କରୋନା ସଂକ୍ରମଣ ରୋକିବା ପାଇଁ ହେବ ସର୍ବଭାରତୀୟ ଯୋଜନା

Spread the love

ନୂଆଦିଲ୍ଲୀ, ୫/୩/୨୦ (ସନ୍ଧାନ ନିଉଜ) : ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏକ ସର୍ବଭାରତୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣର ପରୀକ୍ଷା, ପୃଥକୀକରଣ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପର୍ଯ୍ୟବେକ୍ଷଣ ସୁବିଧା ଉପଲବ୍ଧ କରାଯିବ। ସ୍ୱରାଷ୍ଟ୍ର ବ୍ୟାପାର, ପ୍ରତିରକ୍ଷା, ରେଳବାଇ ଓ ଶ୍ରମ ମନ୍ତ୍ରଣାଳୟ ନିଜ ନିଜ ହସ୍ପିଟାଲ୍‍ ସୁବିଧା ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ସହଯୋଗ କରିବେ। ପ୍ରସ୍ତୁତି ସ୍ତରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଥର୍ମାଲ୍‍ ଉପକରଣ ମାଧ୍ୟମରେ ଯାଞ୍ଚ ବ୍ୟବସ୍ଥା ଉପଲବ୍ଧ ହେବ। ଏହାଛଡ଼ା ପର୍ଯ୍ୟଟକମାନେ କେଉଁ କେଉଁ ଦେଶ ଗସ୍ତ କରିଛନ୍ତି ଏବଂ କେଉଁ ଦେଶର ଯାତ୍ରା ସାରି ଫେରୁଛନ୍ତି ସେ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ ହେବ। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମନ୍ୱିତ ତନଖୀ ଫାଟକ ସବୁରେ ଯାଞ୍ଚ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Related Posts

About The Author

Add Comment