ଉପକୂଳରେ ଶକ୍ତିଶାଳୀ ହେଉଛି ବିଜେପି, ଭାଙ୍ଗିପାରେ ବିଜେଡି ଗଡ

Spread the love

ଭୁବନେଶ୍ୱର, ୧୫/୩ (ସନ୍ଧାନ ନିୟୁଜ) ନିର୍ବାଚନୀ ଉଷ୍ମତା ମଧ୍ୟରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦାନ ଦଳକୁ ଉପକୂଳ ଓଡ଼ିଶାରେ ଅଧିକ ଶକ୍ତିଶାଳୀ କରାଇବାର ଆଭାସ ମିଳିଛି। ରାଜ୍ୟ ବିଜେପି ପାଇଁ ଏହି ଦୁଇ ନେତାଙ୍କ ଯୋଗଦାନ ‘ସୋନେ ପେ ସୁହାଗା’ ହୋଇଥିବାବେଳେ ବିଜେଡି ନିମନ୍ତେ ନିଜର ଗଡ଼କୁ ସୁରକ୍ଷିତ ରଖିବା ଏକ ଚ୍ୟାଲେଞ୍ଜ ପାଲଟିଛି। ବିଜେଡିର ଦୁର୍ଗ ଭାବେ ପରିଚିତ ଉପକୂଳ ଓଡ଼ିଶାରେ ଏହି ଦୁଇ ନେତାଙ୍କ ପତିଆରା ଓ ଅଭିଜ୍ଞତା ହିଁ ବିଜେପିକୁ ନିର୍ବାଚନୀ ସଫଳତା ଦେବାର ସମ୍ଭାବନା ସୃଷ୍ଟି ହୋଇଛି।

ରାଜ୍ୟ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ବିଜେପିକୁ ଘରବାହୁଡ଼ା ହେବାର ସମ୍ଭାବନା ଥିବାବେଳେ ଖାରବେଳ ସ୍ୱାଇଁ ଓ ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ନେତାମାନେ ବିଜେପି କ୍ୟାମ୍ପକୁ ଲମ୍ଫ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ବରିଷ୍ଠ ନେତାମାନଙ୍କ ମାଧ୍ୟମରେ ବିଜେପି ନିଜର ବଳ ଜୁଟାଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ତା’ର ଦୁର୍ଗ(ଉପକୂଳ ଓଡ଼ିଶା)ରେ କଡ଼ା ଟକ୍କର ଦେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ୨୦୦୦ ମସିହାରୁ ଉପକୂଳ ଓଡ଼ିଶା ହିଁ ବିଜେଡିର ଅଭେଦ୍ୟ ଦୁର୍ଗ ପାଲଟିଛି।ମାତ୍ର କିଛିଦିନ ମଧ୍ୟରେ ବିଜେପି ଯେଭଳି ଭାବେ ରାଜ୍ୟରେ ନିଜର କଳେବର ବୃଦ୍ଧି କରିଚାଲିଛି ତାହା ଗୋଷ୍ଠୀକନ୍ଦଳରେ ଉବୁଟୁବୁ ହେଉଥିବା ବିଜେଡି ପାଇଁ ସତର୍କ ଘଣ୍ଟି ପାଲଟିଛି।

ବିଜେଡିରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଥିବା ନେତାମାନେ ଏବେ ଧୀରେଧୀରେ ବିଜେପି ମୁହାଁ ହେବାରେ ଲାଗିଛନ୍ତି। ତା’ଛଡ଼ା ବୈଜୟନ୍ତ ଓ ଦାମଙ୍କ ଭଳି ଅଭିଜ୍ଞ ରାଜନେତାଙ୍କ ଭୋଟ୍ ଅଙ୍କକଷା ବିଜେପି ପାଇଁ ପାୱାରପ୍ଲସ୍ ସାବ୍ୟସ୍ତ ହେବ। ତା’ଛଡ଼ା ଏହି ଦୁଇ ନେତାଙ୍କର ବ୍ୟକ୍ତିଗତ ଭାବେ ବିଜେଡିର ବହୁ ନେତାଙ୍କ ସହ ସମ୍ପର୍କ ରହିଛି। ଯାହାର ଫାଇଦା ବିଜେପିକୁ ମିଳିବ। ବିଜେଡିର ଦୁର୍ଗ ପାଲଟିଥିବା ଉପକୂଳର ୯ଟି ଜିଲ୍ଲା ଯଥା ବାଲେଶ୍ୱର,ଭଦ୍ରକ, ଯାଜପୁର, କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର,ଖୋର୍ଦ୍ଧା, ନୟାଗଡ଼ ଓ ପୁରୀର ୫୫ଟି ବିଧାନସଭା ଆସନ ହିଁ ବିଜେପିକୁ ରାଜ୍ୟରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ କରାଇବ।

ତଥ୍ୟ ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଏହି ୯ଟି ଜିଲ୍ଲାର ୮ଟି ଲୋକସଭା ଆସନକୁ ଦଖଲ କରିଥିବାବେଳେ ୫୦ଟି ବିଧାନସଭା ଆସନକୁ ନିଜ ଅକ୍ତିଆରରେ ରଖିପାରିଥିଲା। ବାଲେଶ୍ୱର ଓ ଖୋର୍ଦ୍ଧାରେ ବିଜେପିକୁ ଗୋଟିଏ ଲେଖାଁଏ ବିଧାନସଭା ଆସନ ଏବଂ କଂଗ୍ରେସକୁ କଟକ ଓ କେନ୍ଦ୍ରାପଡ଼ାରେ ୩ଟି ବିଧାନସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଯଦିଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଏହି ଉପକୂଳ ଜିଲ୍ଲାଗୁଡ଼ିକରେ ନିଜର ସ୍ଥିତିରେ ସାମାନ୍ୟ ସୁଧାର କରିପାରିଛି କିନ୍ତୁ ପ୍ରଭାବଶାଳୀ ନେତାଙ୍କ ଅଭାବ ଯୋଗୁ ବିଜେଡିକୁ ଟକ୍କର ଦେବା ଭଳି ବଳ ଜୁଟାଇ ପାରିନଥିଲା। ଏବେ ବୈଜୟନ୍ତ ଓ ଦାମଙ୍କ ମିଶ୍ରଣ ପରେ ବିଜେପିକୁ ଅତ୍ୟନ୍ତପକ୍ଷେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା ଓ ବାଲେଶ୍ୱର ଭଳି ଜିଲ୍ଲାରେ ଅଧିକ ସଫଳତା ମିଳିବାର ସମ୍ଭାବନା ରହିଛି। ଯଦି ନିକଟ ଭବିଷ୍ୟତରେ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ, ବ୍ରଜ ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ବିଜେପିରେ ସାମିଲ ହୁଅନ୍ତି, ତା’ହେଲେ ବିଜେଡିକୁ ନିଶ୍ଚିତ ଭାବେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ । ପୂର୍ବରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିପାରିଥିବା ବିଜେପିକୁ ଉପକୂଳରେ ସଫଳତା ମିଳିଲେ ରାଜ୍ୟରେ କ୍ଷମତା ଦଖଲ କରିବାରେ ଦଳକୁ କେହି ଅଟକାଇ ପାରିବେ ନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

Related Posts

About The Author

Add Comment