ଓଡ଼ିଶା ସରକାର ହାଇଜାକ, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ସାନବାବୁଙ୍କ ଅନୁମତି ଦରାକାର: ଅପରାଜିତା

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟରେ ବିଜେଡି । ପୁରୀ ପରିକ୍ରମା ପ୍ରକଳ୍ପରେ ୪୨ ଶହ କୋଟି ଟଙ୍କା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇବା ସହ ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି କହିଛନ୍ତି । ସେହିପରି ଓଡ଼ିଶା ଶାସନ ଭାର ଜଣେ ହାଇଜାକ କରି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ହେଲେ ଏହି ସାନବାବୁଙ୍କ ଅନୁମତି ଦରକାର ପଡୁଛି ବୋଲି କହିଛନ୍ତି ଅପରାଜିତା । ରାଜ୍ୟବାସୀଙ୍କୁ ଆହ୍ବାନ ଦେଇ ଅପରାଜିତା କହିଛନ୍ତି, ନେତା ବାଛିବାକୁ ଯାଉଛ ନା କ୍ରୀତଦାସ ବାଛିବାକୁ ଯାଉଛ ଚିନ୍ତା କର । ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି । ବିଜେପି ସବୁବେଳେ ବିକାଶର ରାଜନୀତି କରିଛି । ବିଜେପି ବିକାଶମୂଳକ କାମକୁ ବିରୋଧ କରେନି, ବିକାଶମୂଳକ କାମର ତରିକାକୁ ବିରୋଧ କରୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ ଏକାଧିକ ପ୍ରଶ୍ନବାଣ ବିଜେଡି ଓ ସାନବାବୁ (ଭିକେ ପାଣ୍ଡିଆନ)ଙ୍କୁ ନେଇ ମାରିଛନ୍ତି । ଅପରାଜିତା କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି । ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ ଏହି ପ୍ରକଳ୍ପର ଡିଜାଇନ କରିବାକୁ ଦିଆଯାଇଥିଲା । ସାନବାବୁ କହିବେ କି ଭୂମିପୁତ୍ରକୁ କେଉଁ ପରିପ୍ରେକ୍ଷୀରେ ଏହି ପ୍ରକଳ୍ପର ଡିଜାଇନ ଦିଆଗଲା । ରାଜ୍ୟ ସରକାରଙ୍କୁ ପ୍ରଶ୍ନ, ଏଏସଆଇ ଓ ଏନଏମଏର ଗାଇଡଲାଇନ ବାହାରେ କାହିଁକି କାମ ହେଉଥିଲା । ଆମେ ପୁରୀ ମନ୍ଦିରର ସୁରକ୍ଷା ପାଇଁ କହିଥିଲୁ । ପରବର୍ତ୍ତୀ ସମୟରେ ଡିପିଆରକୁ ବଦଳା ଯାଇଥିଲା । କିନ୍ତୁ ପ୍ରକଳ୍ପ ଆରମ୍ଭରୁ ଯେଉଁ ଡିପିଆର ପ୍ରସ୍ତୁତ ହୋଇଥିଲା ସେଥିରେ କାହିଁକି ମନ୍ଦିରର ସୁରକ୍ଷାକୁ ଦୃଷ୍ଟି ଦିଆଯାଇ ନଥିଲା । ୧୪୦୦ କୋଟି ଟଙ୍କାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲା । ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାର କାରଣ କ’ଣ ବୋଲି ପଚାରିଛନ୍ତି ଅପରାଜିତା । ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠକୁ ଭାଙ୍ଗି ଦିଆଗଲା । ଓଡ଼ିଶା ଅସ୍ମିତା କଥା କହୁଥିବା ଶାସକ ଦଳ ଓଡ଼ିଶାର ଏସବୁ ସଂସ୍କତି ଓ ପରମ୍ପରାର ପ୍ରତୀକକୁ ନଷ୍ଟ କରିବା କ’ଣ ଓଡ଼ିଶାର ଅସ୍ମିତା ବୋଲି କହିଛନ୍ତି ଅପରାଜିତା । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶାସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ସେ କହିଛନ୍ତି, ଗତ ୫ ବର୍ଷ ହେବ ଓଡ଼ିଶାର ଶାସନ ଭାରକୁ ଜଣେ ହାଇଜାକ କରିଛନ୍ତି । ଏହି ବାବୁ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ହେଲେ ସାନବାବୁ ଜଣଙ୍କର ଅନୁମତି ଦରକାର ପଡୁଛି । ଆଗକୁ ସେ କହିଛନ୍ତି, ବିଜେଡି ନିଜ ଇସ୍ତାହାରରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ନ ନେବାକୁ ଘୋଷଣା କରିଛନ୍ତି । କିନ୍ତୁ ବିଜେପି କହୁଛି ଆଦୌ ବିଜୁଳି ବିଲ୍ ନେବନି, ବରଂ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଇବ । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ଅପରାଜିତା । ଓଡ଼ିଶାରେ ୪୨ ପ୍ରତିଶତ ଶିକ୍ଷିତ ଯୁବବର୍ଗ ଏବେ ବେକାରୀ । ଦେଶର ୨୨ ରାଜ୍ୟରେ ହୋଇଥିବା ବେକାରୀ ହାର ସର୍ଭେରେ ଓଡ଼ିଶା ୧ ନମ୍ବରରେ ରହିଛି । ଏତେବର୍ଷ ଶାସନ ଗାଦିରେ ବସିବା ପରେ କାହିଁକି ଏସବୁ ସମସ୍ୟାର ସମାଧାନ କରିନ, ତାହାର ଜବାବ ଓଡ଼ିଶାବାସୀଙ୍କୁ ଦେବାକୁ ଅପରାଜିତା ଆହ୍ବାନ ଦେଇଛନ୍ତି ।

Related Posts

About The Author

Add Comment