ଚଣ୍ଡିଖୋଲ,୨୮/୦୫ (ସନ୍ଧାନ ନିଉଜ) ଗ୍ରାମାଞ୍ଚଳରେ ରହୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷାରୁ ବଂଚିତ ନହେବେ ସେଥିପାଇଁ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସ ଚଣ୍ଡିଖୋଲ ନିକଟବର୍ତୀ ସିହା ଠାରେ ଆରମ୍ଭ କରାଯାଇଥିଲା.୨୦୧୭ ଜୁଲାଇ ୩୧ ତାରିଖରେ ତତ୍କାଳୀନ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏହାର ଶିଳାନ୍ୟାଶ କରିଥିଲେ.୩ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ୨୦୨୧-୨୨ଶିକ୍ଷାବର୍ଷରୁ ନାମ ଲେଖା ଆରମ୍ଭ ହେବ ବୋଲି ସେତେବେଳେ ସୂଚନା ଦିଆଯାଇଥିଲା.
ନିର୍ମାଣ କାର୍ଯ୍ୟଶେଷ ହେବାପର୍ଯ୍ୟନ୍ତ ଏହା ଚଣ୍ଡିଖୋଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଥିଲା.ଫଳ ସ୍ୱରୂପ ଏହି ଦ୍ୱିତୀୟ କ୍ୟାମ୍ପସରେ ସେଲ୍ଫ ଫାଇନସିଙ୍ଗରେ ଏମବିଏ ଇନ ରୁରାଲ ମ୍ୟାନେଜମେଣ୍ଟ, ମାଷ୍ଟର ଇନ ପବ୍ଲିକ ହେଲଥ ଓ ମାଷ୍ଟର ଇନ ସୋସିଆଲ ୱାର୍କ ପାଠ୍ୟକ୍ରମ ଚାଲିଥିଲା.ସେହିପରି ପିପିପି ମୋଡରେ ବି ଏସସି ନର୍ସିଙ୍ଗ ପାଠ୍ୟକ୍ରମ ଥିଲା.ଏମବିଏ ଇନ ରୁରାଲ ମ୍ୟାନେଜମେଣ୍ଟ, ମାଷ୍ଟର ଇନ ପବ୍ଲିକ ହେଲଥ ଓ ମାଷ୍ଟର ଇନ ସୋସିଆଲ ୱାର୍କରେ ୨୪ଟି ଲେଖାଏଁ ଆସନ ଥିବା ବେଳେ ବିଏସସି ନର୍ସିଙ୍ଗ ପାଠ୍ୟକ୍ରମରେ ୪୦ଟି ଆସନରେ ପାଠପଢା ଚାଲୁଥିଲା.ସେପଟେ ସିହା ଠାରେ କ୍ୟାମ୍ପସର ସ୍ଥାୟୀ ଗୃହନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଥିଲା.ଏବେ କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ମାନବ ସମ୍ବଳର ଅଭାବ ଓ ଭିତିଭୂମିର ଅଭାବ ନଥିବାରୁ ଏହି ସେଲ୍ଫଫାଇନସିଙ୍ଗ ପାଠ୍ୟକ୍ରମକୁ ବନ୍ଦ କରିଦେବାକୁ ନିଷ୍ପତି ନେଇଥିବା ଜଣାଯାଇଛି.
ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାଶ୍ୱତ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠିଲେଖି ଆସନ୍ତା ଶିକ୍ଷାବର୍ଷଠାରୁ ସେଲ୍ଫଫାଇନସିଙ୍ଗ ପାଠ୍ୟକ୍ରମରେ ନାମଲେଖା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ଚିଠିରେ ଉଲେଖ କରିଥିଲେ କିନ୍ତୁ ଚାଲୁଥିବା ପାଠ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଚିଠିରେ ଦର୍ଶାଇଥିଲେ.ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ବିଧିବଦ୍ଧଭାବେ କୌଣସି ଘୋଷଣା କରାଯାଇନଥିଲେ ବି ୨୦୨୨-୨୩ ଶିକ୍ଷାବର୍ଷରେ ଗ୍ରାମୀଣ କ୍ୟାମ୍ପସରେ ଆଉ ନୂତନ ପାଠ୍ୟକ୍ରମ ଆରମ୍ଭ କରାନଯିବାର ନିଷ୍ପତି ନିଆଯାଇଥିବା ଜଣାଯାଇଛି .ଗ୍ରାମାଞ୍ଚଳରେ ଏହି କ୍ୟାମ୍ପସଟି ଥିବାରୁ ମୁଖତଃ ଗରିବ ମେଧାବୀ ବିଦ୍ୟାର୍ଥୀମାନେ ଏହାଦ୍ୱାରା ଉପକୃତ ହେଇଥାନ୍ତେ ମାତ୍ର ବିଶ୍ୱବିଦ୍ୟାଳୟର ଏପରି ନିଷ୍ପତି ଫଳରେ ସେମାନଙ୍କ ମନରେ ନୈରାଶ୍ୟ ଭାବ ଦେଖାଦେଇଛି.