ମାଲକାନଗିରି, ୯/୭ (ସନ୍ଧାନ ନିଉଜ) ଗ୍ରାମକୁ ଭଲରାସ୍ତାଟିଏ ନଥିବାରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବାପରେ ମଧ୍ୟ ରାସ୍ତା ନିର୍ମାଣ ନହେବାରୁ ଆଦିବାସୀ ଗ୍ରାମବାସୀମାନେ କାଦୁଅ ରାସ୍ତାରେ ଧାନତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ଏହି ଅଭିନବ ନିଆରା ପ୍ରାତିବାଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକସ୍ଥ ସିନ୍ଧିରିମାଳ ପଚାଂୟତ ତାଳଗୁଡା ଗ୍ରାମରେ। ସତିଗୁଡା ଡ୍ୟାମସାଇଟରୁ ସେହି ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତାଟି ଦୀର୍ଘ ୧୫ ବର୍ଷ ହେଲା ମରାମତି କରାଯାଇନଥିବାରୁ ଖରାପ ହୋଇଯାଇଛି। ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ଲେଖା କାଦୁଅ ପାଣି ଜମା ହେଉଥିବାରୁ ସେହି ଗ୍ରାମକୁ ଚାଲିକି ଯିବା କଷ୍ଟକର ହୋଇଯାଇଥାଏ। କୌଣସି ଗୁରତର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତର ଖାନାନେବା ପାଇଁ ଆମ୍ବୁଲାନ୍ସ ଟିଏ ଯାଇ ପାରୁନଥିବାରୁ ଏ ସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀମାନେ ଜଣାଇଆସୁଥିଲେ ମଧ୍ୟ ଏଥିପ୍ରିତ ଗୁରୁତ୍ୱ ଦେଉନଥିବାରୁ ଗ୍ରାମର ଶତାଧିକ ମହିଳା ପୁରୁଷ, ଯୁବକ, ଯବତୀମାନେ ସେହି କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ଏପରିକି ସତିଗୁଡା କେନାଲ ପୋଲ ଉପରେ ମଧ୍ୟ ଆଠୁଁଏ ଲେଖା କାଦୁଅ ହୋଇ ଯାଇଥିବାରୁ ଚାଲିକି ଯିବା କି ମଟରସାଇକେଲ ଟିଏ ନେବା ମଧ୍ୟ ସମ୍ଭବପର ହେଉନଥିବାରୁ ସେହି ପୋଲ ଉପରେ ମଧ୍ୟ ଗ୍ରାମବାସୀମାନେ ଧାନ ତଳି ପୋତୁଥିବାର ଦେଖିବାକୁ ମିଳିଛି। ସ୍ୱାଧୀନତାର ୭୨ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୫୦୦ରୁ ଉର୍ଦ୍ଧ୍ୱ ଗାଁକୁ ଭଲ ଭଲ ରାସ୍ତାଟିଏ ତିଆରି ହୋଇପାରିଲାନାହିଁ। ସେ ସବୁ ଅଚଂଳର ବିକାଶରଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା। ଅପହଞ୍ଚ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନ ପାଲଟିଛି। ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ସହିତ ଶିକ୍ଷା, ପରିବହନ, ଗମନାଗମନ ଓ ଅନ୍ୟାନ୍ୟ ଉନ୍ନୟନମୁଳକ କାର୍ଯ୍ୟ ବହୁ ପଛରେ ପଡି ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ, ରାଜ୍ୟ ସରକାରଙ୍କ ବିଜୁ ସଡକ ଯୋଜନା ସହ ଆରଡି, ପୁର୍ତ, ବ୍ଲକ, ପଚାଂୟତ, ଡିଆରଡିଏ, ବନ ବିଭାଗ, ମୃତିକା ସଂରକ୍ଷଣ ବିଭାଗର ବିଭିନ୍ନ ଗାଁ ଗହଳକୁ ରାସ୍ତା କରିବାର ଯୋଜନା ଏହି ଜିଲ୍ଲାରେ ଅଧୁରା ହୋଇପଡିଛି। ଜିଲ୍ଲାର ଅଧିକାଂଶ ଗାଁ ପାହାଡ ପର୍ବତ ଉପରେ ଘଞ୍ଚ ଜଙ୍ଗଲ ଭିତରେ ଓ ମାଓପ୍ରବଣ ଅଞ୍ଚଳରେ ଥିବାରୁ ସେଠାରେ ରାସ୍ତା ତିଆରି ରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାର ପକ୍କାରାସ୍ତା କଥା ଦୂରେ ଥାଉ ଅନେକ ଗାଁରେ ପାଦ ଚଲାରାସ୍ତାଟିଏ ନଥିବାରୁ ଗାଁ ଲୋକେ ହାତରେ ଟାଙ୍ଗିଆ କଟୁରି ଧରି ନିଜେ ରାସ୍ତା ସଫାକରି ଯାତାୟତ କରିଥାନ୍ତି। ୫୦୦ରୁ ଉର୍ଦ୍ଦଗାଁକୁ ଆମ୍ବୁଲାନ୍ସ ସେବା ଯୋଗାଇଦିଆ ଯାଇପାରୁନାହିଁ, ସେଥିପାଇଁ ସେ ଗାଁର ଲୋକମାନେ ରୋଗୀଙ୍କୁ ଖଟିଆ, ଭାର, ଝୋଲାକରି ପାହଡତଳ ରାସ୍ତାକୁ ଆଣି ଡାକ୍ତରଖାନାକୁ ନେଇଥାନ୍ତି। କେତେବେଳେ କେମିତି ଗୁରତର ରୋଗୀ କୁ ନେଉଥିବା ସମୟରେ ମୃତ୍ୟୁ ହୋଇଯାଉଥିବାର ମଧ୍ୟ ଜଣାପଡିଛି। ଏହି ଜିଲ୍ଲାପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ କିମ୍ବା ଲୋକପ୍ରତିନିଧି ମାନଙ୍କ ଅବହେଳା ପାଇଁ ଆଜିବି ଅନେକ ଗାଁକୁ ପକ୍କାରାସ୍ତାଟିଏ କିମ୍ବା ମାଟିରାସ୍ତାଟିଏ ହୋଇପାରୁନାହିଁ।
କାଦୁଅ ରାସ୍ତାରେ ଧାନ ତଳିରୋଇ ଅଭିନବ ପ୍ରତିବାଦ ଜଣାଇଲେ ଗ୍ରାମବାସୀ : ମାଲକାନଗିରି ଜିଲ୍ଲାରେ ୫୦୦ ଗ୍ରାମକୁ ରାସ୍ତା ନାହିଁ
|
July 9, 2019 |