ଯାଜପୁର, ୧୮/୦୬/୨୦୨୧ (ସନ୍ଧାନ ନିଉଜ) : ଦିନକୁ ଦିନ ଯାଜପୁର ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ବିଭିନ୍ନ କାରଣରୁ ଲୋକେ ଗ୍ରାମାଂଚଳରେ କରୋନା ପରୀକ୍ଷା କରୁ ନାହାନ୍ତି । ଫଳରେ ରୋଗ ଶେଷ ଅବସ୍ଥାରେ ପହଂଚିବା ପରେ ପରିସ୍ଥିତି ଅଣାୟତ ହେଉଛି । କରୋନା ରୋଗୀ ରୋଗ ଚିହ୍ନଟ କରି ହୋମ କ୍ୱାରେଂଟାଇନରେ ରହୁ ନଥିବାରୁ ସେମାନେ ମଧ୍ୟ ସୁପର ସ୍ପ୍ରେଡର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବି.ଜେ.ଡି ନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗାଁରେ ଉପକୂଳ ଓଡିଶାର ପ୍ରଥମ ସେରୋସର୍ଭେ ଶୁକ୍ରବାର କରାଯାଇଛି । ଏଥିପାଇଁ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଭୁବନପୁର ଏବଂ ଏହା ନିକଟ କୁକୁଡାଖାଳେଇ ଗାଁରେ ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଭୁବନପୁରରେ ପ୍ରାୟ ୭ ଜଣ କରୋନା ରୋଗୀ ପୂର୍ବରୁ ଚିହ୍ନଟ ହୋଇଛନ୍ତି । ହେଲେ ଅନେକ ରୋଗୀ ପରୀକ୍ଷା କରୁ ନଥିବାରୁ ସେମାନଙ୍କ ରୋଗ ଚିହ୍ନଟ ହୋଇ ପାରୁନାହିଁ । ସେହିପରି କୁକୁଡାଖାଳିରେ ଦୁଇଜଣଙ୍କ ମୃତ୍ୟ ହୋଇଥିଲେ ମଧ୍ୟ ସେମାନେ ପରୀକ୍ଷା କରି ନଥିଲେ । ଧର୍ମଶାଳାର ଅନେକ ଗାଁରେ ଏଭଳି ଦୁରାବସ୍ଥା ନେଇ ସତୀଶ ବିଶ୍ୱାଳ ଗୁରୁବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ବିଭିନ୍ନ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ । ଏଥିନେଇ ତତକ୍ଷଣାତ ସରକାରଙ୍କ ତରଫରୁ ସେରୋ ସର୍ଭେ ପାଇଁ ନିଷ୍ପତି ନିଆଯାଇ ପରଦିନ ଶୁକ୍ରବାରରେ ଏହି ସର୍ଭେ ସହ ଗାଁରେ କରୋନା ପରୀକ୍ଷା ପାଇଁ କ୍ୟାମ୍ପ ପକା ଯାଇଥିଲା । ଏହି ସର୍ଭେ ଏବଂ କ୍ୟାମ୍ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସୁଧୀର କୁମାର ସାହୁ, ହରିଦାସପୁର ଡାକ୍ତର ଅଜିତ କୁମାର ନାୟକ, ଆୟୁସ ମେଡିକାଲ ଅଫିସର ବିସ୍ମିତା ମହାରଣା, ଆୟୁସ ଡାକ୍ତର ସଂଜୟ କୁମାର ଓଝା, ବ୍ଲକ ପ୍ରୋଗାମିଂ ଅଧିକାରୀ ବିଜୟ ବେହେରା, ଏ.ଏନ.ଏମ ମଧୁସ୍ମିତା ମଙ୍ଗରାଜ, କୋଭିଡ ଫର୍ମାସିଷ୍ଟ ମନୀଷା ସ୍ୱାଇଁଙ୍କ ସହ ପରୀକ୍ଷା ବିଷେଷଜ୍ଞ ଏବଂ ଅଙ୍ଗନବାଡିର କର୍ମଚାରୀମାନେ ଯୋଗ ଦେଇଥିଲେ । ବିଭାଗୀୟ କର୍ମଚାରୀମାନେ ଗାଁରେ ଘର ଘର ବୁଲି ସର୍ଭେ କରିଥିଲେ । ତେବେ ଏହାପରେ ବି ଅନେକ ଲୋକ ପରୀକ୍ଷା ପାଇଁ ଆସି ନଥିଲେ । ଏପରିକି ଜ୍ୱର ହୋଇଥିବା ଅନେକ ଲୋକ ମଧ୍ୟ ପରୀକ୍ଷା ପାଇଁ ଆସି ନଥିଲେ । ଏହି ପରୀକ୍ଷାରେ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିନେଇ ସତୀଶ କହିଛନ୍ତି ଯେ, ଲୋକଙ୍କ ନିକଟରେ ସରକାରୀ ସେବା, ସୁବିଧା ଏବଂ ପ୍ରଶାସନ ପହଂଚିବା ନବୀନ ପଟ୍ଟନାୟକଙ୍କ ସରକାରଙ୍କ ମୂଳ ଲକ୍ଷ । ଏଭଳି ଆପଦକାଳୀନ ପରିସ୍ଥିତିରେ ମଧ୍ୟ ସରକାର ଏହି ଲକ୍ଷର ସଫଳ ରୂପାୟନ ସଫଳ ଉଦ୍ୟମ କରୁଛନ୍ତି । ଧର୍ମଶାଳାରେ ଥିବା ଏଭଳି ଗାଁ ଗୁଡିକରେ ତୁରନ୍ତ ଏଭଳି ସଚେତନତା କରାଯିବା ସହ ଗାଁରେ ସାନିଟାଇଜ କରାଯିବାକୁ ସତୀଶ ଅନୁରୋଧ କରିଛନ୍ତି ।
ଉପକୂଳ ଓଡିଶାର ପ୍ରଥମ ସେରୋ ସର୍ଭେ: କୃତଜ୍ଞତା ଜଣାଇଲେ ସତୀଶ ବିଶ୍ୱାଳ
|
June 18, 2021 |