ବାରିପଦା ୧୩/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାସଗୋବିନ୍ଦପୁର ତହସିଲ ଅଧୀନ ଜମ୍ଭୀରା ନଦୀର ଏକତାଳି ବାଲିଶଯ୍ୟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ପଡୋଶୀ ଜିଲା ବାଲେଶ୍ଵର ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି । ଜମ୍ଭୀରା ନଦୀ ବାଲିର ଚାହିଦାକୁ ଦୃଷ୍ଟିରେ ରଖୁ ବାଲିଶଯ୍ୟ ନିଲାମ ନେଇଥିବା ନିଲାମଧାରୀ ସ୍ଥାନୀୟ ଲୋକଙ୍କୁ ବାଲି ନ ଦେଇ ଅଧିକ ମୂଲ୍ୟରେ ବାଲି ବିକ୍ରି କରୁଥିବାରୁ ସ୍ଥାନୀୟ ଲୋକେ ଗୃହନିର୍ମାଣ ଆଦି କାର୍ଯ୍ୟ କରିବାରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅଗ୍ରାଧିକାର ଭାବେ ବାଲି ବିକ୍ରି କରାଯିବା ପାଇଁ ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସାରାଣୀ ରାମ, ବ୍ଲକ ଅଧ୍ୟକ୍ଷ କୁନା ହାଁସଦା ବାଲିଶଯ୍ୟ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ନିବେଦନ କରିଥିଲେ। ମାତ୍ର ନିଜର ମୁନାଫାକୁ ଦୃଷ୍ଟିରେ ରଖ୍ – ନେତୃସ୍ଥାନୀୟ ବ୍ୟକ୍ତିଙ୍କ କଥାକୁ ଖାତିର କରି ନ ଥିଲେ । ବିଳମ୍ବିତ ରାତିରେ ନଦୀଶଯ୍ୟାରୁ ଜେସିବି ମେସିନ ଦ୍ବାରା ବାଲି ଉତ୍ତୋଳନ କରି ଡମ୍ପର ଓ ଟ୍ରାକ୍ଟର ଦାରା ବାଲିଆପାଳ, ବସ୍ତା, ଜଳେଶ୍ଵର ଆଦି ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି । ବିନା ରୟାଲଟିରେ ଶହଶହ ଟ୍ରିପ୍ ବାଲି ଚାଲାଣ କରାଯାଉଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ହେଉଛି । ରାସଗୋବିନ୍ଦପୁର ତହସିଲ ତରଫରୁ ରୟାଲଟି ଯୋଗାଇ ଦିଆଯାଉଥିବା ବେଳେ ୨/୪ଟି ଗାଡିକୁ ରୟାଲଟି ପେପର ପ୍ରଦାନ କରାଯାଇ ଅନ୍ୟ ଗାଡିଗୁଡିକୁ ଆଦୌ ରୟାଲଟି ଦିଆଯାଉ ନାହିଁ । ଏପରିକି ରାଜସ୍ବ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉ ନ ଥିବାରୁ ଗୋଟିଏ ରୟାଲଟି ପେପରରେ ବେଧଡକ ଭାବେ ଦିନତମାମ ବାଲି ଚାଲାଣ ହେଉଛି। ଏତଦବ୍ୟତୀତ ରୟାଲଟି ପେପରରେ ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ଉଲ୍ଲେଖ କରାଯାଉନାହିଁ । ଏକତାଳୀ ଘାଟରୁ ଏଭଳି ଭାବେ ଚୋରାଚାଲାଣ ହେଉଥିବାନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ତେବେ ପ୍ରଶାସନ ପକ୍ଷରୁ ଚୋରା ବାଲିଚାଲାଣ ରୋକାଯିବା ଦିଗରେ ସଠିକ ପଦକ୍ଷେପ ନିଆଯାଉ ନ ଥିବାରୁ ବାଲିମାଫିଆ ମାନେ ସ୍ଥାନୀୟ ଅଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତିଙ୍କୁ ମଦ, ମାଂସ ଭୋଜି ଦେଇ ବେଆଇନ ଚୋରା ବାଲିଚାଲାଣ କାର୍ଯ୍ୟ ଜାରି ରଖିଛନ୍ତି । ମଙ୍ଗଳବାର ରାଘବପୁର ପଞ୍ଚାୟତର ଜନସାଧାରଣ ସମେତ ବ୍ଲକ ଅଧ୍ୟକ୍ଷ କୁନା ହାଁସଦା, ରାଘବପୁର ସରପଞ୍ଚ ଜ୍ୟୋସ୍ନାରାଣୀ ରାମ, ପୂର୍ବତନ ସରପଞ୍ଚ ଚନ୍ଦନ ରାମ ପ୍ରମୁଖ ବେଆଇନ ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଅଟକ ରଖି ତହସିଲଦାରଙ୍କୁ ଖବର ଦେଇଥିଲେ ଖବରପାଇ କମାରଡିହା ରାଜସ୍ବ ନୀରିକ୍ଷକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଉପସ୍ଥିତିରେ ବାଲିବୋଝେଇ ଟ୍ରାକ୍ଟର ଜବତ କରିଥିବା ଜଣାପଡ଼ିଛି ।
ଏକତାଳୀ ଘାଟରୁ ଚିଲିଛି ବେଆଇନ ବାଲିଚାଲାଣ ଗ୍ରାମବାସୀଙ୍କ ଦ୍ବାରା ବାଲିଗାଡି ଜବତ
|
August 13, 2020 |
