ବାଣପୁର ୭/୬ (ସନ୍ଧାନ ନ୍ୟୁଜ୍) : ଆଜି 16ଟି ଜିଲ୍ଲାରୁ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ଚତୁର୍ଥ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ସରକାରୀ ଡାକ୍ତରଖାନାର ୨ ଜଣ ସ୍ବାସ୍ଥ୍ୟକର୍ମୀ ମେ 29 ରେ କୋଭିଡ଼ ପଜେଟିଭ ହେବା ପରେ ସେମାନଙ୍କୁ ଭୁବନେଶ୍ଵରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି l ୨ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ୍ଏସିର କୋଟବିଦ୍ୟାଧରପୁର ଗ୍ରାମରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ଦୁଇ ସ୍ବାସ୍ଥ୍ୟ କର୍ମୀ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ପ୍ରଦାନ କରାଯାଇଛି। ଆଜି ଦୁଇ ସ୍ବାସ୍ଥ୍ୟ କର୍ମୀ ସୁସ୍ଥ ହେବା ଖବର ପାଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା। ସ୍ବାସ୍ଥ୍ୟକର୍ମୀ ଦୁଇ ଜଣ ଗ୍ରାମରେ ସରକାରୀ ଗାଡିରେ ପହଞ୍ଚିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଶଙ୍ଖ ହୁଳହୁଳି ଧ୍ୱନି ସହ ଦୀପ ଚନ୍ଦନ ଦେଇ ସ୍ଵାଗତ କରିଥିଲେ। ସ୍ବାଗତ ସମ୍ବର୍ଦ୍ଧନାରେ ଆତ୍ମବିଭୋର ହୋଇ ଦୁଇ ସ୍ବାସ୍ଥ୍ୟ କର୍ମୀ କାନ୍ଦି ପକାଇଥିଲେ।
ବାଣପୁର ରୁ ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ




