ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତା

Spread the love

ଶତପଥୀ ବାବୁ ହେଉଛନ୍ତି ସେ ବେଳ ର ଡବଲ୍ ଏମ .ଏ .

ସାହିତ୍ୟ ଏବଂ  ରାଜନୀତି ବିଜ୍ଞାନ ।

ପିଲାବେଳୁ ସାହିତ୍ୟ ,ସଂସ୍କୃତି ,ସମାଜ ସେବା ,ରାଜନୀତି ,ସାମ୍ବାଦିକତା ଆଦିରେ ରୁଚି ରଖନ୍ତି ।ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ,ବିଶ୍ୱବିଦ୍ୟାଳୟ ଯାଏ ନନା ବୋଲି କହିଦେଲେ ସମସ୍ତେ ଜାଣନ୍ତି ।ଛାତ୍ର ଜୀବନରେ ସେ ବୃକ୍ଷ ରୋପଣ ହେଉ ,କି ବନ୍ୟା ,ବାତ୍ୟା ,ମରୁଡି ପରି ପ୍ରାକୃତିକ ଦୁର୍ବିପାକ ରେ ଖାଦ୍ୟ ବଣ୍ଟନ ହେଉ ,ଅବା କେଉଁଠି ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ ନନା ସବୁଠି ଆଗରେ ଥାଆନ୍ତି | କଳା ରଙ୍ଗର ପୁରା ପ୍ୟାଣ୍ଟ କୁ ଧଳା ରଙ୍ଗର ହାପ୍ ଜାମା ଖଣ୍ଡେ |ପାଦରେ ରେ କଳା ଜୋତା ଆଉ ବାମ ହାତରେ ଗୋଟିଏ ସୁନେଲି ରଙ୍ଗର ଟାଇଟନ ଘଣ୍ଟା | ଆଙ୍ଗୁଳିରେ ଦୁଇ ଚାରିଟି ବିଭିନ୍ନ ରଙ୍ଗର ପଥର ବସା ମୁଦି (ଗ୍ରହ ଓ ନକ୍ଷେତ୍ର ଅନୁସାରେ )| ପକେଟ ରେ ଗୋଟେ ଶସ୍ତା କଲମ ସାଙ୍ଗକୁ ମଳିଚିଆ ଚଷମା ଖୋଳ |ଏସବୁ ଭିତରେ ନିଶ ଟି ନନା ଙ୍କର ଖୁବ ଆକର୍ଷଣୀୟ |ସଦା ସର୍ବଦା ହସ ହସ ମୁଖ ମଣ୍ଡଳ | ଅତି ନିରାଡ଼ମ୍ବର ଜୀବନ ଯାପନ ଶୈଳୀ  |ଉଚ୍ଚ କୋଟିର ଚିନ୍ତାଧାରା | ଭଗବତ ପ୍ରେମୀ ,ସରଳ ବିଶ୍ୱାସୀ ,ପ୍ରକୃତି ପ୍ରେମୀ ,ରାଷ୍ଟ୍ରବାଦୀ ଚିନ୍ତାଧାରା ରେ ଅନୁପ୍ରାଣିତ  ଜଣେ ଉଚ୍ଚ ଶିକ୍ଷିତ ,ଜ୍ଞାନୀ ,ଗୁଣି ,ପରୋପକାରୀ ,ସାହସୀ ,ସଚ୍ଚୋଟ ,ନିଃସ୍ୱାର୍ଥପର ,ସ୍ୱାଭିମାନୀ ,ଯୁକ୍ତାତ୍ମକ ମନୋଭାବ ଧାରୀ ମଣିଷ ଟିଏ ହେଲେ ବି କେବେ ସରକାରୀ ଚାକିରୀ କିମ୍ବା ବ୍ୟବସାୟ ପଛରେ ଗୋଡ଼ାଇ ନାଁହାନ୍ତି | ବହୁତ ଭଲ ଭଲ ଚାକିରୀ କୁ ପ୍ରତ୍ୟାଖାନ କରିଛନ୍ତି ତାଙ୍କର ଜନମଙ୍ଗଳ କାରୀ ଚିନ୍ତାଧାରା ,ସମାଜ ସେବା ତଥା ସାହିତ୍ୟ ସାଧନା ପାଇଁ |
ସମାଜ ସେବା ,ସାହିତ୍ୟ ଏବଂ ସଂସ୍କୃତି କୁ ଆଜୀବନ  ବ୍ରତ ରୂପରେ ଗ୍ରହଣ କରିନେଇଛନ୍ତି  |
ସମାଜ ,ସାହିତ୍ୟ ଓ ପ୍ରକୃତି ପ୍ରେମରେ କେତେବେଳେ ଯେ  ଯୌବନ ଅତିକ୍ରମ କରିଯାଇଛି ସେସବୁ ବି ଅଜ୍ଞାତ ରେ ରହିଯାଇଛି | ପାରିବାରିକ ଚାପ ରୁ ହେଉ ଅବା ଜୈବିକ ଉତ୍ତରାଧିକାରୀ ଉଦ୍ଧେଶ୍ୟ ରେ ହେଉ ଶେଷରେ ଅର୍ଦ୍ଧ ବୃଦ୍ଧ ବୟସରେ ଶୈଶବ ବେଳ ର ବାନ୍ଧବୀ ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୁଅନ୍ତି |ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଜଣେ ଉଚ୍ଚ ଶିକ୍ଷିତା ନାରୀ |ସରକାର ଙ୍କ ଶିକ୍ଷା ବିଭାଗରେ ଜଣେ କର୍ମଠ ,ଜନପ୍ରିୟ ,ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ ସୁଖ୍ୟାତି ରହିଛି | କର୍ମ ରେ ବିଶ୍ୱାସ ରଖୁଥିବା ଜଣେ ଦୃଢ଼ମନା ପତିଭକ୍ତା ନାରୀ ସେ |ସମ୍ପୂର୍ଣ ନାସ୍ତିକ ନହେଲେ ବି ପୂଜାପାଠ ,ଧର୍ମ ଉପରେ ସେତେଟା ବିଶ୍ୱାସ ରଖନ୍ତିନି | ନନା ଙ୍କର ଗୃହିଣୀ ହିସାବରେ ବି ସମାଜରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥାଏ | ଏସବୁ ସାହିତ୍ୟ ସାଧନା ,ସାମ୍ବାଦିକତା ,ସମାଜସେବା ,ପ୍ରକୃତିପ୍ରେମ ଆଦିରେ ସେତେଟା ରୁଚି ରଖି ନଥାନ୍ତି  ମ୍ୟାଡମ ଭାଗ୍ୟଲକ୍ଷ୍ମୀ |ସମୟେ ସମୟେ ଶତପଥୀ ବାବୁ ଙ୍କୁ ବି ଏସବୁ ରୁ ନିବୃତ୍ତ ରହିବାକୁ  ବା ଅଳ୍ପ ସମୟ ଦେବା ପାଇଁ ପ୍ରବର୍ତ୍ତାଇବା କୁ ପଛ ଘୁଞ୍ଚା ଦିଅନ୍ତିନି  | ଜଣେ
ପ୍ରଭାବଶାଳୀ ଆଗଧାଡିର ସାମାଜିକ କର୍ମୀ ହିସାବରେ ଅ ନ୍ୟାୟ ,ଅତ୍ୟାଚାର ,ଦୁର୍ନୀତି ଓ ସମାଜ ର ଅବହେଳିତ ,ଦରିଦ୍ର ,ଦିନଦୁଃଖୀ ଙ୍କ ପାଇଁ ଅଶାର ଆଲୋକ ସାଜିଥିବା ନନା ଙ୍କ ବାସ ଗୃହରେ ପ୍ରାୟତଃ ବିଭିନ୍ନ ବର୍ଗର ର ଜନତା ଙ୍କ ଭିଡ଼ ଲାଗିଥାଏ  | ବେଳେ ବେଳେ ମ୍ୟାଡମ ଭ୍ୟାଗଲକ୍ଷ୍ମୀ ବି ଏସବୁ ରେ ବିରକ୍ତି ପ୍ରକାଶ କରନ୍ତି | ଦୁଇ ଜଣ ଙ୍କ ମଧ୍ୟ ରେ ଥିବା ଅଗାଢ଼ ବିଶ୍ୱାସ ଓ ଭଲ ପାଇବା ପାଇଁ ବୋଧ ହୁଏ ଏସବୁ ତାଙ୍କର ପାରିବାରିକ ଜୀବନ  ଉପରେ ବେଶୀ କିଛି ପ୍ରଭାବ ରଖେନି | ସ୍ମିତହାସ୍ୟ ଦେଇ ନନା ଧର୍ମପତ୍ନୀ ଙ୍କ କଥା କୁ ଗୁରୁତ୍ୱର ସହ ନ ନେଇ ତାଙ୍କ କାର୍ଯ୍ୟ କରିଚାଲନ୍ତି |
ସମୟର ସ୍ରୋତ ଓ ପ୍ରକୃତି ର ନିୟମରେ ଦୁହିଁଙ୍କ ଔରସ ରୁ ଜାତ ପୁତ୍ର ସନ୍ତାନ ଧୀରେ ଧୀରେ ବଢିଚାଲେ |
ପିତା ଙ୍କର ସମାଜ ,ସଂସ୍କୃତି ଓ ସାହିତ୍ୟ କୁ ଭଲ ପାଉଥିବା ଭଳି ମଣିଷ କରି ଗଢି ତୋଳିବାର ଆଶା ଓ ସ୍ୱପ୍ନ ,ମାତାଙ୍କର ଉଚ୍ଚ ଶିକ୍ଷିତ ହୋଇ ସମାଜରେ ନିଜ ପ୍ରତିଷ୍ଠା ଲାଭ କରିବା ସହ ପେଶା କୁ ପ୍ରାଧାନ୍ୟ ଦେଇ ଦେଶ ସେବାରେ ନିୟୋଜିତ ହେବାର ଇଚ୍ଛା ଶକ୍ତି ମଧ୍ୟରେ ଆଶୀର୍ବାଦ ଶତପଥୀ ଜଣେ ବିଚକ୍ଷଣ ଦକ୍ଷତା ସମ୍ପର୍ନ୍ନ ବିଦ୍ୟାର୍ଥୀ ଭାବେ ସମାଜରେ ଉଭା ହୁଅନ୍ତି | ନନା ଙ୍କର ବ୍ୟସ୍ତ ବହୁଳ ଜୀବନ ଭିତରେ ପରିବାର ପ୍ରତି ଦେଉଥିବା ସ୍ୱଳ୍ପ ସମୟ ପୁତ୍ର ଆଶୀର୍ବାଦ ଙ୍କୁ ପିତା ଙ୍କର ଆଦର୍ଶ ,ନୀତି ଓ ପରୋପକାରିତା ସ୍ୱଭାବ ଏତେଟା ପ୍ରଭାବିତ କରିପାରେନି | କିନ୍ତୁ ମା ଙ୍କର ନିଷ୍ଠା ଓ ପଥ ପ୍ରଦର୍ଶନ ରେ ଵିଜ୍ଞାନ ପ୍ରତି ଆସକ୍ତି ବଢି ଚାଲେ | ପ୍ରତିଯୋଗିତା ମୂଳକ ଶିକ୍ଷା ରେ ଆଶୀର୍ବାଦ ଶତପଥୀ ଇଂଗ୍ରାଜୀ ବିଦ୍ୟାଳୟ ରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୁଅନ୍ତି | ଏସବୁ ମଧ୍ୟରେ ଭାଷା ,ସାହିତ୍ୟ ,ସମାଜ ,ସଂସ୍କୃତି ପ୍ରତି ତାଙ୍କର ରୁଚି ଯେ ଆଉ ନଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ | ବିଜ୍ଞାନ କୁ ପେଶା ଓ ନିଶା ରେ ପରିଣତ କରି ଧର୍ମ,ଭଗବତ  ପ୍ରେମ ଓ ସମାଜବାଦୀ ଚିନ୍ତାଧାରା ରୁ ଦୂରେଇ ଯାଆନ୍ତି ଶ୍ରୀମତୀ /ଶ୍ରୀଯୁକ୍ତ ଶତପଥୀ ଙ୍କ ସୁପୁତ୍ର ଆଶୀର୍ବାଦ ଶତପଥୀ | ପରିଶେଷ ରେ ଭାରତ ର ଏକ ମର୍ଯ୍ୟାଦାସମ୍ପନ୍ନ ବୈଷୟିକ ଅନୁଷ୍ଠାନ ରୁ ଆଇ .ଆଇ .ଟି ଇଞ୍ଜିନିଅର ଭାବେ ଉତ୍ତୀର୍ଣ୍ଣ ହୁଅନ୍ତି ଆଶୀର୍ବାଦ ଶତପଥୀ | ବହୁ ଆଶା ଓ ଭରଷା ନେଇ ଉତ୍ସାହିତ ହୋଇଉଠନ୍ତି ଜ୍ଞାତି କୁଟୁମ୍ବ ,ସାହି ଭାଇ ଏବଂ ଅଂଚଳ ବାସୀ | ବିଭିନ୍ନ ସାମାଜିକ ଅନୁଷ୍ଠାନ ,ସ୍ୱେଚ୍ଛାସେବୀ ସଙ୍ଗଠନ  ତଥା ରାଜନେତା ମାନଙ୍କ ଠାରୁ ମିଳେ ଅନେକ ଶୁଭେଚ୍ଛା ଓ ପ୍ରଂଶସା | ଅଂଚଳ ର ଗର୍ବ ଓ ଗୌରବ ଭାବେ  ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ପିତା ମାତା ଯାଏ ସମସ୍ତଙ୍କର ଆଶୀର୍ବାଦ ଓ ସ୍ନେହ ନେଇ ସୁଦୂର ଆମେରିକା ର ଏକ ପ୍ରତିଷ୍ଠିତ ମର୍ଯ୍ୟାଦାସମ୍ପନ୍ନ ବହୁ ରାଷ୍ଟ୍ରାୟତ କମ୍ପାନୀ ରେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଯୋଗଦିଅନ୍ତି | “ମା “ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଙ୍କର ସବୁ  ସ୍ବପ୍ନ ପୂର୍ଣ   ହୋଇଯାଏ | ଖୁସି ର ଅଶ୍ରୁ ଝରିପଡ଼େ ତାଙ୍କର ନୀଳ ନୟନ ଦ୍ୱୟରୁ | ଏପଟେ ନନା ପୁତ୍ର ର ସଫଳତା ରେ  କିଛି କ୍ଷଣ ପାଇଁ ଭାବ ବିହ୍ଵଳ ହୋଇଯାଇଥିଲେ ବି ମନ ମଧ୍ୟରେ କିଛି ଦୁଃଖ ଓ କୋହ ରହିଯାଇଥାଏ | ମନରେ ନାନାଦି ପ୍ରଶ୍ନ ଉଙ୍କି ମାରୁଥାଏ ପୁଅର ବିଦେଶ ଯାତ୍ରା ଓ ପୁଅର ପେଶାଦାର ଶିକ୍ଷା ପାଇଁ | ତଥାପି ଏସବୁ କୁ ନିଜ ମଧ୍ୟରେ ଲୁଚାଇ ରଖି ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଙ୍କ ଆଗରେ କୃତ୍ରିମ ଆନନ୍ଦ ପ୍ରକଟ କରୁଥାଆନ୍ତି | କାଳକ୍ରମେ କାର୍ଯ୍ୟବ୍ୟସ୍ତତା ଓ ନିଜର କମ୍ପାନୀ ପ୍ରତି ଦାୟିତ୍ୱବୋଧ ସକାଶେ ବାପା ମା ଙ୍କ ସହ ଦୂରଭାଷ ରେ ସଂଯୋଗ ବି କମି କମି ଆସେ |ବନ୍ଧୁ ବାନ୍ଧବ ,ସାଙ୍ଗସାଥୀ  ଙ୍କ ଠାରୁ ବି ଅଜାଣତରେ ବହୁତ ଦୂରେଇ ଯାଆନ୍ତି ଆଶୀର୍ବାଦ |
ନିଜର କାର୍ଯ୍ୟ ଦକ୍ଷତା ଏବଂ କୌଶଳ ପାଇଁ ଆମେରିକା ରେ ବେଶ ସଫଳତା ପାଇବା ସହ ଚାକିରୀ କ୍ଷେତ୍ର ରେ ବି ପଦୋନ୍ନତି ପାଆନ୍ତି | ତାଙ୍କର ପେଶାଦାର ବ୍ୟସ୍ତ ବହୁଳ ଜୀବନ ଭିତରେ ପିତା ମାତା ସତେ ଯେମିତି ଅନାବଶ୍ୟକ କୋଣଠେସା ହୋଇପଡନ୍ତି  | ସମୟର  ସ୍ରୋତରେ ବୟସ ର ଅପରାହ୍ନରେ ପାଦ ଦିଅନ୍ତି  ନନା ଓ ତାଙ୍କ ଅର୍ଦ୍ଧାଙ୍ଗିନୀ ମ୍ୟାଡମ ଭାଗ୍ୟଲକ୍ଷ୍ମୀ | କାଳକ୍ରମେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରନ୍ତି ମିସେସ ଶତପଥୀ | ପୁଅ ମଧ୍ୟ ଆମେରିକା ରେ ଜଣେ ସୁନ୍ଦରୀ ଶ୍ୱେତବର୍ଣ୍ଣି ବିଦେଶିନୀ କୁ ନିଜ ଧର୍ମପତ୍ନୀ ଭାବେ ଗ୍ରହଣ କରନ୍ତି | ନିଜ ସୁପୁତ୍ର ର ବିଭାଘର ନିମନ୍ତ୍ରଣ ଛଡା ଆଉ କିଛି ଜାଣି ପାରନ୍ତିନି ଜନ୍ମଦାତା ,ଜନ୍ମଦାତ୍ରୀ ପିତା ,ମାତା | ସମୟ ଅଭାବର କାରଣ ଦର୍ଶାଇ ,ପୁତ୍ର ଏବଂ କୂଳ  ବଧୂ ଆସିପାରନ୍ତିନି ସୁଦୂର ଆମେରିକା ରୁ |”ସରି ‘ ମମି ଶବ୍ଦ ଟିଏ ଶୁଣି ଛାତି ଭିତରେ ଦୁଃଖ କୁ ଚାପି ରଖନ୍ତି “ମା “ଭାଗ୍ୟଲକ୍ଷ୍ମୀ | ସୁଦୂର ରୁ ପୁତ୍ର ଆଉ ପୁତ୍ରବଧୂ ଙ୍କୁ ଆଶୀର୍ବାଦ କରିବାକୁ ଭୁଲନ୍ତିନି ଶତପଥୀ ଦଂପନ୍ତି | ଏହା ଭିତରେ ପୁଅର ସ୍ୱଭାବ ଓ ଚରିତ୍ରରେ ଯେ ବଡ଼ ଧରଣର ପରିବର୍ତ୍ତନ ଘଟିଛି ହୃଦୟଙ୍ଗମ କରନ୍ତି ଜନ୍ମଦାତ୍ରୀ ମ୍ୟାଡମ ଭାଗ୍ୟଲକ୍ଷ୍ମୀ | ନନା ଏସବୁ ହୁଦୟଙ୍ଗମ କରି ମଧ୍ୟ ବହୁତ ସମୟ ନିରୁତ୍ତର ରହିବା ସହ ସମୟେ ସମୟେ ଭାଗ୍ୟ କୁ ଦୋଷ ଦିଅନ୍ତି | ମନେ ମନେ ଚିନ୍ତା କରନ୍ତି ଏହା କଣ ବିଜ୍ଞାନ,ପାଶ୍ଚାତ୍ୟ ସଭ୍ୟତା ଓ ଆଧୁନିକତା ର ପାର୍ଶ୍ୱ ପ୍ରତିକ୍ରିୟା ନାଁ ପିତା ମାତାଙ୍କର ସନ୍ତାନ ସନ୍ତତି ଙ୍କୁ  ପିତୃ ,ମାତୃ ଭକ୍ତି ,ଇଷ୍ଟପ୍ରେମ ,ସଂସ୍କାର ଓ ସାମାଜିକ ଶିକ୍ଷା ଦେଇ ଗଢି ତୋଳିବାରେ ବ୍ୟତିକ୍ରମ ,ବିଫଳତା | ମାନସ ପଟ୍ଟ ରେ ନାନାଦି ପ୍ରଶ୍ନ ଉଙ୍କି ଉଠୁଥିବା ବେଳେ ମଧ୍ୟ ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଙ୍କୁ  କେବେ ଅସହାୟ ,ନିରୁପାୟ ବୋଲି ହୃଦବୋଧ ନ କରିବାକୁ ଚେଷ୍ଟା କରୁଥାଆନ୍ତି  |ଧର୍ଯ୍ୟ ଏବଂ ସାହସ ର ସହିତ ବାକି ଜୀବନ ଅତିବାହିତ କରିବାକୁ  ପରାମର୍ଶ ଦିଅନ୍ତି | ଯେତେ ବୁଝେଇଲେ ବି ଅବୁଝା ପ୍ରାୟ ହୋଇଉଠନ୍ତି “ଦଶ ମାସ ଦଶ ଦିନ “ଗର୍ଭ ରେ ଧାରଣ କରି   ଆଶୀର୍ବାଦ କୁ ଧରାପୃଷ୍ଠ କୁ ଆଣିଥିବା ସେହି ହତଭାଗିନୀ “ମା “ମ୍ୟାଡମ ଭାଗ୍ୟଲକ୍ଷ୍ମୀ | ଥରେ ଅଧେ ପୁଅ ର ଦୁଇପଦ କଥା ଶୁଣିବାକୁ ବ୍ୟାକୁଳ ହୋଇଉଠନ୍ତି |କାର୍ଯ୍ୟ ବ୍ୟସ୍ତତା ,ପେଶାଗତ ବୃତ୍ତି ଓ ଆଧୁନିକତା ର ଗୋଲାମ ସାଜି ଥିବା ପୁଅ ଆଶୀର୍ବାଦ ପାଇଁ ସେତିକି ବି ସମ୍ଭବ ହୁଏନି |ବିଦେଶିନୀ ବୋହୂ ମଧ୍ୟ ଆଧୁନିକତା ,ପାଶ୍ଚାତ୍ୟ ସଭ୍ୟତା , ଭାଷା ଓ ସଂସ୍କାର ର ପ୍ରଭେଦ ଭିତରେ ଶାଶୁ ଶ୍ୱଶୁର ଙ୍କ ପ୍ରତି ନିଜର କର୍ତ୍ତବ୍ୟବୋଧ କୁ ଭୁଲିଯାଆନ୍ତି |ଶେଷରେ ମାନସିକ ବିଷାଦ ଗ୍ରସ୍ତ ହୋଇ ମ୍ୟାଡମ ଭାଗ୍ୟଲକ୍ଷ୍ମୀ ବଡ଼ ମେଡ଼ିକାଲ ମାନସିକ ବିଭାଗ ର ଜଣେ ସୁନାମଧନ୍ୟ ଡ଼ାକ୍ତର ଙ୍କ ପାଖେ ଚି଼କିସ୍ଛା ହୁଅନ୍ତି | ନନା ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ ରେ ପୀଡିତ ହୁଅନ୍ତି | ତଥାପି ନନା ତାଙ୍କ ସାମାଜିକ କାର୍ଯ୍ୟକ୍ରମ ,ସାହିତ୍ୟ ସାଧନା ଚାଲୁ ରଖି ଥାଆନ୍ତି | ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ଜନତା ଙ୍କ ହକ ପାଇଁ ଲଢେଇ କରନ୍ତି  | କିଛି କିଛି ଲୋକ ନନା ଙ୍କର ପାରିବାରିକ ଜୀବନର ଦୁର୍ବଳତା କୁ ନେଇ କଟାକ୍ଷ କରିବାକୁ ବି ପଛ ଘୁଞ୍ଚା ଦିଅନ୍ତିନି | ସବୁ ପ୍ରକାର ନିନ୍ଦା ,ଅପବାଦ ଭିତରେ ଛାତି କୁ ପଥର କରି ଜଣେ ବିପ୍ଲବୀ ,ସ୍ୱାଭିମାନୀ ସାହିତ୍ୟିକ ଓ ସମାଜସେବୀ ଭାବେ ନିଜର ସାଧନା ଜାରି ରଖନ୍ତି | କାର୍ଯ୍ୟବ୍ୟସ୍ତତା ଭିତରେ ନିୟମିତ ଡ଼ାକ୍ତରୀ ପରାମର୍ଶ ପାଇଁ ବାରମ୍ବାର ମ୍ୟାଡମ ଙ୍କ ତାଗିଦ ସତ୍ୱେ ବି ସମୟ ଦେବାରେ ଅବହେଳା କରନ୍ତି ନନା | ମ୍ୟାଡମ ଭାଗ୍ୟଲକ୍ଷ୍ମୀ ମଧ୍ୟ ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନପାରି ବିଭିନ୍ନ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡନ୍ତି | କିଛି ଦିନ ଏମିତି ବିତି ଯାଏ | ହଟାତ୍ ଦିନେ ପ୍ରାତଃ ସମୟରୁ ନିଜ ନିତ୍ୟକର୍ମ ସାରି ଫେରୁ ଥିବା ବେଳେ ଟଳି ପଡ଼ି ସଂଜ୍ଞାହୀନ ହୋଇଯାଆନ୍ତି ଶତପଥୀ ବାବୁ |ସଂଗେ ସଂଗେ ରାଜଧାନୀ ର ଏକ ବଡ଼ ପ୍ରତିଷ୍ଠିତ କର୍ପୋରେଟ ଡାକ୍ତରଖାନା ରେ ଭର୍ତ୍ତି ହୁଅନ୍ତି ନନା | ନନା ଙ୍କ ଅସୁସ୍ଥତା ଖବର ପାଇବା କ୍ଷଣି  ବନ୍ଧୁ ବାନ୍ଧବ ,ସାଙ୍ଗସାଥୀ ,ପ୍ରିୟାପ୍ରିତି ତଥା ବିଭିନ୍ନ ସାମାଜିକ ଓ ସାହିତ୍ୟିକ ଅନୁଷ୍ଠାନ ର ସହକର୍ମୀ ଭାଇ ଭଉଣୀ ମାନେ ରାଜଧାନୀ ରେ ପଂହଁଚି ଆର୍ଥିକ ସହାୟତା ଦେବା ସହ ଓ ଆଶୁ ଆରୋଗ୍ୟ କାମନା କରି ଭଗବାନ ଙ୍କୁ ପ୍ରାର୍ଥନା କରନ୍ତି |ମିସେସ ଶତପଥୀ ଙ୍କୁ ସାହସ ଓ ଧର୍ଯ୍ୟ ର ସହ ଏଭଳି ଅଭାବନୀୟ  ଅପ୍ରିତିକର ପରିସ୍ଥିତି କୁ ମୁକାବିଲା କରିବାକୁ ପରାମର୍ଶ ଦିଅନ୍ତି | ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଚିକିତ୍ସା କରୁଥିବା ଡ଼ାକ୍ତର କୁହନ୍ତି ଯେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପାଇଁ ନନା ଙ୍କୁ ” ବ୍ରେନ୍ ଷ୍ଟ୍ରୋକ୍” ହୋଇଯାଇଛି | ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶ କରିଥିଲେ ଆଜି ହୁଏତ ଏପରି ଜଟିଳ ପରିସ୍ଥିତି ଉପୁଜିନଥାନ୍ତା | ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଆଇ .ସି .ୟୁ .କୁ ସ୍ଥାନନ୍ତରିତ ହୁଅନ୍ତି ନନା | ଅମ୍ଳଜାନ ସାଚୁରେସନ କମି କମି ଯାଉଥିବାରୁ ଶେଷରେ କୃତ୍ରିମ ଶ୍ୱାସକ୍ରିୟା ର ସାହାଯ୍ୟ ନିଅନ୍ତି ନନା |ବାପା ଙ୍କ ସଙ୍ଗୀନ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପୁଅ ବୋହୂ ଙ୍କୁ ଅବଗତ କରାନ୍ତି “ମା “ଭାଗ୍ୟଲକ୍ଷ୍ମୀ | କମ୍ପାନୀ ର ବ୍ୟସ୍ତ ବହୁଳ କାର୍ଯ୍ୟ ଅନୁସୂଚି ଏବଂ ଚାପ ପାଇଁ ପିତା ଙ୍କର ଏପରି ମୁର୍ମୁସୁ ଅବସ୍ଥାରେ ବି ଆସିବାକୁ ଇଚ୍ଛା ପ୍ରକାଶ କରନ୍ତିନି ପୁତ୍ର ଆଇ .ଆଇ .ଟି .ଇଞ୍ଜିନିଅର ଆଶୀର୍ବାଦ ଶତପଥୀ  |”ଓହଃ ମାଇଁ ଗଡ୍”  ଗେଟ୍ ୱେଲ୍ ସୁନ୍  ” ଡାଡି କହି ନିଜର କର୍ତ୍ତବ୍ୟ ଶେଷ କରନ୍ତି ପୁତ୍ର ଆଶୀର୍ବାଦ | ଧର୍ଯ୍ୟହରା ହୋଇ ପଡନ୍ତି ହତଭାଗିନୀ “ମା “ମିସେସ ଶତପଥୀ | ଦୀର୍ଘ ପନ୍ଦର ଦିନର କଠିନ ସଂଘର୍ଷ ପରେ ଜୀବନ ଯୁଦ୍ଧ ରେ ପରାଜୟ ବରଣ କରି ଇହ ଧାମ ତ୍ୟାଗ କରନ୍ତି ବିପ୍ଲବୀ ,ସ୍ୱାଭିମାନୀ ଶତପଥୀ ବାବୁ ଓରଫ  ନନା | ଖବର ଶୁଣିବା ମାତ୍ରେ ସଂଜ୍ଞାହୀନ ହୋଇ ଡ଼ାକ୍ତରଖାନା ରେ ଭର୍ତ୍ତି ହୁଅନ୍ତି ସ୍ବର୍ଗତଃ ନନା ଙ୍କ ପ୍ରିୟତମା  ମିସେସ ଶତପଥୀ | ଚାଁହୁ ଚାଁହୁ ନନା ଙ୍କ ଦେହାନ୍ତ କଥା ବ୍ୟାପି ଯାଏ ଦେଶ ବିଦେଶ ର କୋଣ ଅନୁକୋଣ କୁ |ସାହିତ୍ୟ ଓ ସମାଜସେବା ରେ ସୃଷ୍ଟି ହୁଏ ଏକ ଅପୂରଣୀୟ ଶୂନ୍ୟସ୍ଥାନ | ଏପଟେ ହୋସ୍ ଫେରିଲା ବେଳକୁ ଦୁନିଆ ଟା ଅବସାଦମୟ ଓ ଅନ୍ଧକାରମୟ ହୋଇଯାଇଥାଏ ମ୍ୟାଡମ ଭାଗ୍ୟଲକ୍ଷ୍ମୀ ଙ୍କ ପାଇଁ | ନନାଙ୍କୁ ଅଶ୍ରୁଳ ବିଦାୟ ଦେଇ ତାଙ୍କ ନୀତି ,ଆଦର୍ଶ ଓ ତ୍ୟାଗ କୁ ଜୀବିତ ରଖିବା ପାଇଁ ମ୍ୟାଡମ ଭାଗ୍ୟଲକ୍ଷ୍ମୀ ମାନବିକତା ,ସାମାଜିକ ଶିକ୍ଷା ,ଇଶ୍ଵରୀୟ ପ୍ରେମ ସହ ଆଧୁନିକ ପ୍ରତିଯୋଗିତା ମୂଳକ  ପେଶାଗତ ଶିକ୍ଷାନୁଷ୍ଠାନ ଗଢି ତୋଳିବାକୁ ଅଣ୍ଟା ଭିଡ଼ନ୍ତି |ଶେଷରେ ରାଜଧାନୀ ର ଉପକଣ୍ଠ ରେ ମୁଣ୍ଡ ଟେକେ ଭାରତୀୟ ସଂସ୍କୃତି ,ପରମ୍ପରା ,ସଭ୍ୟତା ,ଭଗବତ ପ୍ରେମ ,ସାହିତ୍ୟ ସାଧନା ,ପିତୃ ମାତୃ ଭକ୍ତି,ନୈତିକ ଶିକ୍ଷା  କୁ ପ୍ରାଧାନ୍ୟ ଦେଇ ଶିକ୍ଷା ଦାନ କରୁଥିବା “ଶତପଥୀ ମେମୋରିଆଲ ହ୍ୟୁମାନୀଟାରିୟାନ ସ୍କୁଲ ଅଫ ସାଇନ୍ସ ଆଣ୍ଡ କଲଚର |”ଅନୁଷ୍ଠାନ ର  ମୁଖ୍ୟ ଉପଦେଷ୍ଟା ଭାବେ ମିସେସ ଶତପଥୀ ବାକି ଜୀବନ ବିତେଇ ଦିଅନ୍ତି |
କାହାଣୀ ରୁ ନୀତି ଶିକ୍ଷା :୧ -ଉଚ୍ଚ ଶିକ୍ଷା ,ବିଜ୍ଞାନ ,ଆଧୁନିକତା ଏବଂ ପେଶାଗତ ଜୀବନ ମଧ୍ୟରେ ସମାଜ ଓ ପିତା ମାତା ଙ୍କ ପ୍ରତି ଆମର ଯେ କର୍ତ୍ତବ୍ୟ ରହିଛି ଏ ବିଷୟରେ ବୋଧଗମ୍ୟ ହେବା ଉଚିତ |
୨ -ପ୍ରତିଯୋଗିତା ମୂଳକ ଶିକ୍ଷା ସହ ସନ୍ତାନ ସନ୍ତତି ଙ୍କ ନୈତିକତା ,ସମାଜବାଦ ଓ ମାନବବାଦୀ  ଶିକ୍ଷା ଉପରେ ଧ୍ୟାନ ଦେବା ଉଚିତ |
୩ -ସାମାଜିକ ଜୀବନ ,ପାରିବାରିକ ଜୀବନ ଏବଂ ସ୍ୱାସ୍ଥ୍ୟଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ |
ଡ଼ାକ୍ତର ନିହାର ରଞ୍ଜନ କର ,ସ୍ୱାସ୍ଥ୍ୟ ଅଧିକାରୀ  ,କବାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ,ଧର୍ମଶାଳା ,ଯାଜପୁର |

Related Posts

About The Author

Add Comment