ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ଖାଇ‍ବାକୁ ଦେଉଛନ୍ତି ଶେଖ୍ ମହମ୍ମଦ କାଶିମ୍

Spread the love

କଲ୍ୟାଣସିଂହପୁର ୨୨/୯ (ସନ୍ଧାନ ନିୟୁଜ) : କୁହାଯାଏ, ଗରିବ ହିଁ ଗରିବକୁ ଚିହ୍ନିଥାଏ। ଦୁଃଖ କ’ଣ ନିଜେ ଅନୁଭବ କରିଥିବାରୁ ସେମାନେ ଦୁଃଖୀ,ଦରିଦ୍ରଙ୍କ କଥା ମଧ୍ୟ ବୁଝିପାରନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଶେଖ୍‌ ମହମ୍ମଦ କାଶିମ। ସେ ସପ୍ତାହର ପ୍ରତି ଗୁରୁବାର ଦିନ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅନ୍ନଦାନ କରିଥା’ନ୍ତି।

୨୦ ବର୍ଷ ତଳେ  ଶେଖ୍‌ ମହମ୍ମଦ କାଶିମ କଲ୍ୟାଣସିଂହପୁରକୁ ଆସିଥିଲେ। ସେତେବେଳେ ସେ ଦିନକୁ ଦୁଇ ମୁଠା ଖାଇବାକୁ ପାଉ ନଥିଲେ। ସ୍ତ୍ରୀ ସହିତ ପୁଅ ଓ ଝିଅକୁ ନେଇ କଷ୍ଟରେ ଦିନ କାଟୁଥିଲେ। ପରେ ନାଗାବଳୀ ନଦୀ କୂଳରେ ଛୋଟିଆ କୁକୁଡ଼ା ଦୋକାନ କରି ଦୁଇ ପଇସା ରୋଜଗାର କଲେ। ବର୍ତ୍ତମାନ ସେ ବେଶ୍ ଖୁସିରେ ଅଛନ୍ତି। ତେଣୁ ସେ ପୂର୍ବ କଥା ମନେ ପକାଇ ତାଙ୍କ ରୋଜଗାରର କିଛି ଅର୍ଥ ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସପ୍ତାହର ପ୍ରତି ଗୁରବାର ଦିନ ତାଙ୍କର ମୁକ୍ତ ଖାଦ୍ୟ ପ୍ରଦାନ କେନ୍ଦ୍ରକୁ ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁଅ ଛୁଟିଥାଏ। ଟେବୁଲ ଓ ଚେୟାରରେ ବସି ସେମାନେ ଭାତ ଓ ତରକାରୀ ସହିତ ମିଠା ପେଟ ପୂରାଇ ଖାଇଥା’ନ୍ତି।

ଏନେଇ ଶେଖ୍‌ ମହମ୍ମଦ କାଶିମ୍ କହିଛନ୍ତି, “ଭଗବାନଙ୍କ ଦୟାରେ ଏହି ଗାଁକୁ ଆସିଲା ପରେ ଦୋକାନ କରି ଭଲରେ ଚଳୁଛି। ଏବେ ଖାଇବାର କିଛି ଅସୁବିଧା ହେଉନାହିଁ। ତେଣୁ ଗରିବ ଲୋକଙ୍କୁ କିଛି ଖାଇବାକୁ ଦେବା ଉଦ୍ଦେଶ୍ୟରେ ମୁଁ ଏହି କାମ କରୁଛି।  ପ୍ରତି ଗୁରୁବାର ୪୫ରୁ ୫୦ ଜଣ ମଧ୍ୟରେ ଲୋକ ଆସୁଛନ୍ତି। ବିଶ୍ୱାସରେ ଲୋକମାନେ ଆସୁଥିବାରୁ ସେମାନଙ୍କୁ ପେଟ ପୂରାଇ ଖାଇବାକୁ ଦେବା ଆମର ଧର୍ମ ଓ କର୍ତ୍ତବ୍ୟ। ଆଉ ୧୦୦ ଲୋକ ଆସିଲେ ମଧ୍ୟ ମୁଁ ଖାଇବାକୁ ଦେବି। ଗରିବଙ୍କୁ ଖାଇବାକୁ ଦେଇ ଶାନ୍ତି ଅନୁଭବ କରୁଛି।”
ତାଙ୍କର ଏହି ମହତ୍‌ କାର୍ଯ୍ୟରେ ତାଙ୍କ ପରିବାର ଲୋକେ ମଧ୍ୟ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟ ପାଇଁ କଲ୍ୟାଣପୁର ଅଞ୍ଚଳରେ ବେଶ୍‌ ପ୍ରଶଂସା ସାଉଁଟି ପାରିଛନ୍ତି ଶେଖ୍‌। ସମାଜ ପାଇଁ ସେ ହେଉଛନ୍ତି ଉଦାହରଣ। କାରଣ ସମେତ ରୋଜଗାର କରି ନିଜର ଓ ନିଜ ପରିବାରର ଆବଶ୍ୟକତା ପୂରଣ କରନ୍ତି ଏବଂ ଅଧିକ ଧନ ସଞ୍ଚୟ କରିବାକୁ ଚାହାଁନ୍ତି। କିନ୍ତୁ ସେ ଲୋକଙ୍କ ସଂଖ୍ୟା ବହୁତ କମ୍, ଯେଉଁମାନେ ନିଜ ରୋଜଗାରରୁ କିଛି ସମାଜ ପାଇଁ ଖର୍ଚ୍ଚ କରନ୍ତି।

Related Posts

About The Author

Add Comment