କଳିଙ୍ଗା ଘାଟିରେ ଲାଗିଲା ଭେଇକିଲ ସେନ୍ସର; ଦୁର୍ଘଟଣା ହେବା ପୂର୍ବରୁ କରିବ ଆଲର୍ଟ

Spread the love

କନ୍ଧମାଳ,୫|୧୨,ସନ୍ଧାନ ନ୍ୟୁଜ: କନ୍ଧମାଳ ଅନ୍ତର୍ଗତ କଳିଙ୍ଗା ଘାଟିରେ ଲାଗିଲା ଭେଇକିଲ ସେନ୍ସର ଆଲର୍ଟ | ଦୁର୍ଘଟଣାକୁ ରୋକିବାରେ ସକ୍ଷମ ହେବ ଏହି ସେନ୍ସର | ସୂଚନା ଅନୁସାରେ, କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଥିବା ଘଟଣା ମାନ ସାମ୍ନାକୁ ଆସୁଛି | ଏହି ଘାଟିର ରାସ୍ତାରେ ଅଧିକ ବୁଲାଣି ପଡୁଥିବାରୁ ଅଧିକ ଦୁର୍ଘଟଣା ଘଟୁଛି | ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି | ପରିବହନ ବିଭାଗ ଅଧିକାରୀ ଶିବାନୀ ମାଝୀ ଓ ଟିମ୍ ସହିତ ଜି. ଉଦୟଗିରି ପୁଲିସ ଏଏସଆଇ ବୁଲୁ ବେହେରା ଓ ଦଳ ଏବଂ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ କନିଷ୍ଟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ଆଇ ଆଇ ଟି ବିଭାଗର ଅଧିକାରୀ ମାନେ ଏହି ସେନ୍ସରକୁ ଲଗାଇଛନ୍ତି | ଏହା ସୌର ବିଦ୍ୟୁତ୍ ଚାଳିତ ଓ ନିଜେ ପରିଚାଳିତ ହେବ, ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ। ଦୁଇ ପାର୍ଶ୍ୱରୁ ଆସୁଥିବା ଗାଡିର ଡ୍ରାଇଭର ମାନଙ୍କୁ ସଜାଗ କରିବ | ବିପରୀତ ଦିଗରୁ ଗାଡି ଆସୁଥିବାର ସଂକେତ ମଧ୍ୟ ପାଇପାରିବେ ଡ୍ରାଇଭର | ଏହା ଦୁଇଟି ପାର୍ଶ୍ଵରେ ଲାଗିବ, ଯାହା ଗୋଟିଏ ପାର୍ଶ୍ବରେ ଗାଡି ଆସିଲେ ଅନ୍ୟ ପାର୍ଶ୍ଵରେ ନାଲି ବତି ଜଳି ହର୍ଣ୍ଣ ବାଜିବ, ଯାହା ଫଳରେ ଅନ୍ୟ ପାର୍ଶ୍ବରେ ଆସୁଥିବା ଲୋକ ବା ଗାଡ଼ି ଚାଳକ ସୂଚିତ ହେବେ ବା ସୂଚନା ପାଇବେ ଯେ ଅନ୍ୟ ସମ୍ମୁଖ ପାର୍ଶରୁ ଗାଡ଼ି ଆସୁଛି ଓ ଚାଳକ ସତର୍କ ହେବେ।ତେବେ କଳିଙ୍ଗା ଘାଟି ହେଉଛି ରାଜ୍ୟକୁ ରାଜ୍ୟ ସହିତ ଏବଂ ପ୍ରମୁଖ ଜିଲ୍ଲା ଗୁଡିକ ସହିତ ସଂଯୋଗ କରିବ ପାଇଁ ଏକ ପ୍ରମୁଖ ରାସ୍ତା | ତେବେ ଏଠାରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଏକ ଚିନ୍ତାଜନକ ବିଷୟ ରହିଥିଲା | କାରଣ ଏତେ ଲମ୍ବା ଘାଟିରେ ବଡ ବଡ ୟୁ ଟର୍ଣ୍ଣ ରହିଥିଲା | ଯେଉଁଥିରେ ଅପର ପାର୍ଶ୍ୱରୁ ଆସୁଥିବା ଗାଡି ବିଷୟରେ ଜାଣିବାରେ ସମସ୍ୟା ହେଉଥିଲା ଏବଂ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା | ଏହି ଭେଇକିଲ ସେନ୍ସର୍ ଆଲର୍ଟ ଯନ୍ତ୍ର ରାଜ୍ୟରେ ପ୍ରଥମ ଥର କଳିଙ୍ଗା ଘାଟିରେ ଲଗାଯାଉଥିବା ବେଳେ ଏହା ଯଦି ଦୁର୍ଘଟଣା କମାଇବାରେ ସକ୍ଷମ ହୁଏ ତେବେ ଆସନ୍ତା ଦିନମାନଙ୍କରେ ଅନ୍ୟ ସ୍ଥାନମାନଙ୍କରେ ଲଗାଯିବ ବୋଲି ଭୁବନେଶ୍ବର ଆଇଆଇଟି ପକ୍ଷରୁ ଆସିଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

Related Posts

About The Author

Add Comment