ତିହିଡି,୯/୧୨ (ସନ୍ଧାନ ନିଉଜ) : ଦିବ୍ୟାଙ୍ଗମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ଏନେଇ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କୁ ଚିହ୍ନଟ କରିବା ସହିତ ସରକାରୀ ସାର୍ଟିଫିକେଟ ପ୍ରଦାନ କରାଯାଉଛି । ପରେ ଆବଶ୍ୟକ ମୁତାବକ ସରକାରୀ ସହୟତା ପ୍ରଦାନ କରାଯାଉଛି । ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା, ମାସିକ ଭତ୍ତା, ରେସନ ସାମଗ୍ରୀ, ଆବାସ ଯୋଜନା ସହିତ ସରକାରୀ ସ୍ତରରେ କମ ସୁଧ ହାରରେ ଋଣ ପ୍ରଦାନ କରି ପରିବାରର ଆର୍ଥିକ ସୁଧାର ଆଣିବା ଲାଗି ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି । ତେବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ଗ୍ରାମର ପରମାନନ୍ଦ ନାୟକଙ୍କ ପୁଅ ରଘୁନାଥ ନାୟକ(୨୬) ଶହେ ପ୍ରତି ଦିବ୍ୟାଙ୍ଗ (ଅନ୍ଧ, ମୁକ ଓ ବଧିର)ରେସନ ଚାଉଳରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି । ସରକାରଙ୍କ ଖାଉଟି କାର୍ଡ ସଂଶୋଧନ ଆଇନ ବଳରେ ଗତ ତା ୦୨.୧୦.୧୮ ରିଖରେ ମାଆ, ବାପା ଓ ଏହି ଦିବ୍ୟାଙ୍ଗ ନାମରେ ରେସନ କାର୍ଡ ମିଳିଛି । ତାଙ୍କ ମାଆଙ୍କ ନାମରେ ଏହି ରେସନ କାର୍ଡ ସୁଲୋଚନା ନାୟକ(କାର୍ଡ ନମ୍ବର-୦୪୦୭୨୪୧୧୫୨୪) ମିଳିଥିବା ଜଣାଯାଇଛି । ହେଲେ ଚାଉଳ ଆଣିବା ବେଳକୁ ଗଲାବେଳକୁ ପକ୍ଷରୁ ଅନ୍ଲାଇନ୍ରେ ଆସୁନଥିବା କହି ପଞ୍ଚାୟତ ପ୍ରଶାସନ ଫେରେଇ ଦେଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାବତ ତାଙ୍କୁ ରେସନ ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସରପଞ୍ଚ ବୈକୁଣ୍ଠନାଥ ପାଣିଙ୍କୁ ପଚାରିବାରୁ କୌଣସି କାରଣରୁ ଏପରି ବ୍ୟତିକ୍ରମ ହୋଇଥିବା ବେଶ ଅନୁମେୟ, ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଚାଉଳ ଯୋଗାଇ ଦେବାଲାଗି ବ୍ୟବସ୍ତା କରାଯିବ ବୋଲି କହିଛନ୍ତି ।
ଉପେକ୍ଷିତ ଅନ୍ଧ, ମୁକ ଓ ବଧିର ଦିବ୍ୟାଙ୍ଗ ରଘୁନାଥ ୨ ବର୍ଷ ହେଲା ରେସନ କାର୍ଡ ମିଳିଛି ହେଲେ ଚାଉଳ ମିଳୁନି
|
December 9, 2019 |
