ରାଉରକେଲା, ୧୭/୧୦ (ସନ୍ଧାନ ନିଉଜ) : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗରେ ଏକ ସ୍ଵତନ୍ତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ଶ୍ରୀ ଏ କେ ମିସ୍ତ୍ରୀ ଅଧ୍ୟକ୍ଷତା କରି ଦୁଇ ଜଣ ଠିକା ଶ୍ରମିକ ଏବଂ ୫ ଜଣ ନିୟମିତ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ବ୍ଳାଷ୍ଟ ଫର୍ଣ୍ଣେସ-୧ରେ ଏକ ହାଇ ଭୋଲ୍ଟେଜ ଫିଲ୍ଡ ସମସ୍ୟା ଚିହ୍ନଟ ହୋଇଥିଲା। ବିଭାଗର ସିନିୟର ଟେକନିସିଆନ, ଶ୍ରୀ ମଦନ ବେହେରା, ଶ୍ରୀ ମୁକୁଟ ତ୍ରିପାଠୀ, ଶ୍ରୀ ପି କେ ଖଟୁଆ, ଶ୍ରୀ ବି କେ ଖାଡିଆ, ଶ୍ରୀ ବି ଟପ୍ପୋଙ୍କୁ ନେଇ ଗଠିତ ଏକ ଦଳ ମେଷର୍ଷ ଆର କେ ଏଣ୍ଟରପ୍ରାଇଜେସ ଏବଂ ମେଷର୍ଷ ଟାଟା ପ୍ରୋଜେକ୍ଟସ ଲିମିଟେଡର ଦୁଇ ଜଣ ଠିକା ଶ୍ରମିକଙ୍କ ସହଯୋଗରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରୟାସ କରିଥିଲେ । ଉକ୍ତ ଦଳ ଇଂସୁଲେଟରରେ ବାରମ୍ବାର ଅନୁଭୂତ କ୍ରାକକୁ ରୋକିବା ନିମନ୍ତେ ଯନ୍ତ୍ରାଂଶଗୁଡିକୁ ପୁନଃସଜ୍ଜିତ କରିଥିଲେ ଯାହା ଦ୍ଵାରା ବ୍ଳାଷ୍ଟ ଫର୍ଣ୍ଣେସ-୧ ଇଏସପି କାଷ୍ଟ ହାଉସ ଡିଫ୍ୟୁମିଂ ସିଷ୍ଟମ ନବୀକରଣରେ ଏହା ସହାୟକ ହୋଇଥିଲା। ସମସ୍ୟାର ଚିହ୍ନଟିକରଣ ଏବଂ ତ୍ଵରିତ ସମାଧାନ ୟୁନିଟରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାର ଯଥାଶୀଘ୍ର ପୁନଃକାର୍ଯ୍ୟକ୍ଷମ କରିବା କ୍ଷେତ୍ରରେ ସହାୟତା ପ୍ରଦାନ କରିଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଡ଼ିଜିଏମ, ଶ୍ରୀ ବି ମାଝି, ଶ୍ରୀ ଭି ମିଶ୍ର ଏବଂ ଡେପୁଟି ମ୍ୟାନେଜର, ସୁଶ୍ରୀ ଦ୍ରୌପଦୀ ମୁର୍ମୁ ସଂଚାଳନ କରିଥିଲେ ।



