ସୁନ୍ଦରଗଡ ତା:୨୮/୪/୨୦୨୩( ସନ୍ଧାନ ନିଉଜ/ ରାଜୁ ପଟେଲ )ଶୁଖିଲା ଭାତକୁ ଟିକିଏ ଶାଗ । ଆଉ ଯଦି ଶାଗ ଟିକିଏ ନମିଳିଲା ତେବେ ଲୁଣଲଙ୍କା ଆସରା । ଖଣିଖାଦାନ ଭରା ସୁନ୍ଦରଗଡ ଜିଲ୍ଲାରେ ବସବା ସ କରୁଥିବା ପ୍ରତିଟି ଗରିବ ଆଦିବାସୀ ଘରର ଏ ହେଉଛି ନିତିଦିନିଆ ଖାଦ୍ୟ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡାକ ମିଳୁଛି ବୋଲି ଦି ଓଳି ଦି ମୁଠା ଭାତ ଟିକକ ଖାଇବାକୁ ପାଉଛନ୍ତି । ଯଦି ଚାଉଳ ସରିଯାଉଛି ତାହେଲେ ଅବସ୍ଥା ନକହିଲେ ଭଲ । ତେବେ ଖାଲି ଭାତରେ କେମିତି ଆସିବ ପୋଷଣ ? କେମିତି ମା’ କୋଳରେ ସୁସ୍ଥ ଶିଶୁଟିଏ ଖେଳିବ ? କେମିତି ଦୂରହେବ କୁପୋଷଣ ? ମା’ କ୍ଷୀର ସହିତ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟର ଅଭାବ ଶିଶୁର ଗଠନ ଉପରେ ଏତେ ପ୍ରଭାବ ପକାଇଥାଏ ଯେ, ପୋଷକତତ୍ତ୍ଵ ଅଭାବରୁ ଆବଶ୍ୟକ ଅନୁଯାୟୀ ଶିଶୁର ମାନସିକ ଏବଂ ଶାରିରୀକ ବିକାଶ ହୋଇପାରେନାହିଁ । ଏଭଳି ପରିସ୍ଥିତିରେ ଆବଶ୍ୟକ ପରିମାଣର ପୃଷ୍ଟିକର ଖାଦ୍ୟ ନ ମିଳିଲେ ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡ଼ିବସିବା ସହିତ ଶାରିରୀକ ତଥା ମାନସିକ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ଠିଆହେଉଛି ।ଏହି ଅଭାବୀ ମଣିଷମାନେ ନାହିଁ ନାହିଁ ଭିତରେ ହିଁ ବଞ୍ଚିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ପାଖରେ ଖଣି ଖାଦାନ ଭରିହୋଇ ରହିଥିଲେବି ଲୋକଙ୍କୁ କାମ ମିଳୁନି । ସେଥିପାଇଁ ତ ଅନେକ ଶିଶୁଙ୍କ ଅବସ୍ଥା ଏହିପରି ଦୁର୍ବଳ ଆଉ ରୋଗୀଣା । ଅଙ୍ଗନୱାଡିରୁ ମିଳୁଥିବା ଖାଦ୍ୟ ଖାଇବା ପରେ ବି କାହିଁକି କୁପୋଷଣର ଶିକାର ହେଉଛନ୍ତି ଏମାନେ ? ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରାଯାଇ ଗର୍ଭବତୀ ମହିଳାଙ୍କ ପାଇଁ ମା’ ଗୃହ ଏବଂ କୁପୋଷଣ ଶିଶୁଙ୍କ ପାଇଁ ପୃଷ୍ଟିକର ପୁନର୍ବାସ କେନ୍ଦ୍ର ବା NRC ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଛି । ତଥାପି ଜିଲ୍ଲାରେ ଅନେକ କୁପୋଷଣର ଶିକାର ଶିଶୁ ରହିଛନ୍ତି, ଯେଉଁମାନଙ୍କ ନିକଟକୁ ପ୍ରଶାସନ ପହଞ୍ଚି ପାରୁନାହିଁ । ଇଏ କେବଳ ଗୋଟିଏ ଅଞ୍ଚଳର କଥା ନୁହେଁ, ସବୁଠି ଅପପୁଷ୍ଟିର ସଙ୍ଗୀନ ସ୍ଥିତି । ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା ହୋଇଥାନ୍ତି । ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ରହିଛନ୍ତି । ଆଶ୍ଚର୍ଯ୍ୟକର କଥା,। ଆଉ ୧୩ ବର୍ଷରେ ୧୦୦ ବର୍ଷ ପୂରଣ କରିବ ଓଡ଼ିଶା । 2036 ବେଳକୁ ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଚେଇଁ ସୋଇଥିବ ଯିଏ ତାକୁ ଉଠାଇବ କିଏ? ଆଗରେ।ଇ ଦିନରେ ଜନସାଧାରଣଙ୍କ ପାଇଁ ଏକ ଏହା ବିରାଟ ପ୍ରଶ୍ନ ?
ଏକ ନମ୍ବର ଓଡିଶା ଗଢିବା ଭିତରେ ଓଡ଼ିଶାର ଗରିବଙ୍କ ଦୁଃଖଦ କଥା
|
April 28, 2023 |