ଯାଜପୁର,୧/୧୧,ସନ୍ଧାନ ନ୍ୟୁଜ: ମଣିଷ ଜୀବନ କେବଳ କର୍ମ ଓ ଧର୍ମକୁ ନେଇ ଆଗକୁ ବଢିଥାଏ । ଏହା ବ୍ୟତୀତ ଅନ୍ୟ ସବୁ ଅଳିକ ଏବଂ କ୍ଷଣିକ ମାତ୍ର । ତାହା ସବୁ ଚାଲିଯିବା ପାଇଁ ଆସିଥାଏ । କର୍ମ ଓ ଧର୍ମ ଜନ୍ମ ଜନ୍ମର ଚିରସ୍ଥାୟୀ ସମ୍ପଦ । ଏହା ଚୋରୀ ହୁଏ ନାହିଁ କିମ୍ବା ପୋଡି ଯାଏନାହିଁ ବୋଲି ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଧର୍ମଶାଳାର ପଟୁଣିଆରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ସତୀଶ କହିଥିଲେ ଯେ, ପୃଥିବୀର ସର୍ବଶ୍ରେଷ୍ଠ ପୁସ୍ତକ ‘ଗୀତା’ ରେ ଭଗବାନ ଶ୍ରୀକୃଷ୍ଣ କର୍ମ ଉପରେ ଗୁରୁତ୍ୱ ଦେବା ସହ ଯୁଗେ ଯୁଗେ ଶେଷରେ ଧର୍ମର ଜୟ ହୁଏ ବୋଲି ବାର୍ତ୍ତା ଦେଇଛନ୍ତି । ଅକର୍ମ ଏବଂ ଅଧର୍ମ କରୁଥିବା ଯେ କେହି ଲୋକ ବାହାରକୁ ଧର୍ମ ଓ ସେବା କରୁଥିବାର ଯେତେ ଛନ୍ଦ କଲେ ବି ସେ ତାର କୃତକର୍ମର ଫଳ ଭୋଗିଥାଏ । ଏହା ହେଉଛି ଭଗବାନଙ୍କ ମୁଖ ନିସୃତ ବାଣୀ । ଆମ ମହାନ ଧର୍ମ ଓ ସଂସ୍କୃତି ଯୁଗ ଯୁଗ ଧରି ଏହି କର୍ମ ଓ ଧର୍ମର ଫଳ ଉପରେ ଦୃଢ ନିଶ୍ଚିନ୍ତ ଏବଂ ଅଟଳ । ଏଥିରୁ ଆମ ଭଗବାନ ମଧ୍ୟ ନିଜକୁ ବାଦ କରି ନାହାନ୍ତି । ସେଥିପାଇଁ ଭଗବାନ ଶ୍ରୀରାମ ମଧ୍ୟ ନିଜର କର୍ମଫଳକୁ ଶ୍ରୀକୃଷ୍ଣ ଅବତାରରେ ଭୋଗିଛନ୍ତି । ଦେବସ୍ୱ, ରାଜସ୍ୱ ଓ ବ୍ରହ୍ମସ୍ୱ ଲୁଟୁଥିବା ଯେ କେହି ବ୍ୟକ୍ତି ମନ୍ଦିର ତୋଳିଦେଲେ ବି ସେ ପାପମୁକ୍ତ ହୋଇପାରିବ ନାହିଁ । ମଣିଷ ଭଲ ରାସ୍ତାରେ ଚାଲିବାକୁ ମନ୍ଦିର, ଭଗବାନ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରେରଣା ଦେଇଥାଏ । ହେଲେ ପାପରୁ ମୁକ୍ତି ପାଇଁ ପାଶ୍ଚାତାପ, ସ୍ୱାକାରୋକ୍ତି ଏବଂ ପାପକର୍ମ ତୁଳନାରେ ଅଧିକ ସୁକର୍ମ ଜରୋରୀ ବୋଲି କହିଥିଲେ । ଲକ୍ଷ୍ମୀପୂଜାର ମହତ୍ୱକୁ ପ୍ରତ୍ୟେକ ମଣିଷ ଅନୁକରଣ କରି ନିଜ ଜୀବନ ରାସ୍ତାରେ ସଫଳ ପ୍ରୟୋଗ କଲେ ଶାନ୍ତ, ସମୃଦ୍ଧ ଓ ନୈତିକତାପୂର୍ଣ୍ଣ ସମାଜ ଗଠନ ସମ୍ବବ ହୋଇ ପାରିବ । ସଭାପତି କାହ୍ନୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ସତୀଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ପରେ ନନ୍ଦୀଘୋଷ ଭଜନ ସଂଧ୍ୟାର ମୁଖ୍ୟ ହେମନ୍ତ ବାହାଲିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶିଶିର ପଣ୍ଡିତ ଗୀତା ପାଠ, ସଂପାଦକ ପ୍ରହ୍ଲାଦ ସାମଲ ସ୍ୱାଗତ ଭାଷଣ , ପ୍ରଫେସର ହେମନ୍ତ ରାଉତ ଉତ୍ସବ ପରିଚାଳନା କରିଥିଲେ । କମିଟିର କର୍ମକର୍ତ୍ତା ପ୍ରତାପ ଚନ୍ଦ୍ର ରାଉତ, ସନ୍ତୋଷ ସାମଲ, ଶ୍ୟାମ ସୁନ୍ଦର ରାଉତ, ରମେଶ ଚନ୍ଦ୍ର ସାମଲ, ବଟକୃଷ୍ଣ ରାଉତ, ଦିପ୍ତି ରଂଜନ ସାମଲ, ମୀନକେତନ ରାଉତ, ତ୍ରିଲୋଚନ ବଳିୟାର ପ୍ରମଖଙ୍କ ତତ୍ତ୍ୱାବଧନାରେ ବିଭିନ୍ନ କାର୍ଯ୍ୟ ପରିଚାଳିତ ହୋଇଥିଲା । ବହୁ ଯୁବଛାତ୍ର ସ୍ୱେଚ୍ଛାସେବୀ ମାନେ ଶୃଙ୍ଖଳିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
କର୍ମ ଓ ଧର୍ମ ଜୀବନର ସର୍ବସ୍ୱ- ସତୀଶ ବିଶ୍ୱାଳ
|
November 1, 2023 |
