କଲଣ-କୁସ୍ତିରା ପୋଲ ନିର୍ମାଣ ନିମ୍ନମାନର: ଉଦ୍ଘାଟନ ଦିନ ପୋଲ ଛାତରୁ ଉଠିଲା କଂକ୍ରିଟ୍, ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ

Spread the love

ରସୁଲପୁର, ୭/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ-କୁସ୍ତିରା ପୋଲି ନିର୍ମାଣ ଅତ୍ୟନ୍ତ ନିମ୍ନମାନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୋଲ ଉଦ୍ଘାଟନ ଦିନ ହିଁ ପୋଲ ଛାତରୁ ବାଲି, ସିମେଂଟ, କଂକ୍ରିଟ ଉଠି ଯାଇଛି । ଫଳରେ ପୋଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ବିଭାଗର ଉଦାସିନତା ଭାବ ଠିକାଦାର ପ୍ରତି କୋହଳ ମନୋଭାବ ପୋଷଣ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
କଲଣ ପଂଚାୟତ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ସକାଶେ ୫ବର୍ଷ ତଳୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪.୩୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର ଆହ୍ୱାନ କରାଯାଇଥିଲା । ବିରଜା କନଷ୍ଟ୍ରକସନ୍କୁ ବ୍ୟୟ ଅଟକଳର ମୂଳ ରାଶି ମୁତାବକ ଟେଣ୍ଡର ମିଳିଥିଲା । ଠିକାସଂସ୍ଥା ନାମରେ ୨୧ଫେବୃଆରୀ,୨୦୧୪ ମସିହାରେ କାର୍ଯାଦେଶ ପ୍ରଦାନ କରାଯାଇଥିଲା । ୨୦ ଅଗଷ୍ଟ, ୨୦୧୬ରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଠିକାଦାରଙ୍କ ଟାଳଟୁଳ ନୀତି ଯୋଗୁଁ କାମରେ ଶେଷ ହେବାରେ ବିଳମ୍ବ ହୋଇଥିଲା । ମାତ୍ର ଠିକାଦାର ନିଜ ଦୋଷ ଘୋଡାଇବା ପାଇଁ ଜମିଜମା ବିବାଦକୁ ଢାଲ କରିଥିଲା । ଏହି ଅବସରରେ ବିଭାଗ ପକ୍ଷରୁ ଠିକାଦାର ପ୍ରତି କୋହଳ ମନୋଭାବ ପୋଷଣ କରାଯାଇଥିଲା । ପରେ କାର୍ଯ୍ୟ ଶେଷ କରିବା ଅବଧିକୁ ୨ବର୍ଷ ୫ମାସ(୩୧,ଡିସେମ୍ବର-୨୦୧୮) ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । ଏହାସତ୍ୱେ ବି ପୋଲର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରି ନାହିଁ । ଅଧାଗଢା ପୋଲକୁ ତରବରିଆ ଭାବରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ଫେରି ଯାଇଛନ୍ତି । ଉଦ୍ଘାଟନ ଦିନ ପୋଲ ଛାତରୁ ଚିପ୍ସ ଉଠିଯିବା ଘଟଣାକୁ ସମସ୍ତେ ଅଣଦେଖା କରିଯାଇଛନ୍ତି । ଉଦ୍ଘାଟନ ଉତ୍ସବ ପୋଲଠାରୁ ପ୍ରାୟତଃ ୧୦ କି.ମି. ଦୂରରେ ଜାରକା ବାଜରର ମୁଖ୍ୟମନ୍ତ୍ରୀଙ୍କ ମଂଚ ନିକଟରୁ କରାଯାଇଛି । ତା ନହୋଇ ମୁଖ୍ୟମନ୍ତ୍ରୀ କ୍ଷେତ୍ରସ୍ଥଳରେ ପହଁଚି ପୋଲ ଉଦ୍ଘାଟନ କରିଥିଲେ । ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ପୋଲ ନିକଟରେ ପହଁଚି ପୋଲର ବାସ୍ତବ ସ୍ଥିତି ଦେଖି ପାରିଥଆନ୍ତେ । ତାହା ନହେବାରୁ ଠିକାଦାର ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାଇତ୍ୱରେ ଥିବା ଅଧିକାରୀମାନଙ୍କ ପାଇଁ ବିଲେଇ କପାଳକୁ ଶିଖା ଛିଣ୍ଡିଛି । ପୋଲର ବାସ୍ତବ ଚିତ୍ର ଦୃଷ୍ଟି ଆଢୁଆଳରେ ରହିଯାଇଛି । ନଚେତ ଏଭଳି କାର୍ଯ୍ୟ ପାଇଁ ଗୋଟାଏ ଦୁଇଟା ମୁଣ୍ଡ ନିଶ୍ଚିତ ଗଡି ଥାଆନ୍ତା ଓ ଠିକାଦାର ଲାଇସେନ୍ସରେ ନାଲି ଦାଗ ପଡିଥଆନ୍ତା ବୋଲି କୁହାଯାଉଛି ।

ଏହାଛଡା ମୁଖ୍ୟମନ୍ତ୍ରୀ ଗସ୍ତକୁ ୨ ସପ୍ତାହ ବିତିଲାଣି ପୋଲ ନିକଟରେ ଏବେ ବି ଉଦ୍ଘାଟନ ଫଳକ ଲାଗିନାହିଁ । ପୋଲ ଉପର ଛାତରୁ ଚିପ୍ସ ଉଠି ଗଲାଣି । ପୋଲର ଆପ୍ରୋଚ କାର୍ଯ୍ୟ ନିମ୍ନମାନର ହେଉଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ନିର୍ମାଣ କାର୍ଯ୍ୟ ସରିଛି । ଉଦ୍ଘାଟନ ସରିବା ପରେ ନିର୍ମାଣ କାର୍ଯ୍ୟ ପ୍ରତି ବିଭାଗ ଗୁରୁତ୍ୱ ପ୍ରଦାନ କରୁନାହାଁନ୍ତି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ଏ ଦିଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଘ୍ନରାଜ ଜେନାଙ୍କୁ ପଚାରିବାରୁ ସେ କାର୍ଯ୍ୟାଳୟରେ ଯୋଗଦେବା ପୂର୍ବରୁ ପୋଲର ଛାତ ପଡିଥିଲା ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି । ଏବେ ଯେଉଁ କାର୍ଯ୍ୟ ଚାଲିଛି ସବୁ ଠିକ୍ରେ ଚାଲିଛି ବୋଲି ମତ ରଖିଛନ୍ତି । ନିର୍ମାଣ ସରିବାର ୧୦ବର୍ଷ ପର୍ଯ୍ୟନ୍ତ ମରାମତି ଦାଇତ୍ୱ ଠିକାଦାର ବୋଲି କହିଛନ୍ତି । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଠିକାଦାରକୁ କାର୍ଯ୍ୟ ମରାମତି ଦାଇତ୍ୱ ଦିଆଯିବା ଅର୍ଥ ନିର୍ମାଣ ନିମ୍ନମାନର କରିବା କି? ବୋଲି ପ୍ରଶ୍ନବାଚୀ ସୃଷ୍ଟି କୁରଛି ।

Related Posts

About The Author

Add Comment