ଅଭିଯୁକ୍ତ ହୋମଗାର୍ଡ ଓ ତାଙ୍କ ସହଯୋଗୀଙ୍କୁ ପୁଲିସର ଘଣ୍ଟଘୋଡା ନୀତି : ନିଜର ସୁରକ୍ଷା ପାଇଁ ଏସ୍ପିଙ୍କ ଦ୍ୱାରସ୍ତ ହେଲେ ପୀଡିତଙ୍କ ପରିବାର

Spread the love

ଭଦ୍ରକ, ୨୦/୫ (ସନ୍ଧାନ ନିୟୁଜ) ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ହୋମଗାର୍ଡ ଓ ତାର ସହଯୋଗୀଙ୍କୁ ସ୍ଥାନୀୟ ପୁଲିସ୍ ର ଘଣ୍ଟଘୋଡା ନୀତି ବିରୁଦ୍ଧରେ ପୀଡିତ ବ୍ୟକ୍ତି ନିଜ ବୃଦ୍ଧ ପିତାଙ୍କ ସହ ଭଙ୍ଗାଗୋଡରେ ପରିବାର ସୁରକ୍ଷା ଦାବି ନେଇ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ସାକ୍ଷାତ୍ କରିଛନ୍ତି। ତେବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ତାଙ୍କର ଅଭିଯୋଗ ପ୍ରତି ଗୁରୁତ୍ୱ ଦେଇ ଯଥାଶୀଘ୍ର ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଏହି ଘଟଣାରେ ପୀଡିତ ଜଣଙ୍କ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦେଇଥିବା ଅଭିଯୋଗ ପତ୍ର ମୂଳେ ଜମିଜମା ଗଣ୍ଡଗୋଳକୁ ନେଇ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ଗୁଜିଦରଡା ଫାଣ୍ଡି ଅଧୀନସ୍ଥ ବେଲଦା ଗ୍ରାମର ଚିନ୍ତାମଣି ସେନାପତିଙ୍କର ୰ ବିରଜା ତ୍ରିପାଠୀଙ୍କ ପୁତ୍ରମାନଙ୍କ ସହ ବିବାଦ ରହିଥିଲା। ଏହି ଘଟଣାକୁ ନେଇ ଗତମାସ ୧୮ ତାରିଖ ୫ଟା ସମୟରେ ପୁରୁଣାବଜାର ଥାନା ଅଧୀନରେ କାର୍ଯ୍ୟ କରୁଥିବା ଗୃହରକ୍ଷୀ କରୁଣାକର ଓ କେଦାରନାଥ ତାଙ୍କ ମା କୁନ୍ତଳା ସହିତ ମିଶି ଚିନ୍ତାମଣିଙ୍କ ପୁତ୍ର ବିଚିତ୍ର ଓ ବୃଦ୍ଧା ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଚିତ୍ର ଏବେ ସଂକଟାପନ୍ନ ଭାବେ ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଚିକିତ୍ସା ହୋଇ ଏବେ ଘରେ ପଡିରହିଛି। ତେବେ ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ଅଭିଯୁକ୍ତଙ୍କ ନାମରେ କେଶ୍ ନଂ ୧୮୪/୧୯ ମୂଳେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ୍ ସେମାନଙ୍କୁ ଗିରଫ କରୁନାହିଁ ବୋଲି ବିଚିତ୍ର ଅଭିଯୋଗ କରିଛନ୍ତି। ଏପରିକି ଗୃହରକ୍ଷୀ କରୁଣାକର ଓ ତାର ପରିବାରଙ୍କ ପକ୍ଷରୁ ରାତିରେ ତାଙ୍କ ଘର କବାଟ ପିଟି ଭୟଭୀତ କରାଇବା, ନିଆଁ ଜାଳି ଘର ପୋଡିଦେବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ବିଚିତ୍ର। ଏଣୁ ସେମାନଙ୍କର ସୁରକ୍ଷା ସହ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତଙ୍କ ନିକଟରେ ଗୁହାରି କରିଛନ୍ତି। ତେବେ ଶ୍ରୀ ପଣ୍ଡିତ ଏହି ଘଟଣାରେ ଏକ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବି ଅଦ୍ୟାବଧି କେହି ଗିରଫ ହୋଇନାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ଏଥିପୂର୍ବରୁ ବିଚିତ୍ରଙ୍କ ବୃଦ୍ଧା ମା’ ଜିଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସଙ୍କୁ ଭେଟିଥିଲେ ବି କୌଣସି ସୁଫଳ ପାଇନାହାଁନ୍ତି। ଏଣୁ ଏ ଦିଗରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଚିତ୍ର ବାଧ୍ୟହୋଇ ସପରିବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାର ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment