ଆରଏମସିର ପରିକଳ୍ପନା, ଏସ୍ଏଚଜିଙ୍କ ପାଇଁ ଶକ୍ତି ବଜାର

Spread the love
ରାଉରକେଲା ସିଟି, ୦୪/୧୨ (ସନ୍ଧାନ ନିୟୁଜ/ସୁରଥ ବାରିକ ) :ମହିଳା ସଶକ୍ତିକରଣ ତଥା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ନିମନ୍ତେ ଆବଶ୍ୟକୀୟ ଚାହିଦା ସୃଷ୍ଟି କରିବା ଲାଗି ରାଉରକେଲା ମହାନଗର ନିଗମ ଏକ ଅଭିନବ ପରିକଳ୍ପନା କରିଛି । କୋଏଲନଗର ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ମହାନଗର ନିଗମ ପକ୍ଷରୁ ନିର୍ମିତ ଶକ୍ତି ବଜାରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନିଜ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରି କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ । ଆସନ୍ତା ୫ ତାରିଖ ଦିନ ୧୧ଟାବେଳେ ଏହାର ଶୁଭାରମ୍ଭ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶକ୍ତି ବଜାରରେ ମୋଟ ୪୫ଟି ଦୋକାନ ଗୃହ ବା ଷ୍ଟଲ ନିର୍ମାଣ କରାଯାଇଛି । ଏହି ବଜାରରେ ଟେରାକୋଟା, ହସ୍ତଶିଳ୍ପ ସାମଗ୍ରୀ, ମସଲା, ବଡି, ପାମ୍ପଡ, ଆଚାର, ଫିନାଇଲ, ଝାଡୁ, ଖେଳନା, କପଡା ବ୍ୟାଗ୍, କାଗଜ ଠୁଙ୍ଗା, ଶାଢୀ, କୃଷିଜାତ ଦ୍ରବ୍ୟ ଏବଂ ଭଳିକି ଭଳି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ ବୋଲି ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏହି ବଜାର ପ୍ରତି ଦିନ ସକାଳ ୧୦ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ଖୋଲା ରହିବ ।ସାଧାରଣ ଭାବେ କୌଣସି ବାଣିଜ୍ୟ ମେଳା ବା ଯାନିଯାତ୍ରା ସମୟରେ ଲାଗୁଥିବା ମେଳାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ନିଜ ନିଜର ଷ୍ଟଲ ଖୋଲି ବିଭିନ୍ନ ସାମଗ୍ରୀ ବିକ୍ରି କରିଥାନ୍ତି । କିନ୍ତୁ ଶକ୍ତି ବଜାର କାର‌୍ୟ୍ୟକ୍ଷମ ହେଲେ, ଏସ୍ଏଚଜି ମାନଙ୍କ ଦ୍ବାରା ପ୍ରସ୍ତୁତ ଗୁଣାତ୍ମକମାନ ସମ୍ପନ୍ନ ସାମଗ୍ରୀ ପାଇବା ଲାଗି କୌଣସି ମେଳାକୁ ଅପେକ୍ଷା ନକରି ଯେକୌଣସି ସମୟରେ ଶକ୍ତି ବଜାରରୁ କିଣା ବିକା କରିପାରିବେ ।

Related Posts

About The Author

Add Comment