ଓଡିଶା ଉପରେ ରହିବ ନାହିଁ ଲଘୁଚାପର ପ୍ରଭାବ, ୨୨ରୁ ୨୫ ତାରିଖ ଯାଏ ଘଡଘଡି ବର୍ଷା ନେଇ ଆଲର୍ଟ ଜାରି

Spread the love

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଓଡିଶାରେ ଲଘୁଚାପର ପ୍ରଭାବ ପଡିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଲଘୁଚାପର ପ୍ରଭାବ ଓଡିଶା ଉପରେ ରହିବ ନାହିଁ । ଲଘୁଚାପ କ୍ଷେତ୍ରଟି ଉତ୍ତରପୂର୍ବ ଦିଗରେ ଗତି କରିବ। ପରେ ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୩ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବା ମନା । ଏହା ସହିତ ୨୪ ତାରିଖରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି।ଦକ୍ଷିଣ ଓ ଉତ୍ତର ଓଡିଶାରେ ଲାଗି ରହିବ କାଳବୈଶାଖୀ ପ୍ରଭାବ । ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡଘଡି ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ତେବେ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ତାତି ରହିବ । ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪୦ ଟପିବ ବୋଲି ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

Related Posts

About The Author

Add Comment