ସାନଖେମୁଣ୍ଡି, 10.02.2021 (ସନ୍ଧାନ ନିଉଜ୍) :- ଆସାମରେ ସଡକ ଦୁର୍ଘଟଣାରେ ଓଡିଆ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି। ସହିଦ ଯବାନ ହେଲେ ଗଞ୍ଜାମ ଜିଲ୍ଲା ଚିକିଟିପେଣ୍ଡ ୬ ନମ୍ବର ୱାର୍ଡର ହନୁମାନ ପଣ୍ଡାଙ୍କ ବଡ଼ ପୁଅ କୃଷ୍ଣ ଚନ୍ଦ୍ର ପଣ୍ଡା। ତାଙ୍କ ବୟସ ୪୮ ବର୍ଷ। ଅସମୟରେ ଭେଣ୍ଡିଆ ପୁଅ ଚାଲିଗଲା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଖିରୁ ଶୁଖୁ ନାହିଁ ଲୁହ। ଏପଟେ ୧୯ ବର୍ଷ ଝିଅ ଏବଂ ୧୫ ବର୍ଷର ପୁଅ ଆଦିତ୍ୟ ବାପାଙ୍କୁ ଖୋଜି ଖୋଜି ଛାଡି ଦେଲେଣି ଖାଇବା ପିଇବା। ମିଳିଥିବା ଆସାମର ସମ୍ବେଦନଶୀଳ ଫାୟାରିଂ ସ୍ଥଳକୁ ଗାଡିରେ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଯବାନ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନେକ ଯବାନ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା ଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ କୋମାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କୃଷ୍ଣଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। କୃଷ୍ଣଚନ୍ଦ୍ର ପାରାଚୁଟ ବିହାର ୧୪ତମ ରେଜିମେଣ୍ଟରେ ଶୁଭେଦାର ପାହିଆର ଜେସିଓ ଅଫିସର ଥିଲେ । ସେନା ବାହିନୀର ବିମାନରେ ଶହୀଦ କୃଷ୍ଣଚନ୍ଦ୍ରଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯିବା ପରେ ସ୍ବତନ୍ତ୍ର ଗାଡ଼ିରେ ଜନ୍ମମାଟି ଚିକିଟିରେ ପହଞ୍ଚିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।
ଆସାମରେ ସଡକ ଦୁର୍ଘଟଣାରେ ଓଡିଆ ସେନା ଅଧିକାରୀଙ୍କ ମୃତ୍ୟୁ
|
February 10, 2021 |
![](https://sandhannews.com/wp-content/uploads/2021/02/aa-9.jpg)