ଜେନାପୁର,୧୪/୧୧(ସନ୍ଧାନ ନ୍ୟୁଜ୍) ; ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ଦଇପୁର ଗ୍ରାମର ଧବଳେଶ୍ବର ଶିବ ମନ୍ଦିର ପରିସରରେ ଥିବା ଏକ ଆହତ ଷଣ୍ଢକୁ ଚିକିତ୍ସା କରାଇଲା ଧବଳେଶ୍ବର ୟୁଥ୍ କ୍ଲବ୍ ର ସଦସ୍ୟ । ୟୁଥ୍ କ୍ଲବର ସଦସ୍ୟ କହିବା ମୁତାବକ ଷଣ୍ଢଟି ଚାଷ ଜମିରେ ଚରୁଥିବା ବେଳେ କେହି ଜଣେ ଦୁବୃତ୍ତ ତା’ ଗୋଡ଼କୁ ମାରଣା ଅସ୍ତ୍ର ଦ୍ୱାରା ଆକ୍ରମଣ କରିବାରୁ ତା’ର ଗୋଡ ଗୋଇଠି କଟିଯାଇ ରକ୍ତାକ୍ତ ହୋଇଯାଇଥିଲା । ଷଣ୍ଢଟି ସଠିକ୍ ଭାବେ ଚାଲିପାରୁ ନଥିବା ବେଳେ ଛୋଟେଇ ଛୋଟେଇ ରକ୍ତାକ୍ତ ଅବସ୍ତାରେ ବୁଲୁଥିବା ସମୟରେ କ୍ଲବ୍ ର ସଦସ୍ୟଙ୍କ ଦ୍ୱାରା ଉଦ୍ଧାର କରାଯାଇ ମନ୍ଦିର ପରିସରକୁ ଅଣା ଯାଇଥିଲା । ସେ ଅତ୍ୟଧିକ ଯନ୍ତ୍ରଣା ପାଉଥିଲା ବେଳେ ପ୍ରାଣୀ ଚିକିତ୍ସକ ଡା. ବସନ୍ତ ସାହୁଙ୍କୁ ଫୋନ୍ ରେ ଯୋଗାଯୋଗ କରାଯାଇଥିଲା । ଡା. ସାହୁ ଖବର ପାଇ ସଙ୍ଗେସଙ୍ଗେ ମନ୍ଦିର ପରିସରରେ ପହଞ୍ଚି ୟୁଥ୍ କ୍ଲବ୍ ସଦସ୍ୟଙ୍କ ମିଳିତ ସହଯୋଗରେ ଷଣ୍ଢକୁ ଆୟତ କରାଯାଇ ଚିକିତ୍ସା କରାଗଲା । ଏପରି ଷଣ୍ଢକୁ ଆହତ କରିଥିବା ଲୋକକୁ ସ୍ଥାନୀୟ ଗ୍ରାମବାସୀ ଦୃଢ ନିନ୍ଦା କରିବା ସହ ଅଭିସାପର ପରିଣାମ ଆଗାମୀ ଦିନରେ ସେହିପରି ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସମ୍ପାଦକ ନିଷ୍କାନ୍ତ ଖଟୁଆ,ଅଚ୍ୟୁତ ସ୍ୱାଇଁ,ସୁମନ୍ତ ଖଟୁଆ,ରଞ୍ଜନ ଓଝା,ବସନ୍ତ ସ୍ୱାଇଁ,ପ୍ରମୋଦ ମହାନ୍ତି,ଚନ୍ଦ୍ରମଣି ଓଝା,ନିଶିକାନ୍ତ ସାହୁ,ପବିତ୍ର ସ୍ୱାଇଁ,ସୁଧିର ଓଝା ଓ ବିଶ୍ୱନାଥ ଖଟୁଆ ସହ ଅନ୍ୟ ସଦସ୍ୟ ପ୍ରମୁଖ ସାମିଲ୍ ଥିଲେ । ଏପରି ସେବା ମୂଳକ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳର ଆବାଳ ବୃଦ୍ଧିଜୀବୀ ଭୂୟଶ୍ରୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।
ଆହତ ଷଣ୍ଢର ଚିକିତ୍ସା କରାଇଲା ଧବଳେଶ୍ବର ୟୁଥ୍ କ୍ଲବ୍
|
November 14, 2025 |



