ବାରିପଦା, ୨୦/୧୦(ସନ୍ଧାନ ନ୍ୟୁଜ୍) :- :ପୁଣିଥରେ ହାତୀ ଆତଙ୍କରେ ମୟୂରଭଞ୍ଜ ଜିଲ୍ଲାବାସୀ । ଗତ ୪ ଦିନ ହେବକରଞ୍ଜିଆ ଓ ମୟୂରଭଞ୍ଜ ସୀମାନ୍ତ ରେ ଥିବା ବୈତରଣୀ ନଦୀ ପାର ହୋଇ ମୋଟ ୨୨ଟି ହାତୀ (୬ଟି ପୁରୁଷ, ୧୦ଟି ମହିଳା ) କରଞ୍ଜିଆ ୱାଇଲ୍ଡଲାଇଫ୍ ଡିଭିଜନରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ହାତୀପଲ ସିଲିମାପୋଶୀ, ଉତ୍ତରପୋଶୀ, କାଶୀପାଳ, ଘରମାବେଡ଼ା ସଂରକ୍ଷିତ ଜଙ୍ଗଲ ପ୍ରବେଶ କରିଥିଲେ । ଜଙ୍ଗଲ ଭିତରେ ଗୋଟିଏ ଦିନ ବୁଲାବୁଲି କରିବା ପରେ ହାତୀମାନେ ଫସଲ କ୍ଷେତ ଆଡ଼କୁ ମୁହାଁଇଥିଲେ । ହାତୀ ପଲ ୧୨ଟି ଗାଁରେ ପ୍ରବେଶ କରି ଖାଦ୍ୟ ସନ୍ଧାନରେ ଧାନକ୍ଷେତ ନଷ୍ଟ କରିଥିବା ବେଳେ ଏବେ କରଞ୍ଜିଆ ବନଖଣ୍ଡ ପରିସରରେ ଉତ୍ପାତ କରୁଥିବା ଜଣାଯାଇଛି । ରାତିହେଲେ ହାତୀପଲ ଜନବସତି ମୁହାଁ ହେଉଥିବାରୁ କରଞ୍ଜିଆ ଓ ଦୁହିଆଣି ରେଞ୍ଜର କୁମ୍ଭୀରଡା, ଅଡିପୁର, ଖିଚିଙ୍ଗ, ପାଣିସି,ଘରମାବେଢ଼ା, ଅର୍ଜୁନବିଲ, ଉ ରପୋଶି, ସୋନାପଶି, କଳାଡିଆ, କାଶିଆ, ଡରି, କାଠକରଞ୍ଜିଆ ଗାଁ ଲୋକ ରାତି ଅନିଦ୍ରା ହୋଇ ବିତାଉଛନ୍ତି । ରାତିରେ ବନ୍ୟପ୍ରାଣୀମାନେ ବିଚରଣ କରୁଥିବାରୁ ଓ ଚାଷ ଜମିରେ ପଶି ହେକ୍ଟର ହେକ୍ଟର ଫସଲ ନଷ୍ଟ କରି ଦେଉଥିବାରୁ ଗାଁ ଲୋକେ ଚିନ୍ତିତ ଅଛନ୍ତି । ଖିଚିଙ୍ଗ ଗାଁର ଧବଳେଶ୍ୱର ପାଣିଗ୍ରାହୀ ଓ ରରୁଆଁ ଗାଁର ପଦ୍ମଲୋଚନ ମହାନ୍ତ କହିଛନ୍ତି ହାତୀମାନଙ୍କ ଗତିବିଧି ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । ଦୁଇମାସ ପୂର୍ବରୁ ହାତୀ ପଲ ଗାଁକୁ ପଶି ଆସିଥିବା ବେଳେ ଏହା ଲୋକମାନଙ୍କ ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଥିଲା । ଯେତେବେଳେ ହାତୀ ପଲ ପୁଣିଥରେ ଗାଁକୁ ଆସିଥିବାର ଖବର ପ୍ରଚାରିତ ହେଲା ସେତେବେଳେ ଗାଁଲୋକେ ରାତିରେ ଅନିଦ୍ରା ହେବା ଆରମ୍ଭ କରିଦେଇଛନ୍ତି । ଏପରିକି ହାତୀ ଘଉଡ଼େଇବା ପାଇଁ ଲୋକେ ବାଜା ବଜାଇବା ସହ ପାରମ୍ପରିକ ଉପାୟ ଅବଲମ୍ବନ କରିଛନ୍ତି । କରଞ୍ଜିଆ ବନ୍ୟପ୍ରାଣୀ ବିଭାଗର ବିଭାଗୀୟ ଅଧିକାରୀ ଗଜାନନ ଲାଡେ କହିଛନ୍ତି କିଛିଦିନ ଆଗରୁ ହାତୀପଲ (୨୨ଟି ହାତୀ) କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତ ପାରିହୋଇ ଏହି ବନଖଣ୍ଡରେ ପ୍ରବେଶ କରିଛନ୍ତି । ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଓ ଏନେଇ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆମେ ସୁରକ୍ଷାକର୍ମୀ, ପାରା ସୁରକ୍ଷା କର୍ମୀ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିଛୁ । ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆମେ ବନ କର୍ମଚାରୀମାନଙ୍କୁ କହିଛୁ । ଏନେଇ ରିପୋର୍ଟ ଆସିବା ପରେ ଆମେ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଦେବୁ ।