟତରେ ନେବା ବେଳର ଦୃଶ୍ୟ।ପୋଲିସର ଏହି ଜଘନ୍ୟ ଅମାନୁଷିକ କାର୍ଯ୍ୟକୁ  ସଭାପତି ଶ୍ରୀ ଦାସ  ଏକ ନିନ୍ଦା ପ୍ରସ୍ତାବ ଆଗତ କରିବା ସହିତ ନୀଳଗିରି ଥାନା ଅଧିକାରିଣୀ ଦ୍ରୌପଦୀ ଦାସଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରି ଗିରଫ କରିବାକୁ ଦାବି ରଖିଥିଲେ। ପରେ ସମସ୍ତ ସାମ୍ବାଦିକ ଏହି ଦାବି ଉପରେ ସମ୍ମତ ପ୍ରକାଶ କରି ପୋଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଥିଲେ। ସଭାପତିଙ୍କ ସହ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ ର ଜାତୀୟ ପରିଷଦ ସଦସ୍ୟ ଶିବ ଶଙ୍କର ତ୍ରିପାଠୀ, ସୁବାସ ଚନ୍ଦ୍ର ପ୍ରଧାନ, ଫିଲିମନ ନାୟକ, ସଦାଶିବ ପାତ୍ର, ସନ୍ତୋଷ କୁମାର ମିଶ୍ର, ବି. ଭି. ଶଙ୍କର, ତ୍ରିନାଥ ସାହୁ, ଦୁଃଖିଶ୍ୟାମ ପ୍ରଧାନ, ବିଶ୍ୱ ରଞ୍ଜନ ସାମନ୍ତରାୟ, ଅଶୋକ ମହାନ୍ତି, ପ୍ରମୁଖ  ସାମ୍ବାଦିକ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ନୀଳଗିରି ସାମ୍ବାଦିକ ଶ୍ରୀଦଳେଇଙ୍କ ପ୍ରତି ଘଟିଥିବା ପୋଲିସ ଜୁଲମର ପ୍ରତିବାଦ କରିବା ସହ ତୀବ୍ର ନିନ୍ଦା କରିଥିଲେ l  ସଭାପତି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ଯଦି ନୀଳଗିରିର ଅତ୍ୟାଚାରିତ ସାମ୍ବାଦିକଙ୍କୁ ସମ୍ମାନ ସହ ଉପଯୁକ୍ତ ନ୍ୟାୟ ନମିଳେ ତେବେ ଜିଲ୍ଲା ସଂଗଠନ ଓ ରାଜ୍ୟ ସଂଗଠନ ସହଯୋଗରେ ସମସ୍ତ ସଦସ୍ୟ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ବାଧ୍ୟ ହେବେ।
https://www.youtube.com/watch?v=Y2c8N7c5BzI&t=214s

Related Posts

About The Author

Add Comment