ଅଳ୍ପଦିନ ଯାଇନି ରାସ୍ତାରୁ ପିଚୁ ଉଠିଲା: ଜେନାପୁର-ବୃନ୍ଦାଦେଈପୁର ଆର୍.ଡି ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ
ଅଳ୍ପଦିନ ଯାଇନି ରାସ୍ତାରୁ ପିଚୁ ଉଠିଲା: ଜେନାପୁର-ବୃନ୍ଦାଦେଈପୁର ଆର୍.ଡି ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ
Manas Kumar Rout |
January 28, 2019 |

ଯାଜପୁର/ଜେନାପୁର ୨୭/୦୧ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ନିକଟରୁ ସ୍ଥାନୀୟ ବୃନ୍ଦାଦେଈପୁର ରାଜସ୍ୱ ଗ୍ରାମ ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ , ଯାଜପୁର-୨ ଜାରକା ଅଧୀନରେ ୯୮ଲକ୍ଷ ୩୮ହଜାର ଟଙ୍କା ବ୍ୟୟ ଅଟକଳରେ ୨.୪୦କି.ମି. ବ୍ୟାପୀ ଏହି ରାସ୍ତାଟି ତିଆରି ହୋଇଛି । ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ସର୍ବଦା ପ୍ରାଧାନ୍ୟଦେଇ ବିଭିନ୍ନ ସ୍ଥାନରେ ରାସ୍ତା ତିଆରି କରୁଛନ୍ତି ; କିନ୍ତୁ ଏଠାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ମନୋଭାବ କାରଣରୁ ରାସ୍ତା ନିର୍ମାଣରେ ଖୁବ୍ ଅନିୟମିତତା ସ୍ପଷ୍ଟ ପରିଲକ୍ଷିତ ହେଉଛି । ବିଡମ୍ବନାର ବିଷୟ- ରାସ୍ତା ତିଆରି ହେବାର କିଛିଦିନ ନ ଯାଉଣୁ ରାସ୍ତା ଉପରୁ ଗୋଡି ଓ ପିଚୁ ଉଠିଯାଉଥିବାର ଦେଖିବାକୁ ମିଳୁଛି , ଯାହାକୁ ନେଇ ସାଧାରଣରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି । ଫଳସ୍ୱରୂପ କିଛି ମାସ ମଧ୍ୟରେ ଏହି ରାସ୍ତାଟି ଯାତାୟାତ ଅନୁପଯୋଗୀ ହୋଇପଡିବାର ସମ୍ଭାବନା ଦେଖାଦେଇଛି ।
ସ୍ଥାନୀୟ ବୃନ୍ଦାଦେଈପୁର, ଜେନାପୁର, ମର୍ଜିତାପୁର, କବା
ଟବନ୍ଧ, ମଧୁସୂଦନପୁର ଆଦି ଆଖପାଖ ୨୦ରୁ ଅଧିକ ପଞ୍ଚାୟତର ହଜାର ହଜାର ଜନସାଧାରଣ ଦୈନିକ ଜେନାପୁର ରେଳଷ୍ଟେସନ, ଚଢେଇଧରା ଓ ବାଲିସାହିକୁ ଯିବା ପାଇଁ ଏହି ରାସ୍ତାଟି ଉପରେ ନିର୍ଭର କରିଥାନ୍ତି । ସଠିକ୍ ଭାଗମାପରେ ପିଚୁ ଓ ଗୋଡିକୁ ପେଷ୍ଟକରି ଭଲଭାବରେ ରୋଲିଂ କରାଯିବାର ନିୟମ ଥିଲେ ହେଁ ତାହାକୁ ଅବମାନନା କରାଯାଇ ମନଇଚ୍ଛା ରାସ୍ତାରେ ଯେପରି ପିଚୁ ପକାଯାଇଛି, ତାହା ସ୍ୱଳ୍ପ ସମୟ ବ୍ୟବଧାନରେ ଉଠିଯାଇ ଯଥାପୂର୍ବଂ ତଥା ପରଂ ପରି ପରିସ୍ଥିତି ସୃଷ୍ଟି ହେଉଥିବା ବିଷୟ ସ୍ଥାନୀୟ ବୃନ୍ଦାଦେଇପୁର ରାଜସ୍ୱ ଗ୍ରାମର ପ୍ରଭାତ ମଳିକ, ତାପସ ମଳିକ, ଶ୍ୟାମସୁନ୍ଦର ମଳିକ, ଅରୁଣ ମଳିକ, ଅନ୍ତର୍ଯ୍ୟାମୀ ମଳିକ, ସୌଭାଗ୍ୟ ମଳିକ ଓ ଅଭିମନୁ୍ୟ ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି । ପୁଣି ସୂଚନା ଫଳକରେ ଭୁଲ୍ ତଥ୍ୟ ଦିଆଯାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି । ଏହି ଯୋଜନାରେ ୦.୫କି.ମି ପକ୍କା ରାସ୍ତା ତିଆରି ହେବାର ନିୟମ ଥିଲେ ମଧ୍ୟ ସୂଚନା ଫଳକରେ ତାହାକୁ ୫୦କି.ମି. ଦର୍ଶାଯାଇଛି ।

ବୃନ୍ଦାଦେଈପୁର ହରିଜନ ସାହି ମଧ୍ୟରେ ପକ୍କା ରାସ୍ତାଟି ତିଆରି ହୋଇଥିଲେ ବି ସ୍ଥାନେ ସ୍ଥାନେ ଫାଟି ଆଁ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୁଣି ରାସ୍ତା ତିଆରିବେଳେ ବାହାରୁମାଟି ନ ଆଣି ଏହି ରାସ୍ତାପାଶ୍ୱର୍ରୁ ବେଆଇନ୍ଭାବେ ମାଟି ଖନନ କରାଯାଇଥିବାରୁ ରାସ୍ତା କଡେ କଡେ ଖାଲ ସୃଷ୍ଟି ହୋଇ ଭବିଷ୍ୟତରେ ଦୁର୍ବଳ ହୋଇ ପଡିବାର ଆଶଙ୍କା ଦେଖା ଦେଇଛି, ଯାହା ଯୋଜନାର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ମାସ ୧୮ ତାରିଖ ସୁଦ୍ଧା ସମୟ ସୀମା ଧାର୍ଯ୍ୟ କରାଯାଇଛି । ପୁଣି ରାସ୍ତାର ରକ୍ଷଣାବେକ୍ଷଣ, କାର୍ଯ୍ୟର ଶେଷଠାରୁ ୫ବର୍ଷ ପର୍ଯ୍ୟନ୍ତ ଥିବାବେଳେ ବର୍ଷର ରକ୍ଷଣାବେକ୍ଷଣ -ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ରଖାଯାଇଛି । ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ରାସ୍ତାର ଉତ୍ତମ ଗୁଣବତ୍ତା ପ୍ରତି ଦୃଷ୍ଟି ଦେବା ସଂଗେ ସଂଗେ ରାସ୍ତା ନିର୍ମାଣରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ରୋକିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି, ନଚେତ ରାସ୍ତାକୁ ନେଇ ଆଗାମୀ ଦିନରେ ବୃହତ୍ ଜନଆନେ୍ଦାଳନ ମୁଣ୍ଡ ଟେକିବବୋଲି ଚେତାବନୀ ଦେଇଛନ୍ତି ।
Related Posts
About The Author