୧୦/୦୫ (ସନ୍ଧାନ ନିଉଜ), ୧୦/୦୫ (ସନ୍ଧାନ ନିଉଜ) ବଢ଼ୁଛି ରାଜ୍ୟର ତାପମାତ୍ରା। ଆଗକୁ ଆହୁରି ବଢ଼ିବ। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପାମାତ୍ରାରେ ସେମିତି କିଛି ବଡ଼ ପରିବର୍ତ୍ତନ ଦେଖିଯିବନି। କିନ୍ତୁ ଏହା ପରେ ଗରମ ବଢ଼ିବ। କିଛି ସ୍ଥାନରେ ୪୦ ଡିଗ୍ରି ପାର ହେବ ତ’ କିଛି କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ଛୁଇଁବ। ପବନ ଦିଗ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, କାଳବୈଶାଖୀ ଆଉ ୫ ଦିନ ଲାଗିରହିବ। ତା’ ପରେ ଗରମ ବହୁତ ବଢ଼ିବ। ଅନୁମାନ କରାଯାଉଛି ଯେ, କାଲି ରବିବାର ଦିନ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମିବ କିମ୍ବା ଅପରିବର୍ତ୍ତିତ ରହିବ। ତେବେ ସୋମବାର ଦିନ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ପରେ କ୍ରମଶଃ କମିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ତାପମାତ୍ରା ସାମାନ୍ୟ ବଢ଼ିବ ଓ ତା’ ପରେ ୧୫ ତାରିଖ ଯାଏଁ ଅପରିବର୍ତ୍ତିତ ରହିବ। ୧୬ ତାରିଖରୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ବର୍ତ୍ତମାନ ବୋହୁଥିବା ବଙ୍ଗୋପସାଗରୀୟ ପବନ ପରିବର୍ତ୍ତେ ପଶ୍ଚିମା ଗରମ ପବନ ବହିବ। ଏଣୁ କାଳବୈଶାଖୀ କମିବା ସହ ତାପମାତ୍ରା ବଢ଼ିବ।