ରାଉରକେଲା ୧୩/୮(ସନ୍ଧାନ ନିୟୁଜ): ଆଜି ଶ୍ରାବଣ ତୃତୀୟ ସୋମବାର। ବେଦବ୍ୟାସ୍ଥିତ ଶୈବପୀଠ ବାଲୁଙ୍କେଶ୍ୱର ମହାଦେବଙ୍କୁ ଜଳଲାଗି କରିବାକୁ ଛତିଶଗଡ ଭିଲାଇରୁ ଛୁଟି ଆସିଥିଲେ ପରିବାର ୬ଜଣ ଓ ଜଣେ ପଡୋଶୀ। ୫୦୦ ମିଟର ପରେ ସେମାନେ ପହଞ୍ଚିଥାନ୍ତେ ଶୈବପୀଠରେ। ମାତ୍ର ନିୟତିର ବିଧାନ ଥିଲା ଭିନ୍ନ। ଶୈବପୀଠରେ ପହଞ୍ଚିବା ପୂର୍ବରୁ ପରିବାର ୪ଜଣଙ୍କୁ ମୃତ୍ୟୁ ସତେ ଯେପରି ଅପେକ୍ଷା କରିଥିଲା। ରବିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରାହ୍ମଣୀ ରେଳ ସେତୁ ପାରି ହେଉଥିବାବେଳେ ନିଲେଶ କ୍ରିଷ୍ଣା ଦାସ (୩୨), ତାଙ୍କ ପତ୍ନୀ ଯମୁନା ନିଲେଶ (୩୦), ପୁଅ ଲକି (୧୪), ଓ ଯମୁନାଙ୍କ ବାପା ରାମ ଭରୋସେ ସେତୁ କଡ଼ରେ ଥିବା ସେଫ୍ କ୍ୟାବିନ୍ରେ ଆଶ୍ରୟ ନେବା ପୂର୍ବରୁ ବମ୍ବେ- ହାଓ୍ଵଡା ମେଲ ଧକ୍କାରେ ମୃତାହତ ହୋଇ ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଥିଲେ। ବର୍ତ୍ତିଯାଇଥିଲେ ନିଲେଶଙ୍କ ଦୁଇ ଭାଇ କରଣ କ୍ରିଷ୍ଣା(୨୮), ରଘୁକ୍ରିଷ୍ଣା ଓ ସେମାନଙ୍କ ସହ ଆସିଥିବା ବନ୍ଧୁ ଶିବ ରତନ ଚୌଧୁରୀ (୨୯)। ଖବର ଅଗ୍ନିଶମ କର୍ମଚାରୀମାନେ ଭରାନଦୀରୁ ଉଦ୍ଧାର କରିଥିଲେ ନିଲେଶଙ୍କ ଶବ ଓ ଗୁରୁତର ଆହତ ତାଙ୍କ ପୁଅ ଲକିଙ୍କୁ। ଲକିଙ୍କୁ ସେମାନେ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)କୁ ପଠାଇଥିଲେ। ସେଠାରୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା ଲକିଙ୍କୁ। ତେବେ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ରାତି ତମାମ ଖୋଜିବା ପରେ ଅଗ୍ନିଶମ ବାହିନୀ ଆଜି ସକାଳ ୮ଟାରେ ରାମ ଭରୋସେ ଓ ୧୧ଟାରେ ଯମୁନାଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ। ବ୍ୟବଚ୍ଛେଦ ପରେ ୪ଟିଯାକ ମୃତ ଦେହକୁ ବଞ୍ଚିଯାଇଥିବା ଦୁଇ ଭାଇ ଓ ଖବର ପାଇ ଛତିଶଗଡରୁ ପହଞ୍ଚିଥିବା ଶିବଙ୍କ ପରିବାରକୁ ପୁଲିସ ସନ୍ଧ୍ୟାରେ ହସ୍ତାନ୍ତର କରିଥିଲା। ମୃତ ନିଲେଶଙ୍କ ଦୁଇଭାଇ ଅର୍ଥାଭାବରୁ ଶବଗୁଡ଼ିକୁ ଜନ୍ମସ୍ଥାନକୁ ନେଇପାରି ନଥିଲେ। ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଦୂତ’ର ମୁଖ୍ୟ କ୍ରିଷ୍ଣା ସାହୁଙ୍କ ସହାୟତାରେ ବେଦବ୍ୟାସ ଶ୍ମଶାନରେ ସେମାନେ ଆତ୍ମୀୟଙ୍କ ଶବ ସତ୍କାର କରିଥିଲେ।
ନଈରେ ଭାସିଗଲେ ୨, ଦୁର୍ଘଟଣାରେ ୮ ଆହତ; କପିଳାସରେ ଜଣେ ମୃତ
ତିର୍ତ୍ତୋଲ/ଆଠଗଡ଼/ ମାହାଙ୍ଗା: କାଉଡ଼ିଆ ଯାତ୍ରାରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୮ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ପ୍ରାଣ ଯାଇଛି। ଅନ୍ୟ ଜଣେ ନଈରେ ଭାସି ଯାଇ ନିଖୋଜ ଅଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ-ପୋଷଲ ମହାନଦୀ ଘାଟ ଝୁଲାବଣ ମଠ ନିକଟରେ ଆଜି ଆଜି ଭୋର ୪ଟା ସମୟରେ ତିର୍ତ୍ତୋଲ ବ୍ଲକ୍ ପିପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମର ରାଜକିଶୋର ଦାସଙ୍କ ପୁଅ ସିଦ୍ଧାର୍ଥ (୨୪) ଓ ସରୋଜ ନାଥଙ୍କ ପୁଅ ଶାରଦା ଅନ୍ୟ କାଉଡ଼ିଆମାନଙ୍କ ସହ ପାଣି ଉଠାଉଥିଲେ। କଳସରେ ପାଣି ଉଠାଉଥିବା ବେଳେ ସୁଅରେ ସିଦ୍ଧାର୍ଥ ଓ ଶାରଦା ଭାସି ଯାଇଥିଲେ। ଅଳ୍ପ ଦୂରରେ ଥିବା ଅନ୍ୟ କାଉଡ଼ିଆମାନେ ନଦୀରେ ପହଁରି ଶାରଦାଙ୍କୁ ଉଦ୍ଧାର କରି ପାରିଥିବା ବେଳେ ସିଦ୍ଧାର୍ଥ ଭାସି ଯାଇଥିଲେ। ଶାରଦାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି। ତିର୍ତ୍ତୋଲ ଓ କୁଜଙ୍ଗ ଅଗ୍ନିଶମ କେନ୍ଦ୍ର ଟିମ୍ ନଦୀ ଭିତରେ ଖୋଜାଖୋଜି କରିଥିଲେ ବି ସିଦ୍ଧାର୍ଥଙ୍କର ସନ୍ଧାନ ମଳିପାରି ନାହିଁ। ସେହିଭଳି ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ଖଲିଢିପ ଗ୍ରାମର ବୋଲବମ୍ ଯାତ୍ରୀଙ୍କୁ ନେଇ ଫେରୁଥିବା ଏକ ଟାଟା ଏସ୍ ଗାଡ଼ି ଓଲଟିବାରୁ ୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ମାହାଙ୍ଗା ଅଞ୍ଚଳର ଜଣେ କାଉଡିଆ ଭକ୍ତଙ୍କ ଢେଙ୍କାନାଳ ଜିଲ୍ଲା କପିଳାସ ମହାଦେବଙ୍କ ପୀଠରେ ମୃତ୍ୟୁ ହୋଇଛି।