ଆସୁଛି ଲକ୍ଷ୍ମୀ ମେଲଣ: ମଦ୍ୟପଙ୍କ ଉପରେ ପୁଲିସର ନଜର

Spread the love

ରାଉରକେଲା, ୧୭/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଆଉ ମାତ୍ର ୩ ଦିନ ପରେ ଅର୍ଥାତ ରବିବାର ସାରନଗରୀର ବୋଇତ ବନ୍ଦାଣ ପଡ଼ିଆରେ ଚଳିତ ବର୍ଷର ଲକ୍ଷ୍ମୀପୂଜା ମେଲଣ ଅନୁଷ୍ଠିତ ହେବ । କେନ୍ଦ୍ରୀୟ ପୂଜା କମିଟି(ସିପିସି) ଅଧିନରେ ଥିବା ଲକ୍ଷ୍ମୀ ମେଢ ଗୁଡ଼ିକ ପଡ଼ିଆରେ ପ୍ରଦର୍ଶିତ ହେବ । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ ମା’ ଲକ୍ଷ୍ମୀଙ୍କ ମୂଣ୍ମୟୀ ମୂର୍ତି ସହ ବିଭିନ୍ନ ପୂଜା କମିଟିର କର୍ମକର୍ତା ମାନେ ମେଲଣ ପଡ଼ିଆ ଆସିବା ପରେ ସେଠାରୁ ବାଲୁଘାଟ ସ୍ଥିତ ଅସ୍ଥାୟୀ ପୋଖରୀରେ ଲକ୍ଷ୍ମୀ ମୂର୍ତି ଗୁଡ଼ିକୁ ଭସାଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ଜାତୀୟ ରାଜପଥ-୧୪୩ ଦେଇ ମେଢ ଗୁଡ଼ିକ ରଙ୍ଗୋଲି ଛକ ଦେଇ ସାରନଗରୀ ପ୍ରବେଶ କରିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏବେଠୁ ପୁଲିସ ଟ୍ରାଫିକ ବ୍ୟବସ୍ଥା ଉପରେ ମାତ୍ରାଧିକ ଜୋର ଦେଉଥିବା ଦେଖିବାକୁ ମିଳିଛି । ଭସାଣ ସମୟରେ ଟ୍ରକ ଅବା ଟ୍ରଲରରେ ଥିବା ଲକ୍ଷ୍ମୀ ମୂର୍ତି ପରସ୍ପର ଠାରୁ ସମଦୂରତାରେ କିିପରି ଜାତୀୟ ରାଜପଥ ତଥା ସାରନଗରୀ ରାଜରାସ୍ତା ଦେଇ ମେଲଣ ପଡ଼ିଆକୁ ପ୍ରବେଶ କରିବେ ଏହା ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ । ଟାଙ୍ଗରପାଲୀ ଥାନା, ଜଲଦା ଫାଣ୍ଡି ତଥା ଅନ୍ୟ ଥାନାର ପୁଲିସକର୍ମୀ ମାନେ ମେଲଣ ସମୟରେ ଶାନ୍ତିଶୃଖଂଳା ରକ୍ଷା କରିବେ । ମେଲଣ ସମୟରେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ସାଧାପୋଷାକରେ ନଜର ରଖିବ ପୁଲିସ । ମଦ୍ୟପ ମାନଙ୍କୁ ଲଗାମ କଷିବାକୁ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ମେଲଣ ପଡ଼ିଆରେ ପଇଁତରା ମାରିବା ସହ ଅନ୍ୟ ଅସାମାଜିକ ତତ୍ୱଙ୍କ କାର୍ଯ୍ୟକଳାପ ପ୍ରତି ମଧ୍ୟ ଧ୍ୟାନ ଦେବ । ସିପିସିି ପକ୍ଷରୁ ଆୟୋଜନ କରାଯାଉଥିବା ଲକ୍ଷ୍ମୀ ମେଳଣରେ ଅତିଥି ମାନେ ମେଲଣ ପଡ଼ିଆ ପହଂଚିବା ପରେ ଲକ୍ଷ୍ମୀ ମେଢ ପରିଦର୍ଶନ କରିବେ । ଏହି ଅବସରରେ ଭଜନ ସଂଧ୍ୟା ତଥା ଆତସବାଜୀ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ପାଇଁ କରାଯିବା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।

Related Posts

About The Author

Add Comment