ବଲାଙ୍ଗୀର, 19/10 (ସନ୍ଧାନ ନିଉଜ) କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ ଗିରଫ । ଫେରାର ଥିବା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁଙ୍କୁ ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ବଲାଙ୍ଗୀର ପୋଲିସ ଗିରଫ କରିଛି । ଏନେଇ ବଲାଙ୍ଗୀର ଏସପି ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ଚାଞ୍ଚଳ୍ୟକର ତଥ୍ୟ ମିଳିଛି । ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା । ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ସାଇଣ୍ଟିଫିକ୍ ଟିମ୍ ଜବତ କରିଥିଲା । ସେସବୁ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି ।
ତେବେ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ତେବେ ଫେରାର ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ପୁରସ୍କାର ରାଶିକୁ ବୃଦ୍ଧି କରିଥିଲା ବଲାଙ୍ଗୀର ପୋଲିସ । ଗୋବିନ୍ଦଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ପୂର୍ବରୁ ୨୦ ହଜାର ଥିବା ବେଳେ ତାହାକୁ ବୃଦ୍ଧି କରାଯାଇଥିଲା ।